ଧରାକୋଟ: ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତର ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ ଗତ ୪ ତାରିଖ ଦିନ ସାଙ୍ଗ ମାନଙ୍କ ସହିତ ଋଷିକୂଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ । ଏହା ପରେ ଧରାକୋଟ ଦମକଳ ବାହିନୀ ଓ ଧରାକୋଟ ପୋଲିସ ଦୁଇଦିନ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା  ମିଳିନାହିଁ । ଭାସିଯିବା ଘଟଣାକୁ ୧୦ ଦିନ ପୁରିଲା ପରେ ଆଜି ପ୍ରଶାସନର ଅବହେଳା ନେଇ ପରିବାର ଲୋକେ ଥାନାର ଦ୍ବାରସ୍ଥ  ହୋଇଛନ୍ତି ।

Advertisment

ଗତ ୪ ତାରିଖ ଦିନ ନଦୀରେ ଶୁଭମ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଦାଦା ଟୁକୁନା ପ୍ରଧାନ ଧରାକୋଟ ଥାନାରେ ଏଫଆଇଆର ଦେଇଥିଲେ । ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଗଞ୍ଜାମ ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଇଥିଲେ। ତଥାପି ଏ ପର୍ଯ୍ୟନ୍ତ ଶୁଭମର କୌଣସି ପତ୍ତା ନମିଳିବାରୁ ଆଜି ପୋଡ଼ାପଲି ଗ୍ରାମର ଶୁଭମର ମାଆ ପ୍ରମଦା ପ୍ରଧାନ, ଜେଜେ ମା କୁମାରୀ ପ୍ରଧାନ, ରୁନୁ ପ୍ରଧାନ, ଗୌରୀ ପ୍ରଧାନ, ଶୁଭସ୍ମିତା ପ୍ରଧାନ, ଅଭାଗିନୀ ପ୍ରଧାନ, ଦାଦା ଟୁକୁନା ପ୍ରଧାନଙ୍କ ସମେତ ପ୍ରାୟ ପଚାଶ ଜଣ ପୁରୁଷ ଓ ମହିଳା ଧରାକୋଟ ଥାନାରେ ପହଞ୍ଚି ଆମ ପୁଅକୁ ଖୋଜି ବାହାର କରନ୍ତୁ... ଏ ପର୍ଯ୍ୟନ୍ତ କୌଣସି ଥାନା ତରଫରୁ ଶୁଭମକୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। 

WhatsApp Image 2025-10-13 at 19.11.24

ଘଟଣା ସମ୍ପର୍କରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ଵାଇଁଙ୍କ ସହ ଯୋଗାଯୋଗ ପରେ ଆସନ୍ତାକାଲି ମଙ୍ଗଳବାର ସକାଳୁ ପୁଣି ଥରେ ଦମକଳ ବାହୀନି ସହାୟତାରେ ଖୋଜିବା କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ସେହିପରି ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ ବେଳେ ଆମକୁ ରିକ୍ୱେସନ ଦେଲେ ପୁଣି ଖୋଜିବା କାମକୁ ତ୍ବରାନ୍ବିତ କରାଯିବ ବୋଲି ପ୍ରକାଶ କରିଛନ୍ତି । ସବୁସତ୍ତ୍ୱେ ପୁଅକୁ ହରାଇବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ।