ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା

ଶେରଗଡ଼ : ଗତ ବର୍ଷ ଠିକ୍‌ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କରାଗଲା। ଫଳରେ ନିର୍ବାଚନ କମିସନଙ୍କ ନିର୍ଦେଶରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ପଞ୍ଚାୟତରେ ନିର୍ବାଚନ ବାତିଲ ହୋଇ ପୁଣି ଗତ ଜାନୁଆରିରେ ନିର୍ବାଚନ ଅନୁଷ୍ଠିତ ହେଲା। ହେଲେ କୁହୁଳୁଥିବା ରାଜନୈତିକ ହିଂସା ଆଜି ପୁଣି ଉଗ୍ର ରୂପ ନେଇଛି। ଆଜି ଆଉ ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ମୁଣ୍ଡ ଗଡ଼ିଛି। ପ୍ରତିପକ୍ଷ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଆଜି ବ୍ରାହ୍ମଣଛାଇ ଗ୍ରାମର କୁଞ୍ଜ ପ୍ରଧାନଙ୍କ ପୁଅ ତଥା ଉପନିର୍ବାଚନର ପରାଜିତ ସରପଞ୍ଚ ପ୍ରାର୍ଥୀ ବୁୁଲୁ ପ୍ରଧାନ ପ୍ରାଣ ହରାଇଛନ୍ତି। ତାଙ୍କ ସହଯୋଗୀ ବନମାଳୀ ନାହାକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ବୁଲୁ ଓ ବନମାଳୀ ଚାଲି ଚାଲି ଆସୁଥିବା ବେଳେ ଗାଁ ନିକଟ କୁକୁଡ଼ାଫାର୍ମ ପାଖରେ ବସିଥିବା ଭୀମ ପୃଷ୍ଟି ଓ ତା’ର କିଛି ସମର୍ଥକ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବୁଲୁ ଭୀମକୁ ଏକ ଚାପୁଡ଼ା ମାରିଥିଲେ। ଏକଥା ଯାଇ ଭୀମ ଘରେ ଜଣାଇବା ପରେ ତା’ର ସଂପର୍କୀୟ ଓ ଆଉ କିଛି ସମର୍ଥକ ସେଠାେରେ ପହଞ୍ଚି ଉଭୟଙ୍କୁ ଠେଙ୍ଗା, କାତି ସମେତ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ବୁଲୁଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର