ବିରଳ କୃଷ୍ଣସାର: ସଂଖ୍ୟା ସହିତ ସୁରକ୍ଷା ଚିନ୍ତା ବି ବଢ଼ିଛି, ଦକ୍ଷିଣ ଘୁମୁସର ବନଖଣ୍ଡରେ ୬ ବର୍ଷରେ ୧୩୨ ମୃତ

ଭଞ୍ଜନଗର: କୃଷ୍ଣସାର ମୃଗ। ପ୍ରାଣୀ ଜଗତରେ ଅନ୍ୟତମ ବିରଳ ଏହି ନିରୀହ ଜୀବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ। ‌ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସର ବନଖଣ୍ଡ କୃଷ୍ଣସାରର ପ୍ରମୁଖ ବିଚରଣସ୍ଥଳ ଭାବେ ସମଗ୍ର ଏସିଆ ମହାଦେଶରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ବିଶେଷ କରି ଦକ୍ଷିଣ ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଅଧିକ। ୨୦୧୮ରୁ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖାପାଖି ୨ ଗୁଣ ବଢ଼ିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ତେବ‌େ ମୃଗ ସଂଖ୍ୟା ଯେତିକି ବଢ଼ୁଛି, ସେହି ଅନୁପାତରେ ସେମାନଙ୍କ ସୁରକ୍ଷା ମଧ୍ୟ ବର୍ତ୍ତମାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି। କାରଣ ଦକ୍ଷିଣ ଘୁମୁସର ବନଖଣ୍ଡରେ ୨୦୧୪ ମସିହାରୁ ଆଜି ସୁଦ୍ଧା ୧୩୨ଟି କୃଷ୍ଣସାର ମୃଗଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭୧ଟି ଅଣ୍ଡିରା ଓ ୬୧ଟି ମାଈ ରହିଛନ୍ତି। ୪୫ ମୃଗ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୧୨ଜଣଙ୍କର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଛି। ଫଳରେ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନେଇଛି।

ଅବାଧ ଭାବେ ବିଚରଣ ପାଇଁ ବନ ବିଭାଗ ପକ୍ଷରୁ ଖାଦ୍ୟ ପାଇଁ ଚାଷ କରାଯିବା ସହିତ ତାର ଜାଲ ବିଛାଯାଇଛି। ମୃଗମାନେ ଯେଭଳି ସୁରକ୍ଷିତ ଭାବେ ଖାଦ୍ୟ ଖାଇବେ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ବିଚରଣ କରୁଥିବା ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା ହୋଇଥିବା ବେଳେ ସୁରକ୍ଷା ପାଇଁ ସ୍ବତନ୍ତ୍ର ଜଗୁଆଳିଙ୍କୁ ନିୟୋଜିତ କରାଯାଇଛି। ଆସିକା ବନାଞ୍ଚଳରେ ‌ଭେଟନଇଠାରେ ମୃଗଙ୍କ ପାଇଁ ଅଢ଼େଇ ଏକର ଜମିରେ ମାଣ୍ଡିଆ ଓ ଡାଲି ଜାତୀୟ ଫସଲ ଚାଷ କରାଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ ଡିଏଫ୍‌ଓ ସତ୍ୟନାରାୟଣ ବେହୁରା ସୂଚନା ଦେଇଛନ୍ତି।

ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡ଼ା ଓ ପୋଲସରା ବନାଞ୍ଚଳରେ ଅଧିକାଂଶ ସ୍ଥାନରେ ଏହି ମୃଗ ଦେଖିବାକୁ ମିଳୁଛି। ଏହି ବନଖଣ୍ଡରେ ୨୦୦୪‌ରେ ୭୮୬ଟି କୃଷ୍ଣସାର ରହିଥିବା ବେଳେ ୨୦୦୬ରେ ଏହି ସଂଖ୍ୟା ୧୧୦୧ ରେ ପହଞ୍ଚିଥିଲା। ୨୦୦୮ରେ ୧୬୭୨ଟି, ୨୦୧୧ରେ ୧୫୩୩ ଓ ୨୦୧୫ରେ ୨୬୧୮ ଓ ୨୦୧୮ରେ ୨୮୦୯ ଟି ମୃଗ ଥିଲେ। ବର୍ତ୍ତମାନ କ୍ରମଶଃ ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨୦୨୦ରେ ଗଣନା ଅନୁଯାୟୀ ସଂଖ୍ୟା ୨ ଗୁଣ ହୋଇଛି। ବର୍ତ୍ତମାନ ମୋଟ ୪୧୧୪ ଗୋଟି ମୃଗ ରହିଥିବା ବେଳେ ୯୭୧ଟି ଅଣ୍ଡିରା, ୨୫୦୯ ଟି ମାଈ ଏବଂ ୬୩୪ ଗୋଟି ଶାବକ ରହିଥିବା ଜଣାପଡିଛି।

