ଗୋପାଳପୁର ଟାଟା କଲୋନିରେ ପୁଲିସ ପଇଁତରା

ବ୍ରହ୍ମପୁର: ପ୍ରଦୀପଙ୍କ ବ୍ୟାଙ୍କ୍‌ ବିବରଣୀ ଭାଇରାଲ୍‌ ହେବା ପରେ ତାଙ୍କର ଟଙ୍କା ନେଣଦେଣ କାରବାର ପଦାକୁ ଆସିଥିଲା। ପ୍ରଦୀପଙ୍କ ଆକାଉଣ୍ଟ୍‌କୁ କେଉଁଠୁ ଟଙ୍କା ଆସିଛି ଏବଂ କେଉଁଠିକୁ ଯାଇଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଗୋପାଳପୁର ନିର୍ବାଚନମଣ୍ଡଳୀ ଲୁହାଝର ଗ୍ରାମ ପଞ୍ଚାୟତ ଟାଟା କଲୋନିର ହେମନ୍ତ ରଥ ଓରଫ୍‌ ବାବୁଲି ରଥଙ୍କ ଆକାଉଣ୍ଟ୍‌ରୁ ୪ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟ୍‌କୁ ଯାଇଥିବା ଭାଇରାଲ୍‌ ବ୍ୟାଙ୍କ୍‌ ବିବରଣୀରୁ ଜଣାପଡ଼ିଛି। ଏହି ଘଟଣା ପରେ ଆଜି ହେମନ୍ତଙ୍କ ଏକ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଥିସହ ଟାଟା କଲୋନି ସ୍ଥିତ ତାଙ୍କ ବାସଭବନରେ ପୁଲିସ ପଇଁତରା ମାରୁଛି। ଦୁଇଜଣ ପୁଲିସ କର୍ମଚାରୀ ସେଠାରେ ମୁତୟନ ରହିଛନ୍ତି।

ସେହି ଭାଇରାଲ୍‌ ଭିଡ଼ିଓରେ ହେମନ୍ତ କହୁଛନ୍ତି ଯେ ନଭେମ୍ବର ୨୪ତାରିଖରେ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଲେ ଯେ ସେ ଚାକିରି ପାଇଁ ଆବେଦନ କରିଥିବା ସଂସ୍ଥା ମିଛ ଓ ଝିଅର ଚାକିରି ହେବ ନାହିଁ। ଗୋପାଳପୁର ବିଧାୟକ କରୋନା ସମୟରେ ଗାଁକୁ ଆସିଥିଲେ। ଟାଟା ମୋଟର୍ସରେ ନିଯୁକ୍ତି ବିଜ୍ଞାପନ ବାହାରିଛି। ନୌକରି.କମ୍‌ରେ ଆବେଦନ କରିବାକୁ କହିଥିଲେ। କିନ୍ତୁ ଏଥିପାଇଁ କିଛି ଟଙ୍କା ପୈଠ କରିବାକୁ ପଡ଼ିବ ବୋଲି କହିଥିଲେ। ସାକ୍ଷାତକାର ପାଇଁ ମଧ୍ୟ ଚିଠି ଆସିଥିଲା। ଚାକିରି ପାଇଁ ବିଧାୟକଙ୍କୁ ୩ଟି କିସ୍ତିରେ ୬ଲକ୍ଷ ଟଙ୍କା ଦେଇଥିଲେ। ମୋର ସାଙ୍ଗ ସାଥୀ ମଧ୍ୟରେ କିଛି ଜଣ ଟଙ୍କା ଦେଇଥିଲେ। ମୋ’ ସାଙ୍ଗ ସୁଧୀର ବେହେରାଙ୍କ ପୁଅ ସୁନୀଲ ପାଇଁ ୪ଲକ୍ଷ ଟଙ୍କା ମୋ’ ଆକାଉଣ୍ଟ୍ ଭାଇନାଙ୍କ ଆକାଉଣ୍ଟ୍‌କୁ ପଠାଇଥିଲି ବୋଲି ସେ ଭିଡ଼ିଓରେ କହିଛନ୍ତି।

ଏହି ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ହେମନ୍ତଙ୍କ ଘର ଆଗରେ ପୁଲିସ କାହିଁକି ଡେରା ପକାଇଛି ଏବଂ ହେମନ୍ତ ଏବେ କେଉଁଠି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି ଯେ, ଟାଟା କଲୋନି ଅନ୍ତର୍ଗତ ସିନ୍ଧିଗାଁ, ପାତ୍ରପୁର ସମେତ ୫ଟି ଗାଁରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସେହି ଅଞ୍ଚଳର କିଛି ଲୋକ ଟଙ୍କା ଦେଇଥିବା ସଂକ୍ରାନ୍ତରେ କହିଛନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ସେଠାରେ ପୁଲିସ କଡ଼ା ନଜର ରଖିଛି ଏବଂ ସେହି ଅଞ୍ଚଳରେ ପଇଁତରା ମାରୁଛି ବୋଲି ଏସ୍‌ଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର