କରୋନାରେ ଥାଏରଏଡ୍‌ ରୋଗୀଙ୍କ ଚିକିତ୍ସା

ଡାକ୍ତର ପି. ରବି କୁମାର

ବ୍ରହ୍ମପୁର : ବର୍ତ୍ତମାନ ଆମ ଦେଶରେ ଗଳଗଣ୍ଡ (ଥାଏରଏଡ୍‌) ରୋଗ ଏକ ସାଧାରଣ ରୋଗ ଭାବରେ ଦେଖାଦେଇଛି। ଏହି ରୋଗରେ ସାଧାରଣତଃ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ୩ରୁ ୪ଗୁଣା ଅଧିକ ଆକ୍ରାନ୍ତ ହୋଇଥାନ୍ତି। ଏହା ମୁଖ୍ୟତଃ ଦୁଇଭାଗରେ ବିଭକ୍ତ ଯଥା: ହାଇପୋଥାଏରଏଡିଜିମି ଓ ହାଇପର୍‌ଥାଏରଏଡିଜିମ।

ଶରୀରରେ ଥାଇରଏଡ୍‌ ହରମୋନର କମ୍‌ ଉତ୍ପତ୍ତି ହେଲେ ହାଇପୋଥାଏରଏଡିଜିମି ଏବଂ ଅଧିକ ଉତ୍ପତ୍ତି ହେଲେ ହାଇପର୍‌ଥାଏରଏଡିଜିମି ରୋଗ ହୋଇଥାଏ। ଆମ ଦେଶରେ ଶତକଡ଼ା ୧୦ରୁ ୧୫ଭାଗ ଲୋକମାନଙ୍କ ପାଖରେ ହାଇପୋଥାଏରଏଡିଜିମି ଏବଂ ଶତକଡ଼ା ୨ରୁ ୩ଭାଗ ଲୋକମାନଙ୍କ ପାଖରେ ହାଇପର୍‌ଥାଏରଏଡିଜିମି ଦେଖାଯାଇଥାଏ।
ହାଇପୋଥାଏରଏଡିଜିମିର ଲକ୍ଷଣ ଗୁଡ଼ିକ ହେଲା:

ଓଜନ ବୃଦ୍ଧି ହେବା
ମାଂସପେଶୀରେ ଯନ୍ତ୍ରଣା
ଦୁର୍ବଳ ବା କ୍ଳାନ୍ତି ଅନୁଭବ କରିବା
ଅଳସୁଆ ଲାଗିବା ଏବଂ ଋତୁସ୍ରାବରେ ଅନିୟମିତତା
ହାଇପର୍‌ଥା ଏରଏଡିଜିମି ଲକ୍ଷଣ ଗୁଡ଼ିକ ହେଲା:
ଓଜନ ହ୍ରାସ ପାଇବା
ଛାତି ଧଡ଼ଧଡ଼ ହେବା
ହାତ ଥରିବା ଏବଂ ଝାଳ ବାହାରିବା

ବର୍ତ୍ତମାନ ଆମ ଦେଶରେ କରୋନାର ଦ୍ବିତୀୟ ଲହର ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଏହାର ପ୍ରଭାବ ଥାଇରଏଡ୍‌ ରୋଗୀଙ୍କ କ୍ଷେତ୍ରରେ କିପରି ଭାବରେ ପଡ଼ିଥାଏ, ତାହା ଜାଣିବା ନିତାନ୍ତ ଆବଶ୍ୟକ। ସୌଭାଗ୍ୟବଶତଃ କରୋନା ଭୂତାଣୁ ଥାଇରଏଡ୍‌ ରୋଗୀମାନଙ୍କୁ ସାଧାରଣ ଲୋକମାନଙ୍କ ଅପେକ୍ଷା ଅଧିକ ସଂକ୍ରମଣ କରିନଥାଏ। ସାଧାରଣ ଲୋକମାନେ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥାନ୍ତି, ସେତେବେଳେ ଶତକଡ଼ା ୧୫ରୁ ୨୦ଭାଗ ଲୋକ ହାଇପର୍‌ଥାଏରଏଡିଜିମରେ ଆକ୍ରାନ୍ତ ହୋଇଥାନ୍ତି। ଏହା ବିଶେଷତଃ ଯୁବକ ଏବଂ ପୁରୁଷମାନଙ୍କ ପାଖରେ ଅଧିକ ଦେଖାଯାଇଥାଏ। ଏହା ୩ମାସ ମଧ୍ୟରେ ଆପେ ଆପେ କମିଯାଇଥାଏ। ମାତ୍ର କିଛି ଲୋକଙ୍କ କ୍ଷେତ୍ରରେ ଏହି ଗଳଗଣ୍ଡ ରୋଗ କମିବା ପାଇଁ ୬ମାସରୁ ୧ବର୍ଷ ସମୟ ଲାଗିଥାଏ। ଏଣୁ ଏହି ରୋଗୀମାନେ କ୍ରମାଗତ ଭାବରେ ୩ମାସ/୬ମାସ ଏବଂ ୧ବର୍ଷ ବ୍ୟବଧାନରେ ଥାଇରଏଡ୍‌ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ।

ଆସୋସିଏଟ୍ ପ୍ରଫେସର୍‌ , ଅନ୍ତଃସ୍ରାବ ବିଭାଗ
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବ୍ରହ୍ମପୁର

ସମ୍ବନ୍ଧିତ ଖବର