ସେହିଭଳି ଉତ୍ତର ଘୁମୁସର ବନଖଣ୍ଡର କେବଳ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ମୃଗ ଦେଖିବାକୁ ମିଳିଛି। ୨୦୧୮ ଗଣନା ଅନୁସାରେ ଏଠାରେ ୮୦ଟି ଅଣ୍ଡିରା, ୧୨୪ଟି ମାଈ ଓ ୩୪ଟି ଶାବକ ଏଭଳି ଭାବେ ମୋଟ ୨୩୮ଟି ମୃଗ ଥିଲେ। ବର୍ତ୍ତମାନ ୭୦ଟି ଅଣ୍ଡିରା, ୧୮୬ଟି ମାଈ ଏବଂ ୩୦ଟି ଶାବକ ଏଭଳି ମ‌ୋଟ ୨୮୬ଟି କୃଷ୍ଣସାର ମୃଗ ଅଛନ୍ତି। ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏମାନଙ୍କ ସୁରକ୍ଷା ବର୍ତ୍ତମାନ ବଡ଼ ପ୍ରସଙ୍ଗ ପାଲଟିଛି। ଖାଦ୍ୟ ପାଇଁ ଅନେକ ସମୟରେ ବିଭିନ୍ନ କ୍ଷେତରେ ପଶି ନଷ୍ଟ କରୁଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବ‌େଳେ ଗାଡ଼ି ଧକ୍କାରେ ଦୁର୍ଘଟଣାର ଶିକାର ହେଉଛନ୍ତି।

ମୃଗମାନ‌େ ଦଳ ଦଳ ହୋଇ ବିଭିନ୍ନ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବାରୁ ବନ ବିଭାଗ ପକ୍ଷରୁ ବର୍ତ୍ତମାନ ମୁଗ, ଚଣା, ବିରି ଓ ମାଣ୍ଡିଆ ଭଳି ଶସ୍ୟ ଚାଷ କରାଯାଉଛି। ମୃଗଙ୍କ ଭୟରେ ଚାଷ ନକରି ଜମି ପଡ଼ିଆ ପକାଉଥିବା ଚାଷୀ ମାନଙ୍କୁ ଏକରକୁ ୪ ହଜାର ଟଙ୍କା ଦେଇ ସେଠାରେ ବନ ବିଭାଗ ଚାଷ କରି କୃତ୍ରିମ ଚାରଣ ଭୂମି ସୃଷ୍ଟି କରୁଛି। ଆସିକା ବନାଞ୍ଚଳରେ ଭେଟନଇ ଠାରେ ବନ ବିଭାଗ ପକ୍ଷରୁ ଅଢ଼େଇ ଏକର ଜମିରେ ମାଣ୍ଡିଆ ଓ ଡାଲି ଚାଷ କରାଯାଉଛି। ସେଠାରେ ପ୍ରତ୍ୟେକ ଦିନ ମୃଗମାନ‌େ ଆସି ଖାଦ୍ୟ ଖାଉଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ପାଣି କୁଣ୍ଡ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ମୃଗମାନେ ଖାଇବା ପରେ ସେମାନଙ୍କ ଦାନ୍ତରେ କ୍ଷତକୁ ଭରଣା କରିବା ସହ ସେମାନଙ୍କ ପେଟ ରୋଗ ଦୂର କରିବା ଏବଂ ସୁସ୍ଥ ସବଳ ରଖିବା ପାଇଁ ମାଟିରେ ରକ୍‌ ସଲ୍ଟ୍‌ ମିଶ୍ରଣ କରାଯାଇ ଖାଉଥିବା ସ୍ଥାନ ନିକଟରେ ମାଟି ହାଣ୍ଡି ‘ସଲଟ ଲେକ୍’ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ‌ ବେହୁରା କହିଛନ୍ତି। ଏଥିସହ ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳରେ ମଧ୍ୟ ପାଣିକୁଣ୍ଡ ନିର୍ମାଣ କରାଯିବା ସହ ଜଗୁଆଳ ରଖିବା ବ୍ୟବସ୍ଥା କରାଯାଇଥିବା ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର