ଖ୍ୟାତନାମା ସାହିତ୍ୟିକା ପ୍ରତିଭା ରାୟଙ୍କୁ ପ୍ରଦାନ କରାଗଲା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ

ଗୋପାଳପୁର : ସାହିତ୍ୟ ସାଧନା ଲାଗି ଖ୍ୟାତନାମା ସାହିତ୍ୟିକା ପ୍ରତିଭା ରାୟଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାରସ୍ବରୂପ ତାଙ୍କୁ ୧ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିବା ୫୪ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରତିଭା ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି ଓ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସହନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି। ସେହିପରି ଦେଶିଆ ନାଟକ ଗୁରୁ ନରସିଂହ ତ୍ରିପାଠୀ ଏବଂ ଆଦିବାସୀ ଚିତ୍ରକଳା ଲାଗି ଲକ୍ଷ୍ମଣ ଶବରଙ୍କୁ ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟ ଆଲୁମ୍ନି ସଦସ୍ୟ ଶ୍ରୀ ତ୍ରିପାଠୀ ଏବଂ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିବା ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବିଶ୍ବବିଦ୍ୟାଳୟର ୬୦ ଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବାର ସୂଚନା ମିଳିଛି।


ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ରଞ୍ଜନ କୁମାର ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ସମାରୋହ ଶେଷରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,୧୯୬୭ ମସିହା ଜାନୁଆରି ୨ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।

ସମ୍ବନ୍ଧିତ ଖବର