ଏତେ ବଡ଼ ଦୁର୍ଘଟଣା ପଛର କାରଣ ଜଣାପଡ଼ିଲା, ସାମ୍ନାକୁ ଆସିଲା ସତ

ରଙ୍ଗେଇଲୁଣ୍ଡା: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍, ଜୀବନ୍ତ ଦଗ୍ଧ ହେଲେ ଯାତ୍ରୀ । ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ଏକ ଯାତ୍ରୀବାହୀ ବସ୍ ।  ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଗୁରୁତର ଥିବା ସୂଚନା ରହିଛି । ୨ରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି । ଦୁର୍ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ଆଉଜଣଙ୍କର ଜୀବନ ଯାଇଛି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଂଚି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟରେ ୧୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ଥିଲା ।

ସୂଚନା ଅନୁସାରେ ନିର୍ବନ୍ଧ ପାଇଁ ‘ସିଲ୍କସିଟି’ ବସରେ ବରପକ୍ଷର ୪୩ ଜଣ ଯାତ୍ରୀଙ୍କୁ ନେଇ କନ୍ୟାପକ୍ଷର ଘର ଅଭିମୁଖେ ଯାଉଥିଲା ବସଟି । ମେନ୍ଦ୍ରାଜପୁରଠାରେ ଘଟିଥିଲା ଦୁର୍ଘଟଣା । ରାସ୍ତା ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ କଂରେଟ ଲାଗିଥିଲା । ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ୬ଜଣ ମହିଳା, ୩ଜଣ ପୁରୁଷ ଥିବା ନେଇ ସୂଚନା ରହିଛି । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବିଧାୟକ ବିକ୍ରମ କେଶରୀ ଆରୁଖ ପହଂଚି ଗୁରୁତରଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି ।

କମ୍ ଉଚ୍ଚତାରେ ଥିଲା ବିଦ୍ୟୁତ ତାର

ଅନ୍ୟପଟେ ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ କରେଂଟ ଲାଗି ମୃତ୍ୟୁ ଘଟଣାର ତଦନ୍ତ କରିଛି ସାଉଥକୋ । ଯାଂଚ ପରେ ଜଣାପଡିଛି କି, ଦୁର୍ଘଟଣା ଘଟିଥିବା ସ୍ଥାନରେ ତଥା ଉକ୍ତ ଅଂଚଳରେ ନିୟମଠାରୁ କମ୍ ଉଚ୍ଚତାରେ ରହିଥିଲା ୧୧ କେଭି ବିଦ୍ୟୁତ ତାର । କାରଣ ନିୟମ ଅନୁସାରେ, ୬.୧ ମିଟର ଉଚ୍ଚରେ ବିଦ୍ୟୁତ ତାର ରହିବ କଥା କିନ୍ତୁ ଏଠାରେ ମାଟି ଠାରୁ ମାତ୍ର ୩.୧୪ ମିଟର ଉଚ୍ଚରେ ରହିଥିଲା ବିଦ୍ୟୁତ ତାର । ଯାହା ଫଳରେ ବସଟି ତାରରେ ଲାଗିଯାଇଥିଲା ଆଉ ଏତେ ବଡ ଦୁର୍ଘଟଣା ଘଟିଗଲା ।

ସମ୍ବନ୍ଧିତ ଖବର