ଧରାକୋଟ: ବାପା ପେଶାରେ ରାଜମିସ୍ତ୍ରୀ, ମା ସୁଗୃହିଣୀ, ହେଲେ ବାପା, ମା,ଭାଇ, ଅପା ଓ ଭାଇନା ଙ୍କ ପ୍ରେରଣା ସହ ଓଡ଼ିଶା ପ୍ରଶାସନିକ ସେବା ର ଜଣେ ଅଧିକାରୀଙ୍କ ମାର୍ଗ ଦର୍ଶନ ତଥା ନିଜର କଠିନ ଅଧ୍ୟବସାୟ ଦ୍ଵାରା ସେ ପହଞ୍ଚିଛନ୍ତି ନିଜ ଲକ୍ଷ୍ୟ ସ୍ଥଳରେ । ଧରାକୋଟ ବ୍ଲକର ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁଙ୍କର ପୁଅ ରୂପକ କୁମାର ସାହୁ ଚଳିତ ବର୍ଷର ଓ ପି ଏସ ସି ପରୀକ୍ଷାରେ ସଫଳତାର ସହ 233 ନମ୍ବର ରେଙ୍କ ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।
ବାପା କୈଳାସ ଚନ୍ଦ୍ର ସାହୁ ବୃତ୍ତିରେ ଜଣେ ରାଜମିସ୍ତ୍ରୀ । ରୂପକ ହେଉଛନ୍ତି ବାପା ମା ଙ୍କର ଚତୁର୍ଥ ସନ୍ତାନ । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେ ଗାଁରେ ଥିବା ଦେଓ ପାଟଣା ବିଦ୍ୟାଳୟରେ ପାଠ ପଢିବା ପରେ ଷଷ୍ଠରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଜବହାର ନବୋଦୟ ବିଦ୍ୟାଳୟ ସୁରଙ୍ଗୀରେ ପାଠ ପଢିଥିଲେ । ଏହା ପରେ ହିଞ୍ଜିଳି ବିଜ୍ଞାନ ମହାବିଦ୍ୟାଳୟ ରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ କିଛି ସମୟ ପାଇଁ ଡାକ ବିଭାଗରେ କାମ କରିଥିଲେ । ହେଲେ ଉଚ୍ଚାଭିଳାସି ରୂପକଙ୍କର ମନ ଏଥିରେ ସୀମିତ ହୋଇ ରହିନଥିଲା । ପରିବାର ଲୋକଙ୍କ ପ୍ରେରଣା ସହ ନିଜର ସହପାଠୀ ବନ୍ଧୁ ଧର୍ମଗଡର ଅତିରିକ୍ତ ଜିଲ୍ଲାପାଳ ଚୋଡଗଙ୍ଗ ପ୍ରଧାନ ଙ୍କ ମାର୍ଗ ଦର୍ଶନ ନେଇ ଓ ପି ଏସ ସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏଥିରେ ତାଙ୍କୁ ସମସ୍ତ ପ୍ରକାର ଉତ୍ସାହିତ କରିଥିଲେ ଗୁରୁ ସନ୍ତୋଷ କୁମାର ପାତ୍ର ଓ ଗଣେଶ ଚନ୍ଦ୍ର ପାତ୍ର ।
ଅନ୍ୟ ପକ୍ଷରେ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ଉଦ୍ଦେଶ୍ୟ ସଂପର୍କରେ ସମାଜର ସବୁ ବର୍ଗର ଲୋକଙ୍କ ହିତ ପାଇଁ କାମ କରିବା ସହ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ଅଗ୍ରାଧିକାର ଦେବି ବୋଲି ମତ ରଖିଥିଲେ । ଅନ୍ୟ ପକ୍ଷରେ ବାପା କୈଳାସ ଚନ୍ଦ୍ର ସାହୁ ଖୁସିରେ ଅଧିର ହେବାସହ ଲୋତକ ପୂର୍ଣ୍ଣ ନୟନରେ କଠିନ ପରିଶ୍ରମ କରି ତାକୁ ପାଠ ପଢାଇଥିଲି,ଭଗବାନ ଆମ ଡାକ ଶୁଣିଲେ,ସମାଜର ହିତ ପାଇଁ ସେ କାମ କରିବ ବୋଲି ପ୍ରକାଶ କରିଥିଲେ। ରୂପକ ଙ୍କର ଏହି ସଫଳତା ପାଇଁ ମୁଣ୍ଡମରାଇ ସମେତ ସମଗ୍ର ଧରାକୋଟ ବ୍ଲକ ଆଜି ଗର୍ବ ଅନୁଭବ କରୁଥିବା ବେଳେ ତାଙ୍କୁ ଓ ତାଙ୍କ ପରିବାର ବର୍ଗ କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।