ଚେନ୍ନାଇରୁ ବିରଳ ପ୍ରଜାତିର ମାଛ ଠାବ

ଗୋପାଳପୁର: ଚେନ୍ନାଇସ୍ଥିତ କାଶୀମେଡୁ ମାଛମରା ଅଞ୍ଚଳରୁ ୨୦୧୯ ଫେବ୍ରୁଆରିରେ ଉଦ୍ଧାର ଏକ ମାଛ ଉପରେ ପରୀକ୍ଷା ନିରୀକ୍ଷା କରି ଏହା ଏକ ବିରଳ ପ୍ରଜାତିର ମାଛ ବୋଲି ଗୋପାଳପୁରସ୍ଥିତ ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ସୂଚନା ଦେଇଛନ୍ତି। ଏହା ‘ଓପିଥସ୍‌ ଚେନ୍ନାଇ ଏନ୍ସିସ’ ଯାହା ଓଡ଼ିଆରେ ଚେନ୍ନାଇ କୁଚିଆ ବୋଲି କୁହାଯାଏ। ସୂଚନା ମୁତାବକ, ସେଠାକାର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିବା ବେଳେ ଏହି ମାଛ ଜାଲରେ ପଡ଼ିଥିଲା। କୂଳକୁ ଆସିବା ପରେ ଏହାକୁ ଅଦରକାରୀ ଭାବି ଫୋପାଡ଼ି ଦେଇଥିଲେ। ଏହାକୁ ଚେନ୍ନାଇ ଜେଡ୍‌ଏସଆଇର ବୈଜ୍ଞାନିକ ଡ. ମୃଣାଳ କୁମାର ଦାସ, ବୈଜ୍ଞାନିକ ଡ. ରଞ୍ଜନା ଭାସ୍କର ଓ ରାଜେନ୍ଦ୍ର କୁମାର ଉଦ୍ଧାର କରି ବିରଳ ପ୍ରଜାତିର ହୋଇଥିବା ଅନୁମାନ କରି ଏହା ଉପରେ ଅଧିକ ଗବେଷଣା ପାଇଁ ଗୋପାଳପୁର ଜେଡ୍ଏସ୍‌ଆଇକୁ ପଠାଇଥିଲେ।

ଗୋପାଳପୁର ଜେଡ଼ଏସ୍‌ଆଇ କେନ୍ଦ୍ରର ବୈଜ୍ଞାନିକ ଡ. ମହାପାତ୍ର ମାଛ ଉପରେ ପରୀକ୍ଷା ନିରୀକ୍ଷା କରି ଏହି ମାଈ ମାଛଟିର ଲମ୍ବ ୪୦୫ ମିଲିମିଟର, ରଙ୍ଗ ଗାଢ଼ ମାଟିଆ ରଙ୍ଗର, ମେରୁଦଣ୍ଡରେ ୧୫୪ଟି ମେରୁହାଡ଼ ଥିବା ଜାଣିବା‌କୁ ପାଇଥିଲେ। ଏହାର ଉପର ଭାଗ ଚିକ୍କଣ, ଦାନ୍ତ ମୁନିଆ ଓ ଉପରେ ୨ ଧାଡ଼ି ଓ ତଳେ ଗୋଟିଏ ଧାଡ଼ିରେ ୫୦ରୁ ଊର୍ଦ୍ଧ୍ବ ଦାନ୍ତ ରହିଥାଏ। ଲାଞ୍ଜ ମୁନିଆ ହୋଇଥିବା ବେଳେ ଏହା ବାଲି ଭିତରେ ଲୁଚିବାରେ ସହାୟକ ହୋଇଥାଏ। ବାଲି ତଳେ ପୋତି ହୋଇ ରହୁଥିବାରୁ ସହଜେ ଧରା ପଡ଼ନ୍ତିନାହିଁ। ତେଣୁ ଏହି ମାଛ ବିରଳ। ଚେନ୍ନାଇରୁ ମିଳିଥିବାରୁ ଏହି ମାଛର ନାମ ଚେନ୍ନାଇ ଏନ୍ସିସ୍‌ ରଖାଯାଇଛି। ଏହାକୁ ଚେନ୍ନାଇ ସ୍ନେକ୍ଇଲ ମଧ୍ୟ କୁହାଯାଏ। ଏହି ମାଛ ସମ୍ପର୍କରେ ଗ‌ବେଷଣାଲବ୍ଧ ସମସ୍ତ ତଥ୍ୟ ଆଜି ଜୋନାଲ ଜୁ-ଟେକ୍ସା ପତ୍ରିକାରେ ପ୍ରକାଶିତ ହୋଇଥିବା ବୈଜ୍ଞାନିକ ଡ.ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର