ବ୍ରହ୍ମପୁର/ଚିକିଟି: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ତଥା ଦିଗପହଣ୍ତି ବ୍ଲକ୍ ଅର୍ନ୍ତଗତ ଦେଖାଳି ଗାଁର ପ୍ରମୋଦିନୀ ନାୟକ ହତ୍ୟା ଘଟଣାକୁ ୭ମାସ ପୂରିବ। ମୃତା ପ୍ରମୋଦିନୀଙ୍କ ମାଆ ରମା ନାୟକ ନ୍ୟାୟ ପାଇଁ ବ୍ରହ୍ମପୁର ଏସ୍.ପି, ଡିଆଇଜି, ପୁଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲେଣି। ଏପରିକି ବାଚସ୍ପତି ଓ ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷଙ୍କୁ ଫୋନ୍ କରି ଦୃଷ୍ଟି ଆକଷର୍ଣ କରିଛନ୍ତି। ହେଲେ ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଖିଅ ପାଉନି ପୁଲିସ। ଏଯାବତ୍ ଅପରାଧୀ ଚିହ୍ନଟ ବି ହୋଇ ନାହାନ୍ତି କି ରମାଙ୍କୁ ନ୍ୟାୟ ମିଳିନି।
ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର ଦେଖାଳି ଗ୍ରାମ ଏବଂ ହତ୍ୟାକାଣ୍ଡ ଘଟିଥିବା ନଦୀ ପଠାକୁ ଯାଇ ସରଜମିନ୍ ତଦନ୍ତ କରିଛନ୍ତି। ଏଥିସହ ମୃତା ପ୍ରମୋଦିନୀଙ୍କ ମାଆଙ୍କ ସହ ଅଧ ଘଣ୍ଟା ଧରି ସବିଶେଷ ଆଲୋଚନା କରିଛନ୍ତି। ପୁଲିସ ଏହି ଘଟଣାର ରହସ୍ୟ ଉନ୍ମୋଚନ କରି ନପାରିଲେ ତଦନ୍ତ ଭାର ସିବିଆଇକୁ ଦେବାକୁ ରମା ଡିଆଇଜି ଓ ଏସ୍ପିଙ୍କୁ ଅନୁରୋଧ କରିଛନ୍ତି। ଡିଆଇଜି ଶ୍ରୀ ଭୋଇ କହିଛନ୍ତି, ଘଟଣାସ୍ଥଳ ଅନୁଧ୍ୟାନ କରିଛୁ, ମୃତାଙ୍କ ମାଆଙ୍କ ସହ ମଧ୍ୟ ଆଲୋଚନା କରିଛୁୂ। ସବୁ ଦିଗରୁ ତଦନ୍ତ ଚାଲିଛି। ଖୁବଶୀଘ୍ର ସଫଳତା ମିଳିବା ଆଶା ରହିଛି।
ସୂଚନାଯୋଗ୍ୟ, ଦେଖାଳି ଗ୍ରାମର ଲଡ଼ୁ ନାୟକଙ୍କ ଦ୍ବିତୀୟ ଝିଅ ପ୍ରମୋଦିନୀ(୨୨) ଗତ ମେ ୧୦ତାରିଖ ସକାଳ ୮ଟା ବେଳେ ମାଆଙ୍କ ସହିତ ବିଲକୁ ଯାଇଥିଲେ। ପୂର୍ବାହ୍ଣ ୧୦ଟା ବେଳେ ମାଆଙ୍କୁ କହି ନିକଟସ୍ଥ କଣ୍ଟେଇଯୋଡ଼ି ନଦୀକୁ ଲୁଗା ସଫା କରିବାକୁ ଯାଇଥିଲେ। କିନ୍ତୁ ଫେରିବାରେ ବିଳମ୍ବ ହେବାରୁ ମାଆ ରମା ତାଙ୍କୁ ଡାକିବା ଲାଗି ଯାଇଥିଲେ। ନଦୀ ପଠା ବାଲିରେ ଝିଅ କ୍ଷତବିକ୍ଷତ ହୋଇ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ କେ.ନୂଆଗାଁ ଥାନା ପୁଲିସ କେସ୍ ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଏହାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଥିଲା। ଅନ୍ୟପକ୍ଷରେ ଏହି ଘଟଣାର କିଛିଦିନ ପରେ ମୃତା ପ୍ରମୋଦିନୀଙ୍କ ମାଆ ରମା ଉକ୍ତ ଅଞ୍ଚଳର ୪ଜଣ ଲୋକଙ୍କ ନାମରେ ଅଭିଯୋଗ ଆଣି ଥାନାରେ ଦ୍ବିତୀୟ ଥର ଲାଗି ଅଭିଯୋଗ କରିଥିଲେ। ଉକ୍ତ ଯୁୂବକଙ୍କ ଉପରେ ସେ ସନ୍ଦେହ ବ୍ୟକ୍ତ କରି ସେମାନେ ହତ୍ୟା କରିଥାଇ ପାରନ୍ତି ବୋଲି ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ୪ଜଣ ବ୍ୟକ୍ତି ସମେତ ୫ଜଣଙ୍କୁ ଆଣି ପଚରାଉଚୁରା କରିବା ସହ ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରାଇଥିଲା। ହେଲେ ଏହି ଘଟଣା ଉପରୁ ଏ ଯାଏ ପରଦା ହଟିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/pramodini-1.jpg)