ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠରେ ମାତ୍ର ଅଧଘଣ୍ଟା ବ୍ୟବଧାନରେ ଦୁଇଟି ପୃଥକ୍‌ ଦୁର୍ଘଟଣା ଘଟି ତିନିଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଫୁଲବାଣୀର ଶିବାଜୀ କହଁର(୨୨), ମୟୂରଭଞ୍ଜର ରବି ନାୟକ(୨୪) ଓ ଚିକିଟି ପିତାତଳି ଗ୍ରାମର ଅଚ୍ୟୁତ ଗୌଡ଼(୫୦) ବୋଲି ସୂଚନା ମିଳିଛି। ସେହିପରି ଉଭୟ ଘଟଣାରେ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ନିକଟସ୍ଥ ଏକ କୁକୁଡ଼ା ଫାର୍ମ ନିକଟରେ ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏକ ବୋରୱେଲ୍‌ ଖୋଳା ଗାଡ଼ି ଦୁର୍ଘଟଣାଗସ୍ତ ହୋଇ ରାସ୍ତା କଡ଼କୁ ଖସି ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ୬ଜଣ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଶ୍ରମିକ ଶିବାଜୀ ଓ ରବି। ଘଟଣା ପରେ ଡ୍ରାଇଭର୍‌ ସେଠାରୁ ଫେରାର୍‌ ହୋଇଯାଇଛି। ଗାଡ଼ିଟି ବ୍ରହ୍ମପୁର ପଟୁ ଦ୍ରୁତଗତିରେ ଯାଉଥିବା ବେଳେ ଗୁରୁଣ୍ଠି ରାସ୍ତାର ବୁଲାଣିରେ ସମ୍ମୁଖରୁ ଜଣେ ସାଇକେଲ ଚାଳକ ଆସୁଥିଲେ। ଫଳରେ ଡ୍ରାଇଭର୍‌ ଗାଡ଼ିର ଭାରସାମ୍ୟ ହରାଇ ସାଇକେଲ ଚାଳକଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ଘଟଣାରେ ସାଇକେଲ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସାଇକେଲ ଚାଳକଙ୍କ ସମେତ ୬ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: IND vs ZIM T20: ସୁପର-୮ ମୁକାବିଲାରେ ଭାରତ ବିଜୟୀ, ଲଢ଼େଇ କରି ଜିମ୍ବାୱେକୁ ଜିତାଇ ପାରିଲେନି ବ୍ରାଏନ୍‌

ସେହିପରି ରାତି ପ୍ରାୟ ୮ ବେଳେ ସହର ଉପକଣ୍ଠ ଜାତୀୟ ରାଜପଥ-୧୬ ଖଜୁରିଆ ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଓଭର୍‌ଟେକ୍‌ କରିବା ବେଳେ ଏକ ଡାଲା ଅଟୋ ସମ୍ମୁଖରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ଡାଲା ଅଟୋ ଓଲଟି ପଡ଼ିବାରୁ ଡ୍ରାଇଭର୍‌ ଅଚ୍ୟୁତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାଇକ୍‌ ଚାଳକ ଲାଞ୍ଜିପଲ୍ଲୀ କୃଷ୍ଣନଗରର ଆଶୁତୋଷ ଗୌଡ଼ ଆହତ ହୋଇଛନ୍ତି। ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟେ ଜାତୀୟ ରାଜପଥ ଦେଇ ଲାଞ୍ଜିପଲ୍ଲୀ ପଟେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।