ପ୍ରତିଭାବାନ୍ ଫୁଟ୍‌ବଲ୍ ଖେଳାଳିଙ୍କ ଅକାଳ ବିୟୋଗ, ଭଞ୍ଜନଗର ସ୍ତବ୍ଧ

ଭଞ୍ଜନଗର : ଜାତୀୟସ୍ତରର ପ୍ରତିଭାବାନ୍ ଫୁଟ୍‌ବଲ୍ ଖେଳାଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାସିନ୍ଦା ଏ.ନରେଶ ଆଉ ନାହାନ୍ତି। ମାତ୍ର ୩୫ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ସାରା ସହରକୁ ସ୍ତବ୍ଧ କରିଦେଇଛି। ମରାଠୀ ସାହିର ମୂଳବାସିନ୍ଦା ନ‌ରେଶ କ୍ରୀଡ଼ା କୋଟାରେ ଓଏନ୍‌ଜିସି କମ୍ପାନିରେ ଚାକିରି କରିବା ସହ ବିଭିନ୍ନ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଆସୁଥିଲେ। ଆସାମର କସର୍ ଜିଲ୍ଲା ସ୍ଲିଚର ଠାରେ କାର୍ଯ୍ୟରତ ଥିଲେ। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। କିନ୍ତୁ ପାଞ୍ଚ ଦିନ ତଳେ ପେଟରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କମ୍ପାନି ପକ୍ଷରୁ ସ୍ଲିଚର୍ ଠାରେ ଥିବା ଗ୍ରିନ୍ ହିଲ୍ସ୍ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
ନରେଶଙ୍କ ମୃତ୍ୟୁ ପରେ ପରିବାରବର୍ଗ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ମୃତ୍ୟୁକୁ ୨ ଦିନ ବିତିଯାଇଥିଲେ ହେଁ, ନରେଶଙ୍କ ଶବ ଭିଟାମାଟିକୁ ପଠାଇବା ଲାଗି କମ୍ପାନି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି। ଏଥିପାଇଁ ପରିବାରବର୍ଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ ନରେଶଙ୍କ ଶବ ଆଣିବାକୁ ବାପା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ।

ଏ.ଆଲ୍‌ମାନ୍ଦ୍ରୁ ଓ ଏ.ସୁନ୍ଦରୀଙ୍କ ପୁଅ ନରେଶ ୩ ପୁଅଙ୍କ ମଧ୍ୟରେ ମଝିଆ ପୁଅ ଥିଲେ। ୨୦୧୨ ମସିହାରେ ଭଞ୍ଜନଗରରେ ହିଁ ଏ.ଆରତୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ୪ ବର୍ଷର ଝିଅଟିଏ ଅଛି। ଫୁଟ୍‌ବଲ୍ ପ୍ରତି ପିଲାଟି ଦିନରୁ ନରେଶଙ୍କ ଆଗ୍ରହ ଥିଲା। ଭଞ୍ଜନଗରରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ୮ମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଭବାନୀପାଟଣା ସ୍ପୋର୍ଟସ୍ ହ‌ଷ୍ଟେଲ୍‌ରେ ରହି ପଢ଼ିବା ପରେ ସେଠାରୁ କଟକ ବାରବାଟୀ ସ୍ପୋର୍ଟସ୍ ହଷ୍ଟେଲ୍‌ରେ ୪ ବର୍ଷ  କଟାଇଥିଲେ। ୨୦୦୬-୦୭ରେ ଓଡ଼ିଶା ଫୁଟ୍‌ବଲ୍ ଟିମ୍‌ରୁ ପ୍ରତିନିଧିତ୍ବ କରି ଲଗାତାର ୩ ଥର ସନ୍ତୋଷ ଟ୍ରଫି ଖେଳିଥି‌ଲେ। ୨୦୦୯ରେ ଓଏନ୍‌ଜିସିରେ (ପ୍ରାକୃତିକ ତୈଳ ଓ ଗ୍ୟାସ୍) ନିଗମରେ ଚାକିରି ଜୀବନ ଆରମ୍ଭ କରିଥିଲେ।

ମହାରାଷ୍ଟ୍ରରେ ତାଙ୍କର ପୋଷ୍ଟିଂ ହୋଇଥିବାରୁ ଗୋଟିଏ ବର୍ଷ ଉକ୍ତ ରାଜ୍ୟ ପକ୍ଷରୁ ମଧ୍ୟ ସେ ସନ୍ତୋଷ ଟ୍ରଫି ଖେଳି ଥିଲେ।  ଆଇ-ଲିଗ୍‌ରେ ଓଏନ୍‌ଜିସି ପକ୍ଷରୁ ୬ଟି ମ୍ୟାଚ୍ ‌ଓ ୨ଟି ଫେଡ଼େରେସନ୍ କପ୍ ସେ ଖେଳିଛନ୍ତି। ଏଥିସହ ଡୁରାଣ୍ଡ୍ କପ୍, ମୁମ୍ବାଇ ଲିଗ୍, ସିକିମ୍ ଗଭର୍ନର୍ ଗୋଲ୍‌ଡ୍ କପ୍ ଭଳି ଜାତୀୟସ୍ତରର ପ୍ରତିଯୋଗିତାରେ ଓଏନ୍‌ଜିସି ପକ୍ଷରୁ ଅଂଶଗ୍ରହଣ କରି ଉନ୍ନତମାନର ଖେଳ ପ୍ରଦର୍ଶନ କରି ନରେଶ ବେଶ୍ ସୁନାମ ଅର୍ଜନ କରିଥିଲେ।
ଗତବର୍ଷ ଛୁଟି ନେଇ ଘରକୁ ଆସିଥିବା ବେଳେ ଚଳିତବର୍ଷ ତାଙ୍କୁ ମୁମ୍ବାଇରୁ ଆସାମର ସ୍ଲିଚର୍‌କୁ ବଦଳି ହୋଇଥିବା ବଡ଼ ଭାଇ ଏ.ବିଷ୍ଣୁ କହିଛନ୍ତି। କିଛି ଦିନ ତଳେ ସେ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ପରିବାରବର୍ଗଙ୍କୁ ଅବଗତ କରିଥିଲେ। ଆଉ ଗତ ଶନିବାର ରାତିରେ ବାପାମା’ ଓ ପତ୍ନୀ ଆରତୀଙ୍କ ସହ ମୋବାଇଲ୍‌ରେ ବହୁ ସମୟ ଧରି କଥା ହୋଇଥିଲେ। ଗତକାଲି ସକାଳେ ନରେଶଙ୍କ ମୃତ୍ୟୁ ଖବର କମ୍ପାନି ପକ୍ଷରୁ ଦିଆଯିବା ପରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ଭୋକଉପାସରେ ନରେଶଙ୍କ ଶବ ଆସିବା ବାଟକୁ ପତ୍ନୀ ଓ ମା’ବାପା ଚାହିଁ ବସିଛନ୍ତି। କାନ୍ଦବୋବାଳିରେ ମରାଠୀ ସାହି ଫାଟିପଡ଼ୁଛି ।

ନ‌ରେଶଙ୍କ ସାଥୀ ଖେଳାଳି ଓ ସହରର ଅନେକ କ୍ରୀଡ଼ାବିତ୍‌ଙ୍କ କହିବାନୁସାରେ, ସେ ଜଣେ ମିଷ୍ଟଭାଷୀ ଥିଲେ। ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କର ଖେଳୁଆଡ଼ ଚିନ୍ତାଧାରା ସଭିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଉଥିଲା। ଭଞ୍ଜନଗର ଭଳି ଛୋଟ ସହରରୁ ଯାଇ ନରେଶ ଜାତୀୟସ୍ତରରେ ଯେଉଁ ଗୌରବ ଆଣିଥିଲେ ତାହା ଅଭୁଲା ରହିବ। ଘୁମୁସର ମାଟିର ଗୌରବ ଓ ଗର୍ବ ନରେଶଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି କ୍ରୀଡ଼ାବିତ୍ ମାନେ କହିଛନ୍ତି ।

ସମ୍ବନ୍ଧିତ ଖବର