ଏମ୍‌କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ

ଚମ୍ପଟ ମାରିଥିବା ଯୁବକ ଫେରିଲେ, ଦୁଇ ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌, କରୋନା ସନ୍ଦିଗ୍ଧ ଯୁବକ ଫୁଲବାଣୀ ଡାକ୍ତରଖାନାରୁ ଚମ୍ପଟ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଜି ପୁଣି ଜଣେ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜନୈକା ୭୦ବର୍ଷୀୟ ବୃଦ୍ଧା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ତାଙ୍କର ସ୍ବାବ ସଂଗ୍ରହ କରାଯା‌ଇ ପରୀକ୍ଷା ପାଇଁ ପଠାଯିବ। ସେପଟେ ୱାର୍ଡ଼ରୁ ଚମ୍ପଟ ମାରିଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ଜଣେ କରୋନା ସନ୍ଦିଗ୍ଧ ଯୁବକ ଗତକାଲି ରାତିରେ ଡାକ୍ତରଖାନା ଫେରିଛନ୍ତି। ପୂର୍ବରୁ ଚିକିଟିର ଜଣେ ଓ କୃଷ୍ଣପ୍ରସାଦ ବ୍ଲକ୍‌ର ସମ୍ପୃ୍କ୍ତ ଯୁବକଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ନି‌ମନ୍ତେ ଭୁବନେଶ୍ବର ପଠା ଯାଇଥିଲା। ସେମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବା ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ତେବେ ଉଭୟ ରୋଗୀଙ୍କୁ ଡିସ୍‌ଚାର୍ଜ କରାଯାଇ ନାହିଁ। ସେମାନେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଦିଗପହଣ୍ଡି ଅଞ୍ଚଳର ଜନୈକା ବୃଦ୍ଧା ଗତ କିଛିଦିନ ହେଲା ରାଜସ୍ଥାନର ମାଉଣ୍ଟ୍‌ଆବୁ ଯାଇଥିଲେ। ସେଠାରେ ତାଙ୍କର ଦେହ ଅସୁସ୍ଥ ହୋଇ ଜ୍ବର, କାଶ ହୋଇଥିଲା। ୫ଦିନ ତଳେ ସେ ଘରକୁ ଫେରିଥିଲେ। ଏହାପରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଦେହ ଭଲ ନହେବାରୁ ଆଜି ଅପରାହ୍‌ଣରେ ତାଙ୍କୁ କରୋନା ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ଆଜି ସୁଦ୍ଧା ବଡ଼ ଡାକ୍ତରଖାନା କରୋନା ୱାର୍ଡ଼ରେ ମୋଟ ୪ଜଣ ସନ୍ଦିଗ୍ଧ ରହିଛନ୍ତି। ଅଦ୍ୟାବଧି କାହାରି ରିପୋର୍ଟ ପଜିଟିଭ୍‌ ଆସି ନାହିଁ। ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମେଡିକାଲ ପ୍ରଶାସନ ତରଫରୁ କୁହାଯାଇଛି।

କରୋନା ସନ୍ଦିଗ୍ଧ ଯୁବକ ଫୁଲବାଣୀ ଡାକ୍ତରଖାନାରୁ ଚମ୍ପଟ
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କରୋନା ସନ୍ଦିଗ୍ଧ ଯୁବକ ଚମ୍ପଟ ମାରିଛି। ବାଲିଗୁଡ଼ା ଅଞ୍ଚଳର ଏହି ଯୁବକ ଜଣକ କେରଳରେ କାମ କରୁଥିଲେ। ଥଣ୍ଡା ଓ ଜ୍ବର ଲାଗି ରହିବାରୁ ସେ ନିକଟରେ ଘରକୁ ପଳାଇ ଆସିଥିଲେ। ଔଷଧ ଓ ଘରୋଇ ଚିକିତ୍ସା ପରେ ଦେହ ଭଲ ନ ହେବାରୁ ନିଜେ ଆସି ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଡାକ୍ତରଙ୍କ ସ୍ବତନ୍ତ୍ର ଦେଖାଶୁଣାରେ ରହି ଚିକିତ୍ସିତ ହେଉଥିବା ଯୁବକ ଜଣକ କାହାରିକୁ ନ ଜଣାଇ ଗତକାଲି ବିଳମ୍ବିତ ରାତିରେ କେଉଁ ଆଡ଼େ ପଳାଇ ଯାଇଥିଲେ। ଆଜି ସକାଳେ ଏହା ଜଣାପଡ଼ିବା ପରେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଯୁବକ ଜଣଙ୍କୁ ଠାବ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର