ସାଇଲ୍ୟାଣ୍ଡ ଏମ୍‌ଡିଙ୍କ ସମେତ ୪ ଅଟକ

୨୦ କୋଟି ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର : ଭୁବନେଶ୍ୱର ଖଣ୍ଡଗିରିରେ ସାଇ ଲ୍ୟାଣ୍ଡ ପ୍ରପର୍ଟି ମ୍ୟାନେଜମେଣ୍ଟ ଇଣ୍ଡିଆ ଲିମିଟେଡ୍‌ ନାମରେ ଖୋଲିଥିବା ଏକ ଅର୍ଥଲଗାଣକାରୀ ସଂସ୍ଥା ନାଁରେ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୁଲିସ କମ୍ପାନିର ପରିଚାଳନା ନିର୍ଦେଶକ(ଏମ୍‌ଡି) ଗୋପାଳଚନ୍ଦ୍ର ରାଉତଙ୍କ ସମେତ ୪ ଜଣଙ୍କୁ ଭଞ୍ଜନଗରରୁ ଉଠାଇ ଆଣିଥିବା ସୂଚନା ମିଳିଛି। ସେମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି କମ୍ପାନି ଓଡ଼ିଶାର ଭୁବନେଶ୍ୱର, ଭଞ୍ଜନଗର, ଗୁଜରାଟ, ସୁରତ ପ୍ରଭୃତି ସ୍ଥାନରେ କାର୍ଯ୍ୟାଳୟ ଖୋଲି ପ୍ରାୟ ୨୦କୋଟି ଟଙ୍କା ଠକେଇ କରିଥିବା ନେଇ ଜମାକାରୀ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱରରେ ୨୦୧୦ରେ ଏହି ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଶାଖା ରହିଥିଲା। ଗଞ୍ଜାମ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟରେ ସଂସ୍ଥାର କାର୍ଯ୍ୟାଳୟ ଖୋଲି ଟଙ୍କା ଜମା କଲେ ଅଧିକ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସଂସ୍ଥା ହଜାର ହଜାର ଲୋକଙ୍କ ଠାରୁ ବହୁ କୋଟି ଟଙ୍କା ଅସୁଲ କରିଥିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଚିଟ୍‌ଫଣ୍ଡ କମ୍ପାନିଗୁଡ଼ିକ ବନ୍ଦ ହେବାରୁ ଏହି ସଂସ୍ଥା ମଧ୍ୟ ବନ୍ଦ ହୋଇ ଯାଇଥିଲା। ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗୋପାଳ ଅନ୍ୟ ଏକ ନାଁରେ ଅଫିସ୍‌ ଖୋଲି ଟଙ୍କା ବଦଳରେ ଜମି ଦେବାକୁ କହିଥିଲେ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଇଲାକାରେ ଜମି ପ୍ଲଟିଂ ଆକାରରେ ଯୋଗାଇବା ପାଇଁ ଜମାକାରୀଙ୍କୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଜମାକାରୀ ତାଙ୍କର ଜମି ପାଇ ନଥିଲେ। ଏମିତି ମୂଳ ଟଙ୍କା ମଧ୍ୟ ମିଳି ନଥିଲା।

ଏହି ସଂସ୍ଥାରେ ଗୋସାଇଁନୂଆଗାଁ ଶାସ୍ତ୍ରୀନଗରରେ ରହୁଥିବା ରଜନୀକାନ୍ତ ପାଢ଼ୀ ପ୍ରାୟ ୫ଲକ୍ଷ ଟଙ୍କା ଜମା କରିଥିଲେ। ସେ ଟଙ୍କା ଫେରି ନପାଇବାରୁ ଖଣ୍ଡଗିରି ଥାନା, କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ପରେ ଏହି ଘଟଣାରେ ୨୦୧୬ ଜୁଲାଇ ୧୦ ତାରିଖରେ ରଜନୀଙ୍କୁ ସମ୍ପୃକ୍ତ ସଂସ୍ଥା ତରଫରୁ ଫୋନ୍‌ରେ ହତ୍ୟା ଧମକ୍‌ ମିଳିଥିଲା। ଏ ନେଇ ରଜନୀ ଗୋସାଇଁନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରି ନଥିଲା। ଏହାପରେ ନ୍ୟାୟ ପାଇଁ ବହୁ ଜମାକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରି ଘଟଣାର ତଦନ୍ତ କରିବା ପାଇଁ କ୍ରାଇମ୍‌ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସଂସ୍ଥାର ଏମ୍‌ଡି ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର