ସାକ୍ଷୀଙ୍କୁ ଅପହରଣ, ଜେଲ୍‌ରେ ଧମକ

ଆର୍‌ଟିଆଇ କର୍ମୀ ହତ୍ୟା ମାମଲାରେ ଛନ୍ଦି ହେଲେ ରମେଶ

ବ୍ରହ୍ମପୁର/ଗୋଳନ୍ଥରା : ବ୍ରହ୍ମପୁରର ବହୁଚର୍ଚ୍ଚିତ ଆର୍‌ଟିଆଇ କର୍ମୀ ଗଣେଶ ପଣ୍ଡା ଓରଫ୍‌ ବୁବୁ ପଣ୍ଡା ହତ୍ୟା ମାମଲାରେ ଏବେ ଛନ୍ଦି ହୋଇ ଯାଇଛନ୍ତି ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା। ରମେଶ ଏବେ ଛତ୍ରପୁର ଜେଲ୍‌ରେ। ମାମଲାର ମୁଖ୍ୟ ସାକ୍ଷୀଙ୍କୁ ତାଙ୍କ ସହଯୋଗୀଙ୍କ ଜରିଆରେ ପ୍ରଥମେ ଅପହରଣ କରି ନେବା ଏବଂ ସେମାନଙ୍କୁ ଛତ୍ରପୁର ଜେଲ୍‌ରେ ପହଞ୍ଚାଇ ମୁଲାକାତ୍‌ ନାଁରେ ଧମକ୍‌ ଦେବା ଅଭିଯୋଗରେ ପୁଲିସ ରମେଶଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ରମେଶଙ୍କ ନାଁରେ କୋର୍ଟରେ ରିମାଣ୍ଡ ଦିଆଯିବ ବୋଲି ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନା ସୂଚନା ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ଜେଲ୍‌କୁ ମୁଲାକାତ୍‌ ନାଁରେ ନେଇ ଧମକ୍‌ ଦେବା ଘଟଣା ସମ୍ପର୍କରେ ଛତ୍ରପୁର ଜେଲ୍‌ କର୍ତୃପକ୍ଷ କେମିତି କିଛି ଜାଣିପାରିଲେ ନାହିଁ। ଅନ୍ୟପଟେ ଘଟଣା ଦିନ ଜେଲ୍‌ ସାକ୍ଷାତକାର ରେଜିଷ୍ଟର୍‌ରେ ସେମାନଙ୍କ ନାଁ ଚଢ଼ାଯାଇ ନାହିଁ। ସେହିପରି ସେହିଦିନ ସିସି କ୍ୟାମେରା ମଧ୍ୟ ବନ୍ଦ କରି ଦିଆ ଯାଇଥିଲା ବୋଲି ଇନ୍‌ସ୍ପେକ୍ଟର୍‌ ଜେନା କହିଛନ୍ତି। ଏ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର