ବିଲ୍‌ଡର୍‌ଙ୍କୁ ହତ୍ୟା ପାଇଁ ସୁପାରି

୩ ଜଣ ଗିରଫ, ଜଣେ ଫେରାର, ବନ୍ଧୁକ, ଗୁଳି, ବାଇକ୍‌ ଜବତ

ବ୍ରହ୍ମପୁର/ଗୋଳନ୍ଥରା : କ୍ରାଇମ୍‌ ସିଟି ବ୍ରହ୍ମପୁରରେ ପୁଣି ଏକ ହାଇପ୍ରୋଫାଇଲ୍‌ ସୁପାରି ହତ୍ୟା ଷଡ଼ଯନ୍ତ୍ରକୁ ଠିକ୍‌ ସମୟରେ ପଣ୍ଡ କରିଦେଇଛି ପୁଲିସ। ଜେଲ୍‌ ଫେରନ୍ତା ଅପରାଧୀଙ୍କୁ ନେଇ ଏକ ଚାରିଜଣିଆ ଗ୍ୟାଙ୍ଗ୍‌ ସହ ଏଥିପାଇଁ ଡିଲ୍‌ ହୋଇଥିଲା। ଏଥର ସହରର ଜଣେ ଜଣାଶୁଣା ବିଲ୍‌ଡର୍‌ଙ୍କ ମୁଣ୍ଡ ଗଡ଼ିଥାନ୍ତା। ହେଲେ ପୁଲିସ ଏହି ଯୋଜନାକୁ ଟାଳିବାରେ ସକ୍ଷମ ହୋଇଛି। ଗୋଳନ୍ଥରା ପୁଲିସ ବ୍ରହ୍ମପୁର ସହର ଉପକଣ୍ଠ ତୁଳୁ ଛକରେ ଚଢ଼ଉ କରି ଏକ ଚୋରା ବାଇକ୍‌ ସହିତ ଧରା ପଡ଼ିଥିବା ୩ଜଣ ଦୁର୍ଦ୍ଦାନ୍ତ ସୁପାରି କିଲର୍‌ଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଖସିଯାଇଛି। ଗିରଫ ଅପରାଧୀଙ୍କୁ ଜେରା ପରେ ବିଲ୍‌ଡର୍‌ଙ୍କୁ ହତ୍ୟା ପାଇଁ ହୋଇଥିବା ଡିଲ୍‌ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପୁଲିସ ଏମାନଙ୍କ ନିକଟରୁ ଏକ ବନ୍ଧୁକ, ଗୁଳି ମଧ୍ୟ ଜବତ କରିଛି। ଗିରଫ ତିନି ଜଣ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁର ଅନୀଲ ନାୟକ, ରଣ୍ଢାର ସୁକାନ୍ତ ସାହୁ ଓ ବିରାଜ ରାଉଳ। ଘଟଣାସ୍ଥଳରୁ ରଣ୍ଢାର ଜିତୁ ରାଉଳ ଚମ୍ପଟ ମାରିଛି। ତା’ ନିକଟରେ ବି ଏକ ପିସ୍ତଲ ଥିଲା ବୋଲି ଗିରଫ ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତି।

ଗୋଳନ୍ଥରା ଥାନା ଅଧୀନ ବ୍ରହ୍ମପୁର ଉପକଣ୍ଠ ତୁଳୁ ଛକ ନିକଟରେ କିଛି ଯୁବକ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ପୁଲିସ ଖବର ପାଇଥିଲା। ସେ ନେଇ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ ବାହିନୀ ଛକ ଚାରିପଟୁ ଘେରାବନ୍ଦୀ କରିଥିଲା। ହେଲେ ଜିତୁ ପୁଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା। କିନ୍ତୁ ପୁଲିସ ଅନ୍ୟ ୩ଜଣଙ୍କୁ ମାଡ଼ି ବସିଥିଲା। ଅନୀଲ, ସୁକାନ୍ତ ଓ ବିରାଜକୁ ଥାନାକୁ ନେଇ ଜେରା ପରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଥିଲେ। ସହରର ଜଣେ ନିର୍ଦ୍ଦିଷ୍ଟ ଅପରାଧୀର ଇଙ୍ଗିତରେ ଏମାନେ ଗୋସାଇଁ ନୂଆଗାଁ ଅଞ୍ଚଳର ଜଣେ ଜଣାଶୁଣା ବିଲ୍‌ଡର୍‌ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ ବୋଲି ଗୋଳନ୍ଥରା ଥାନା ଅଧିକାରୀ ଜେନା କହିଛନ୍ତି। ଜିତୁ, ତାର ଭଣଜା ବିରାଜ, ଅନୀଲ ଓ ସୁକାନ୍ତ ସମ୍ପୃକ୍ତ ବିଲ୍‌ଡର୍‌ଙ୍କୁ ହତ୍ୟା କରିବାକୁ ଡିଲ୍‌ କରିଥିଲେ। ଗତକାଲି ସଂଧ୍ୟାରେ ଡିଲ୍‌ ଫାଇନାଲ୍‌ ହୋଇଥିଲା।

ପୁଲିସକୁ ଚକ୍‌ମା ଦେବା ପାଇଁ ଏମାନେ ଏକ ନମ୍ବର ବିହୀନ ଚୋରା ଗାଡ଼ି ବ୍ୟବହାର କରିଥାନ୍ତେ। ପୁଲିସ ତାହାକୁ ଜବତ କରିଛି। ସେହି ଗାଡ଼ିର ପ୍ରକୃତ ମାଲିକଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ, ଗୁଳି ଜବତ ହୋଇଛି। ଅନୀଲ ଓ ସୁକାନ୍ତ ଗତ କିଛିମାସ ତଳେ ଜେଲ୍‌ରୁ ବାହାରିଥିଲେ। ବିରାଜ ତାର ମାମୁ ଜିତୁ ଜରିଆରେ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲା ବୋଲି ପୁଲିସ ଆଗରେ କହିଛି। ବିଲ୍‌ଡର୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଛରେ ଯେଉଁ ବଡ଼ ଅପରାଧୀର ହାତ ରହିଛି ସେ ସମ୍ପର୍କରେ ପୁଲିସ ସୂଚନା ପାଇ ସାରିଛି। ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। କେସ୍‌ ନମ୍ବର ୧୯୧/୧୭ ଦଫା ୩୭୯/୪୧୧/୩୪ ଓ ୨୫ ଏବଂ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ବଳରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ସ୍ଥଳେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର