ଛତ୍ରପୁର : କେନ୍ଦ୍ର ସରକାରଙ୍କ ରେଳସେବାର ଘରୋଇକରଣ ନିଷ୍ପତ୍ତି କୁ ବିରୋଧ କରି ଶୁକ୍ରବାରଦିନ ଓଡିଶା ରେଳ ଘରୋଇକରଣ ବିରୋଧୀ ଜନଅଭିଯାନ ଗଞ୍ଜାମ ଜିଲ୍ଲା ପକ୍ଷରୁ ୮ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।
ଭାରତୀୟ ରେଳ ହେଉଛି ଆମ ଦେଶର ସର୍ବବୃହତ ରାଷ୍ଟ୍ରାୟତ ଉଦ୍ୟୋଗ । ରେଳ ପଥ ହେଉଛି ଦେଶର ଜୀବନ ରେଖା । ଜନସାଧାରଣଙ୍କ ଗମନାଗମନଠାରୁ ଆରମ୍ଭ କରି ଖଣିଜ ସମ୍ପଦ, ଶିଳ୍ପ ଉତ୍ପାଦିତ ଦ୍ରବ୍ୟ, ଖାଦ୍ୟଶସ୍ୟ ଆଦି ମାଲ୍ ପରିବହନ କ୍ଷେତ୍ରରେ ରେଳସେବା ପ୍ରମୁଖ ଭୂମିକା ପାଳନ କରିଆସୁଛି । ବଡ଼ବଡ଼ ସହରର ଅଫିସ, ଦପ୍ତର, ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ ସର୍ବବେତନ ଭୋଗୀ ଶ୍ରମିକ କର୍ମଚାରୀଙ୍କ ପ୍ରତିଦିନ ଯାତାୟତର ଏକମାତ୍ର ସୁଲଭ ନିର୍ଭରଯୋଗ୍ୟ ମାଧ୍ୟମ ହେଉଛି ଭାରତୀୟ ରେଳସେବା । ବଡ଼ବଡ଼ ସହରକୁ ପ୍ରତିଦିନ ପରିବା, ମାଛ, ଦୁଗ୍ଧ ଯୋଗାଣ ପାଇଁ ଗରିବ ଓ କ୍ଷୁଦ୍ର ବ୍ୟବସାୟୀ ଏବଂ ହଜାର ହଜାର ସଂଖ୍ୟାରେ ସଫେଇ କର୍ମଚାରୀ, ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ବହୁ କମ୍ ରେଳଭଡ଼ା ଦେଇ ଦୈନନ୍ଦିନ ଯାତାୟତ କରିଥାନ୍ତି । ତାକୁ ବ୍ୟବହାର କରି ଘରୋଇ ଶିଳ୍ପପତି ମାଲିକମାନଙ୍କ ଲାଭ ପାଇଁ କେନ୍ଦ୍ରର ବିଜେପି ସରକାର ରେଳସେବାର ଘରୋଇକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଏହି ଘରୋଇ ଟ୍ରେନର ଯାତ୍ରାଭଡ଼ାର ଘରୋଇ ମାଲିକମାନେ ନିର୍ଦ୍ଧାରଣ କରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ରେଳ ବିଭାଗରେ ୧୦୯ଟି ରୁଟରେ ୧୫୧ଟି ଘରୋଇ ଯାତ୍ରୀବାହି ଟ୍ରେନ ଚଳାଇବାର ଘୋଷଣା ବାତିଲ କରିବା ସହିତ ରେଳସେବାର ଘରୋଇ କରଣ ସମ୍ପୂର୍ଣ୍ଣ ବନ୍ଦ କରିବା, ରେଳ ପରିବହନକୁ କ୍ଷତି ଦର୍ଶାଇ କର୍ମଚାରୀ ଛଟେଇ ବନ୍ଦ କରିବା, ସ୍ଥାୟୀ ଜାଗାରେ ଠିକା କର୍ମଚାରୀ ପ୍ରଥା ବନ୍ଦ କରିବା, ଷ୍ଟେସନଗୁଡ଼ିକୁ ଘରୋଇ କମ୍ପାନୀମାନଙ୍କୁ ଲିଜ୍ ଦେବାର ଷଡ଼ଯନ୍ତ୍ର ବନ୍ଦ କରିବା, ଷ୍ଟେସନରେ ବିକ୍ରି କରି ଷ୍ଟେସନ ଷ୍ଟାଣ୍ଡରେ ଦରବୃଦ୍ଧି/ ଫି ବୃଦ୍ଧି ମସୁଧା ବନ୍ଦ କରିବା, ରେଳ ପରିବହନ ଘରୋଇ କରଣ କରି ଯାତ୍ରୀଭଡ଼ା ବୃଦ୍ଧି ଓ ମାଲ ଭଡ଼ା ବୃଦ୍ଧି ସଙ୍ଗେ ସଙ୍ଗେ ଯାତ୍ରୀ ସବସିଡି ତଥା ବରିଷ୍ଠ ନାଗରିକ, ବିକଳାଙ୍ଗ ପାସ୍, ଛାତ୍ରଛାତ୍ରୀ ପାସ୍, ମାସିକିଆ ପାସ୍ ଆଦି ସବସିଡି ବନ୍ଦ କରି ଆଇଆରସିଟିସିରେ ସେବା ଚାର୍ଜ, ଜିଏସଟି ଚାର୍ଜ ଇତ୍ୟାଦି ଅଲଗା ନେଇ ଟିକେଟରେ ଦର ବହୁଗୁଣା କରିବା ବନ୍ଦ କରିବା, ଷ୍ଟେସନ ପରିସରରେ ଲକ୍ଷ ଲକ୍ଷ ଗରିବ, ବୁଲାବିକାଳି, ରିକ୍ସାଚାଳକ, ଅଟୋ ଚାଳକ ପ୍ରବେଶ ନିଷେଧ ବାତିଲ କରିବା, ପ୍ଲାଟଫର୍ମ ଟିକେଟ, ବାଇକ, କାର,ଅଟୋଷ୍ଟାଣ୍ଡ ଭଡ଼ା ବଢ଼ାଇବା ବନ୍ଦ କରିବା ଆଦି ୮ ଦଫା ଦାବି ନେଇ ଓଡିଶା ରେଳ ଘରୋଇକରଣ ବିରୋଧୀ ଜନଅଭିଯାନ ଗଞ୍ଜାମ ଜିଲ୍ଲା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଗଞ୍ଜାମ ଜିଲ୍ଲା ରେଳ ଘରୋଇକରଣ ବିରୋଧୀ ଜନଅଭିଯାନର ଆବାହକ ସୋମନାଥ ବେହେରା, ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ଶୁଭସ୍ମୃତି ପାଣିଗ୍ରାହୀ, କାମରାଜୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-06-at-22.26.40.jpeg)