ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆଜି ଏକ ଅଭବାନୀୟ ଘଟଣା ଘଟିଛି। ଜଣେ କଏଦୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ କଏଦୀ ଶଙ୍କରମଣି ଏକ୍କା(୩୮)ଙ୍କୁ ଏମ୍‌କେସିଜି ମେଡିକାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମେଡିସିନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ଡାକ୍ତର କହିଛନ୍ତି।
କୋରାପୁଟ ଜିଲ୍ଲାର ଶଙ୍କର ଏକ ହତ୍ୟା ଘଟଣାରେ ଗିରଫ ହୋଇଥିଲେ। ସେ କୋରାପୁଟ ଜେଲ୍‌ରେ ଥିବା ବେଳେ କୋର୍ଟରେ ତାଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିଲା। ସେ ଜଣେ ମାନସିକ ରୋଗୀ ବୋଲି ମଣ୍ଡଳ କାରାଗାର ଅଧୀକ୍ଷକ ବିଶ୍ୱଭାନୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଗତ ୪ମାସ ହେଲା କୋରାପୁଟରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଅଣା ଯାଇଥିଲା। ମଣ୍ଡଳ କାରାଗାରରେ କିଛିଦିନ ରହିବା ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ପଠାଇ ଯାଇଥିଲା। ସେଠାରେ ଚିକିତ୍ସିତ ହୋଇ ସେ ଗତ ୪ତାରିଖରେ ବ୍ରହ୍ମପୁର ଫେରିଥିଲେ। ଶଙ୍କର ଜେଲ୍‌ର ୭ନମ୍ବର ଓ୍ଵାର୍ଡ଼ରେ ରହିଥିଲେ। ଆଜି ସକାଳେ ରୋଲ୍‌କଲ ପାଇଁ ସମସ୍ତ କଏଦୀ ଓ୍ଵାର୍ଡ଼ରୁ ବାହାରକୁ ଆସିଥିଲେ।

Advertisment

ରୋଲ୍‌କଲ ସରିବା ପରେ କଏଦୀମାନେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଶଙ୍କର ଓ୍ଵାର୍ଡ଼ ଭିତରକୁ ଦୌଡ଼ି ପଳାଇଥିଲେ। ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଓ୍ଵାର୍ଡ଼ର୍‌ ତାଙ୍କ ପଛରେ ଧାଇଁଥିଲେ। ଓ୍ଵାର୍ଡ଼ ଭିତରକୁ ଯାଇ ଦେଖିବା ବେଳକୁ ଶଙ୍କର ବେକରେ ଏକ ଗାମୁଛା ବାନ୍ଧି ପକାଇ ଝୁଲିପଡ଼ିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିବାରୁ ସେ ଏଭଳି କାଣ୍ଡ କରିଥିବା ନେଇ ସନ୍ଦେହ କରାଯାଉଛି। ବଡ଼ ମେଡିକାଲରେ ଜେଲ୍‌ କର୍ମଚାରୀଙ୍କ ହେପାଜତରେ ତାଙ୍କ ଚିକିତ୍ସା ଚାଲିଛି। ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ଯୋଗୁଁ ଶଙ୍କରଙ୍କୁ ଅକ୍ସିଜେନ୍‌ ଦିଆଯାଇଛି। ଓ୍ଵାର୍ଡ଼ର୍‌ଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଜଣେ କଏଦୀଙ୍କ ଜୀବନ ରକ୍ଷା ପାଇଯାଇଛି।