୨୧.୫ ଲକ୍ଷ ଟଙ୍କାର ଲୁଟ୍‌ ଡ୍ରାମାର ପର୍ଦାଫାଶ

୨୦ ଲକ୍ଷ ଟଙ୍କା, ବଲେରୋ ଜବତ

ବ୍ରହ୍ମପୁର/ଗୋଳନ୍ଥରା : ପୁରା ଡ୍ରାମା କରିଥିଲେ ତାଳଚେରର ଜଣେ ମାଛ ବେପାରୀଙ୍କ ଟ୍ରକ୍‌ ଡ୍ରାଇଭର୍‌ ଓ କଟକରେ ଥିବା ତାଙ୍କ ମାଛ ଗୋଦାମର ଜଣେ କର୍ମଚାରୀଙ୍କ ଭଣଜା। ଟ୍ରକ୍‌ ନେଇ ମାଛ ଆଣିବାକୁ ଆନ୍ଧ୍ର ଯାଉଥିବା ବେଳେ ଡ୍ରାଇଭର୍‌ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ହରିପୁର ଗ୍ରାମର ଜମାଲ ଖାନ୍‌(୪୧) ସାଜିଥିଲା ମୋହରା। କଟକ ଗୋଦାମର କର୍ମଚାରୀଙ୍କ ଭଣଜା ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତରବା ଓଡ଼ିଆ ସାହିର ମନୋଜ କୁମାର ବିଷୋୟୀ(୩୪) ଡକାୟତ ଗ୍ୟାଙ୍ଗ୍‌ର ଲିଡର୍‌ ଭୂମିକା ନିର୍ବାହ କରିଥିଲା। ମିଳିମିଶି ୧୬ ନମ୍ବର ଜାତୀୟ ରାଜପଥରେ ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ସୁମାଣ୍ଡି ଛକ ନିକଟରେ ଲୁଟ୍‌ ଷଡ଼ଯନ୍ତ୍ରକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ତାଳଚେର ମାଛ ବେପାରୀ ତୟାବ୍‌ ଖାନ୍‌ଙ୍କ ୨୧ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇଥିଲେ। ଗତ ୨ତାରିଖର ଏହି ଲୁଟ୍‌ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଟ୍ରକ୍‌ ଡ୍ରାଇଭର୍‌ ଜମାଲ୍‌ ଓ ଲୁଟ୍‌ ଷଡ଼ଯନ୍ତ୍ରର ମାଷ୍ଟର୍‌ମାଇଣ୍ଡ୍‌ ମନୋଜ ଗିରଫ ହୋଇଛନ୍ତି। ଲୁଟ୍‌ ଆର୍ଥରୁ ୨୦ଲକ୍ଷ ୮୦ହଜାର ଟଙ୍କା ଓ ଲୁଟ୍‌ରେ ବ୍ୟବହୃତ ବଲେରୋ ଗାଡ଼ି(ଓଡି୦୭ଡି ୨୦୪୦) ଜବତ ହୋଇଥିବା ବ୍ରହ୍ମପୁର ଏଏସ୍‌ପି ଶାନ୍ତନୁ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ଘଟଣାରେ ସଂପୃକ୍ତ ଅନ୍ୟ ୩ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର