ସ୍ବଚ୍ଛ ସର୍ବେକ୍ଷଣ ଆଗରେ ପଲିଥିନ୍‌ କଣ୍ଟା ଚଢ଼ଉ ଶିଥିଳ, ଉଡ଼ୁଛି ମାଳମାଳ

ଚୋକ୍‌ ହେଉଛି ନାଳ, ଦୂଷିତ ହେଉଛି ପରିବେଶ

ବ୍ରହ୍ମପୁର: ଜାତୀୟସ୍ତରରେ ହେଉଥିବା ସ୍ବଚ୍ଛ ସର୍ବେକ୍ଷଣ ଦୌଡ଼ରେ ସାମିଲ ହୋଇଛି ବ୍ରହ୍ମପୁର ମହାନଗର। ଏଥିପାଇଁ ବିଏମ୍‌ସି ତରଫରୁ ସଫେଇ କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପଲିଥିନ୍‌ମୁକ୍ତ ସହର ଗଠନ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ସେହିପରି ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ସମୟରେ ଲୋକଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ସଫେଇ କର୍ମଚାରୀଙ୍କୁ କୁହାଯାଇଛି। କିନ୍ତୁ ଏହି ସର୍ବେକ୍ଷଣ ଦୌଡ଼ରେ ଏବେ ପଲିଥିନ୍‌ କଣ୍ଟା ସାଜିଛି। ବ୍ରହ୍ମପୁର ମହାନଗରକୁ ପଲିଥିନ୍‌ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏହି ପଦକ୍ଷେପ ଶତପ୍ରତିଶତ ଫଳପ୍ରଦ ହୋଇପାରି ନାହିଁ। ବିଗତ ଦିନରେ ବିଭିନ୍ନ ସମୟରେ ବିଏମ୍‌ସି ଓ ପ୍ରଶାସନିକ ଅଧିକାରୀ ଚଢ଼ଉ କରି ବିପୁଳ ପରିମାଣ ପଲିଥିନ୍‌ ଜବତ କରିଥିଲେ। କିନ୍ତୁ କରୋନା ଯୋଗୁଁ ଏବେ ଚଢ଼ଉ ଶିଥିଳ ପଡ଼ି ଯାଇଛି। ଫଳରେ ସହରର ଅଧିକାଂଶ ବଜାରରେ ଏବେ ମାଳମାଳ ପଲିଥିନ୍‌ ବ୍ୟବହାର ହେଉଛି। ଯାହାକି ସ୍ବଚ୍ଛ ସର୍ବେକ୍ଷଣ ଦୌଡ଼ ପାଇଁ କଣ୍ଟା ସାଜିଛି ବୋଲି ପରିବେଶବିତ ମହଲରେ ପ୍ରକାଶ ପାଇଛି।

ସାରା ଦେଶରେ ହେଉଥିବା ସ୍ବଚ୍ଛ ସର୍ବେକ୍ଷଣରେ ବ୍ରହ୍ମପୁର ମହାନଗର ସଫଳତା ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ୨୦୨୦ ମସିହାରେ ଜାତୀୟସ୍ତରରେ ୧-୧୦ଲକ୍ଷ ବିଶିଷ୍ଟ ଜନସଂଖ୍ୟା ସହର ମଧ୍ୟରେ ବ୍ରହ୍ମପୁର ମହାନଗର ୬୩ ରୢାଙ୍କ ହାସଲ କରିଥିଲା। ୨୦୨୧ରେ ଭଲ ସ୍ଥାନ ହାସଲ କରିବା ପାଇଁ ବିଏମ୍‌ସି ସର୍ବେକ୍ଷଣ ଦୌଡ଼ରେ ସାମିଲ ହୋଇଛି। ଏଥିପାଇଁ ବିଏମ୍‌ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବିଏମ୍‌ସି କମିସନର୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ସଫେଇ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି। ସେ ଅନୁସାରେ କାମ ମଧ୍ୟ ଆରମ୍ଭ ହୋଇଛି। ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ସହିତ ଆବର୍ଜନା ସଂଗ୍ରହ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି। ଉତ୍ତମ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ସେହିପରି ସହରର ବିଭିନ୍ନ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ଯେପରି ଆବର୍ଜନା ନପଡ଼ିବ ସେଥିପାଇଁ ଜମି ମାଲିକଙ୍କୁ ତାଗିଦ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ଭଗ୍ନାଂଶ ଆବର୍ଜନା ସଂଗ୍ରହ ଓ ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପଲିଥିନ୍‌ ଛାଡ଼ି କାଗଜ ଠୁଙ୍ଗା ତଥା ବ୍ୟାଗ୍‌ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ଏ ଦିଗରେ ଲୋକେ ସଚେତନ ହେଉ ନାହାନ୍ତି। ବିଶେଷ କରି ପଲିଥିନ୍‌ ବ୍ୟବହାର ‌କମୁ ନାହିଁ। ସହରର ପ୍ରତ୍ୟେକ ଭେଣ୍ଡିଂଜୋନ୍‌ରେ ଏବେ ବି ଖୋଲାଖୋଲି ପଲିଥିନ୍‌ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ହୋଟେଲ୍‌ରେ ମଧ୍ୟ ଖାଦ୍ୟ ପାର୍ସଲ୍‌ ବେଳେ ପଲିଥିନ୍‌ ଦିଆଯାଉଛି। ଲୋକେ ସେହି ପଲିଥିନ୍‌ରେ ସାମଗ୍ରୀ ନେଇ ତାହା ଫୋପାଡ଼ି ଦେଉଛନ୍ତି। ଫଳରେ ତାହା ଏଣେତେଣ ଉଡ଼ି ନାଳରେ ପଡ଼ି ଜମା ହେଉଛି। ଦୀର୍ଘଦିନ ଧରି ପଲିଥିନ୍‌ ପଡ଼ି ରହିବା ଯୋଯୁଁ ନାଳ ‌ଚୋକ୍‌ ହୋଇଯାଉଛି। ସେପଟେ ସହରରେ ଥିବା ବିଭିନ୍ନ ଡମ୍ପିଂ ପଏଣ୍ଟରୁ ସଂଗୃହୀତ କୁଢ଼ କୁଢ଼ ଆବର୍ଜନା ନୂଆ ବସଷ୍ଟାଣ୍ଡ ରୋଡ଼ରେ ଥିବା ଡମ୍ପିଂୟାର୍ଡରେ ଡମ୍ପ ହେଉଛି। ସେଠାରେ କୁଢ଼ କୁଢ଼ ପଲିଥିନ୍‌ ପଡ଼ୁଥିବା ଦେଖିବାକୁ ମିଳୁଛି। ଜରି ଗୋଟାଳି ସେଠାରୁ ପଲିଥିନ୍‌ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଗାଈ-ଗୋରୁ ଖାଦ୍ୟ ଅନ୍ବେଷଣରେ ଚରି ବୁଲୁଛନ୍ତି। ବିଭିନ୍ନ ସମୟରେ ଖାଦ୍ୟ ସହିତ ପଲିଥିନ୍‌ ଖାଇ ଗାଈ-ଗୋରୁ ଅସୁସ୍ଥ ହେଉଛନ୍ତି।ସ୍ବଚ୍ଛ ସର୍ବେକ୍ଷଣ ଦୌଡ଼ରେ ଭଲ ରୢାଙ୍କ ପାଇଁ ସହରକୁ ପଲିଥିନ୍ ମୁକ୍ତ କରିବା ନିହାତି ଆବଶ୍ୟକ। ଏହି ପଲିଥିନ୍‌ ଯୋଗୁଁ ପରିବେଶ ମଧ୍ୟ ଦୂଷିତ ହେଉଛି। ଏଣୁ ପୂର୍ବରୁ ଯେଭଳି ଚଢ଼ଉ ଜାରି ରହିଥିଲା ତାହା ପୁଣିଥରେ ଆରମ୍ଭ କରି ବ୍ୟାପକ କରିବା ପାଇଁ ବିଭିନ୍ନ ମହଲରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର