ଧରାକୋଟ (ପୂର୍ଣ୍ଣଚନ୍ଦ୍ର ନାୟକ):ଗଞ୍ଜାମଜିଲ୍ଲା ଧରାକୋଟ ବ୍ଳକର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁଵର୍ଣପୁର ଗ୍ରାମରେ ବସବାସ କରନ୍ତି ୩୦ରୁ ଊର୍ଦ୍ଧ୍ବ ପରିବାର, ଯେଉଁଥିରେ ୧୫୦ରୁ ଅଧିକ ଲୋକ ସାମିଲ ଅଛନ୍ତି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଏହି ଗାଁର ଲୋକେ ଅତ୍ୟାଧୁନିକ ଯୁଗରେ ବହୁ ପୁରୁଣାକାଳିଆ ଜୀବନଯାପନ କରନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ବହୁ ଦୂରରେ। ବିଜୁଳି ଆଲୁଅ ନଥିବାରୁ ଏହି ଗାଁର ଲୋକଙ୍କୁ ଡିବିରି, ମହମବତୀ, ଚନ୍ଦ୍ରକିରଣର ସାହାରା ନେବାକୁ ପଡ଼ିଥାଏ। ଲୋକେ ସନ୍ଧ୍ୟା ହେଲେ ନିଜନିଜ ଘରେ କବାଟ କିଳି ରହିଥିବା ବେଳେ ପ୍ରାୟ ତିରିଶି ଜଣ ଛାତ୍ରଛାତ୍ରୀ ନିକଟସ୍ଥ ସିଙ୍ଗିପୁର ଗାଁ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯାଉଛନ୍ତି।
ବିଡ଼ମ୍ବନାର ବିଷୟ ଯେ, ଅନ୍ଧାରି ଇଲାକାର ଏହି ଗାଁର ଲୋକଙ୍କୁ କିରାସିନି ଟୋପାଏ ବି ମିଳୁ ନଥିବାରୁ ଏମାନଙ୍କ ଭରସା ଏବେ ମହମବତୀ କିମ୍ବା ବତି ଆଲୁଅ। ଶିତୁଆ ରାତିରେ ଶୁଖିଲା କାଠ ଖଣ୍ଡେଖଣ୍ଡେ ଜାଳି ଏମାନେ ଶୀତ କବଳରୁ ସିନା ନିଜକୁ ବଞ୍ଚାଇ ଦିଅନ୍ତି, ହେଲେ ଦୂର କରି ପାରନ୍ତିନି ଅନ୍ଧାରକୁ। ଘରେଘରେ ପିଲେ ମହମବତୀ ଓ ବତି ଆଲୁଅରେ ପାଠ ପଢ଼ି ନିଜ ହାତରେ ନିଜ ଭବିଷ୍ୟତ ଗଢ଼ିବାକୁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି। ଏବେ ପିଲାଙ୍କ ସହ ବଡ଼ମାନଙ୍କ ଅଭିଯୋଗ ଗାଁକୁ ସରକାର ପହଂଚାନ୍ତୁ ବିଜୁଳି ଆଲୁଅ ଆମକୁ ଦିଅନ୍ତୁ।
ଗ୍ରାମର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ଅର୍ପା ଗମାଙ୍ଗ, ସବାଲ ଶବର ଓ ଫଗୁଣି ଗମାଙ୍ଗଙ୍କ ସମେତ ଅନ୍ୟମାନେ ନିଜ ନିଜର ନିତିଦିନିଆ ଅସୁବିଧା ସମ୍ପର୍କରେ ଆଲୋଚନା କରୁଥିବା ବେଳେ ୨୮ ବର୍ଷ ହେଲା ଗାଁ ବସିଲାଣି ହେଲେ ବିଜୁଳି ଆଲୁଅ ନଥିବାରୁ ବଣ ପାହାଡ଼ ଘେରା ଏହି ଉପାନ୍ତ ଗ୍ରାମର ଲୋକେ ସନ୍ଧ୍ୟାରୁ ହିଁ ରୋଷେଇ ସାରନ୍ତି। ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ପାଠ ପଢ଼ିବା ପାଇଁ। କାରଣ ଅନେକ ସମୟରେ ଗାଁକୁ ହିଂସ୍ର ଜନ୍ତୁମାନଙ୍କ ଭୟ ରହିଥିବାରୁ ଘରେ ଖାଇବା ଠାରୁ ଆରମ୍ଭ କରି ରହିବା ଶୋଇବା ସବୁକିଛି ସଅଳ ଏଠାରେ ଅନ୍ଧାରରେ କରିବାକୁ ପଡୁଛି।
/filters:format(webp)/sambad/media/media_files/2025/11/19/dharakot1-2025-11-19-19-29-48.jpg)
ସୁବର୍ଣ୍ଣପୁରରେ ବହୁ ସମସ୍ୟା
ସମସ୍ୟା ସମ୍ପର୍କରେ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରି ଗାଁଲୋକେ ଥକି ଗଲେଣି। ଗାଁକୁ ଭଲ ରାସ୍ତା ଟିଏ ନଥିବା ବେଳେ ଦେହ ଖରାପ ହେଲେ ସୋରଡା ସ୍ଵାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପାଇଁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ। ଜଳ ସେଚନର ସୁବିଧା ନଥିବାରୁ କାଙ୍ଗୁ, ସୂଆଁ, ଜନା, ମକା ଆଦି ଫସଲ କରି ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି। ଗ୍ରାମର ଏହି ଅସୁବିଧା ସମ୍ପର୍କରେ ଲୋକେ ଧରାକୋଟ ବ୍ଲକରେ ହୋଇଥିବା ଯୁଗ୍ମ ଓ ମିଳିତ ଜନଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିକୁ ଏହା ଆଣିବା ପରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା।
ଆହୁରି ପଢ଼ନ୍ତୁ: Jajpur Old Man @94: ସାଇଁ ସାଇଁ ସାଇକେଲ ଚଲାଉଛନ୍ତି, ଧାଏଁ ଧାଏଁ ଧାନ କାଟୁଛନ୍ତି... ଫକୀର ମଉସାଙ୍କ ଆଗରେ ହାର ମାନିଯିବେ ଯୁବକ
ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ବୈଠକରେ ଏହାର ତୁରନ୍ତ ସୁବର୍ଣ୍ଣପୁର ଗାଁର ବିଜୁଳି ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଦିନ ଧରାକୋଟ ବିଡିଓ ସଂଗ୍ରାମ କେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ପ୍ରଧାନ, ବିଦ୍ୟୁତ ବିଭାଗ ନୋଡାଲ ଅଧିକାରୀ ଚନ୍ଦନ ଦାସ, ଡିଜିଏମ ଜୟଶ୍ରୀ ସାହୁ, ଏସ୍ଇ ପ୍ରଭାତ କର, ପ୍ରକଳ୍ପ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ, ନିର୍ବାହୀ ଅଧିକାରୀ ଜଗତଜିତ ଦାସ ମହାପାତ୍ର, ନିର୍ବାହୀ ଅଧିକାରୀ ଅମିତ ଗର୍ଗ, ସୋଲାର ଏସ୍ଇ ପ୍ରିୟଦର୍ଶୀ ବେହେରା, ଏସ୍ଡି ଓ କାଳୀ ଚରଣ ନନ୍ଦ, କନିଷ୍ଠ ଯନ୍ତ୍ରୀ ତୁଷାର ପାଢ଼ୀ ପ୍ରମୁଖ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ବିଦ୍ୟୁତ ଖୁଣ୍ଟ ପୋତିବା କାମ ଆରମ୍ଭ ହୋଇଛି। ୨୮ ବର୍ଷ ପରେ ଆଲୁଅ ଗାଁରେ ଜଳିବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଖୁସି ସଂଚାର ହେବାସହ ଲୋକେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆହୁରି ପଢ଼ନ୍ତୁ: Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/19/dharakot-2025-11-19-19-21-11.jpg)