ଭଞ୍ଜନଗରରେ ନିଆରା ରକ୍ଷାବନ୍ଧନ: ଗଛରେ ରାଖୀ ବାନ୍ଧି, ଜୀବନ ସୁରକ୍ଷା ପାଇଁ ନେଲେ ଶପଥ

ଭଞ୍ଜନଗର: ବୃକ୍ଷ ହିଁ ଜୀବନ। ପ୍ରକୃତିକୁ ସୁରକ୍ଷିତ ରଖିବାକୁ ହେଲେ ବ୍ୟାପକ ପରିମାଣର ବୃକ୍ଷରୋପଣ ସହ ବିନା କାରଣରେ ଗଛ କାଟିବାକୁ ରୋକିବାକୁ ପଡ଼ିବ। ତାକୁ ସୁରକ୍ଷା ଦେଲେ ପ୍ରକୃତି ବଞ୍ଚିବ। ଆଉ ପ୍ରକୃତି ରହିଲେ ଜୀବଜଗତ ରହିବ। ତେଣୁ ରକ୍ଷାବନ୍ଧନ ଭଳି ପବିତ୍ର ଦିନରେ ଗଛରେ ରାଖୀ ବାନ୍ଧି ତାକୁ ସୁରକ୍ଷା ଦେବାର ଶପଥ ନେଲା ଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ଗଛକୁ ରାଖୀ ବାନ୍ଧି ଏହି ସ୍ୱନ୍ତ୍ରତ ଦିନକୁ ନିଆରା ଭାବେ ପାଳନ କରାଯାଇଛି। ବନ କର୍ମଚାରୀଙ୍କ ଉପସ୍ଥିତିରେ ବହୁ ମହିଳା ଜଙ୍ଗଲ ଭିତରେ ଥିବା ଗଛ ଗୁଡିକରେ ରାଖୀ ବାନ୍ଧିଛନ୍ତି। ସଂପ୍ରତି କରୋନା ସମୟରେ ଗଛରୁ ମାଗଣା ମିଳୁଥିବା ଅମ୍ଳଜାନ ବହୁତ ମହଙ୍ଗା ପଡ଼ିଯାଇଥିଲା। ଠିକ୍ ସମୟରେ ଅମ୍ଳଜାନ ନ ମିଳିବାରୁ ବହୁ ମୂଲ୍ୟବାନ ଜୀବନ ମଧ୍ୟ ଚାଲି ଯାଇଥିଲା। ତେଣୁ ବୃକ୍ଷରୋପଣକୁ ବ୍ୟାପକ କରିବା ସହ ତାର ଯତ୍ନ ନେଇ ନିଜର ଆଗାମୀ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଆରା ପରମ୍ପରା ଆରମ୍ଭ କରାଯାଇଛି। ସହକାରୀ ବନ ସଂରକ୍ଷକ ସୁଦର୍ଶନ ବାଦୀଙ୍କ ତତ୍ତ୍ଵାବଧାନରେ ରେଞ୍ଜର ବିମ୍ବାଧର ସାହୁ, ଉମାକାନ୍ତ ଦାସ, ବନାଞ୍ଚଳ ଅଧିକାରୀ ବଂଶୀଧର ବିଷୋୟୀ, ଇଶ୍ୱା ଗଣେଶ ଓ କଳା ବଦନ ଦାସଙ୍କ ଉପସ୍ଥିତିରେ ବହୁ ଯୁବତୀ ଏବଂ ମହିଳା ଗଛରେ ରାଖୀ ବାନ୍ଧିଥିଲେ।

ସମ୍ବନ୍ଧିତ ଖବର