ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅଧୀନ ସୁନାପୁର ଠାରେ ଥିବା ବାହୁଦା ମୁହାଣରେ ରାଜ୍ୟର ସବୁଠାରୁ ବଡ଼ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି। ୧୫୦ ଏମଟିପିଏ କାର୍ଗୋ ପରିବହନ କ୍ଷମତା ସହିତ ଏହି ବନ୍ଦର ଗଞ୍ଜାମ ଜିଲ୍ଲାର ଆର୍ଥିକ ନକ୍ସାକୁ ପରିବର୍ତ୍ତନ କରିବ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଏହି ପ୍ରକଳ୍ପ ରାଜ୍ୟର ବର୍ତ୍ତମାନ ରହିଥିବା ଧାମରା ବନ୍ଦର, ପାରାଦୀପ ବନ୍ଦର ଓ ଗୋପାଳପୁର ବନ୍ଦର ଠାରୁ ବଡ଼ ହେବ ବୋଲି କୁହାଯାଉଛି।
ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମିହାନ୍ତିଙ୍କ ଅନୁସାରେ, ୧୬୯୮ରୁ ୧୭୦୯ ମଧ୍ୟରେ ଏଠାରୁ ୧୨ଟି ଜାହାଜ ବାଣିଜ୍ୟ କରୁଥିଲା। ୧୭୧୦ ଓ ୧୭୧୪ରେ କ୍ରମେ ୨୦ ଓ ୧୮ଟି ଜାହାଜ ମାଡ୍ରାସ ବନ୍ଦରକୁ ଯାଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ମଧ୍ୟ ବହୁ ପଣ୍ୟ ଜାହାଜ ଏଠାରୁ ବାଣିଜ୍ୟ କରୁଥିଲା। ସେ ସମୟରେ ଓଡ଼ିଆ, ତେଲୁଗୁ ଓ ମୁସଲମାନ ବଣିକମାନଙ୍କ ଜାହାଜ ଏଠାରୁ ଚାଲୁଥିଲା। ଓଡ଼ିଆ ବଣିକମାନେ ତାଙ୍କ ଇଷ୍ଟଦେବଙ୍କ ନାମରେ ‘ଶମ୍ଭୁଶିବ’, ‘ଭବାନୀ ଶଙ୍କର’, ‘ଗୃହଲକ୍ଷ୍ମୀ’, ‘ଅର୍ଣ୍ଣପୂର୍ଣ୍ଣା’ ପରି ଜାହାଜ ନାମକରଣ କରୁଥିଲେ।
ଜମି ହସ୍ତାନ୍ତର ଓ ତ୍ରିପାକ୍ଷିକ ଚୁକ୍ତି
ପ୍ରକଳ୍ପ ପାଇଁ ୫ ହଜାର ଏକର ଲୁଣ ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର ହୋଇଛି। ଏହାସହ ଆନ୍ଧ୍ର ଅଞ୍ଚଳରେ ଥିବା ୧୭୪୧ ଏକର ଜମିକୁ ମଧ୍ୟ ସଂଯୋଜନ କରାଯିବ। ଗତ ୧୯ ସେପ୍ଟେମ୍ବରରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି।
ନିଯୁକ୍ତି ଓ ଢାଞ୍ଚାଗତ ସୁବିଧା
ବନ୍ଦର ପ୍ରତିଷ୍ଠା ପରେ ଶତାଧିକ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ ବୋଲି ଆଶା କରାଯାଉଛି। ବନ୍ଦର ନିକଟରେ ଜାତୀୟ ରାଜପଥ ଓ ରେଳପଥ ଯୋଗାଯୋଗ ଥିବାରୁ ଜଳପଥ, ସଡ଼କ ଓ ରେଳପଥ ମାଧ୍ୟମରେ ସହଜରେ ମାଲ ପରିବହନ ସମ୍ଭବ ହେବ। ପରିଦର୍ଶନ ସମୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା ଓ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଉପସ୍ଥିତ ଥିଲେ।
ବନ୍ଦର ଆରମ୍ଭ ପୂର୍ବରୁ ରାଜନୈତିକ ତର୍କ
ପରିକଳ୍ପନା ସ୍ଥଳରେ ବିଧାୟକ ଓ ମନ୍ତ୍ରୀଙ୍କ ମଧ୍ୟରେ ତୁ-ତୁ, ମେଁ-ମେଁ ଘଟଣା ଘଟିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ସାଧାରଣ ମଣିଷଙ୍କୁ ଚକିତ କରିଛି। ବନ୍ଦର ନିର୍ମାଣ ପୂର୍ବରୁ ଏହି ପ୍ରକାର ରାଜନୈତିକ ତଣାତଣି ଚର୍ଚ୍ଚାକୁ ଜୋର ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/28/untitled-16-2026-02-28-18-57-18.jpeg)