ଭଞ୍ଜନଗର : ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭଞ୍ଜନଗର : ଜୀବନକୁ ଭଲ ଭାବେ ଚିହ୍ନି ଜୀଇଁବା ଆଗରୁ ଲିଭିଗଲା ଦୁଇଟି କୋ୍ମଳ ମତି ଝିଅଙ୍କ ଜୀବନ ଦୀପ। ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ବାପା ମାଁ ନିଜର ଦୁଇଟି ଝିଅଙ୍କ ଏକା ସଙ୍ଗରେ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ବାପା ମାଁଙ୍କ ଛାତି ଫଟା ଚିତ୍କାରରେ ଆଜି ଡାକ୍ତରଖାନା ପରିସର ପୂରା ସ୍ତବ୍ଧ ହୋଇଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ନୂଆଗଡ ପୁଷ୍ପନଗର ଗ୍ରାମରେ। ଗ୍ରାମର ସୁଧାଂଶୁ ପାତ୍ରଙ୍କ ବଡ ଝିଅ ସ୍ନେହଲତା ପାତ୍ର(୧୦) ଓ ସାନଝିଅ ସୁଜ୍ଞାନୀ ପାତ୍ର(୬) ଆଜି ସକାଳେ ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ଉଭୟ ଭଉଣୀକୁ ମୃତ ଘୋଷଣା କରିଥଲେ। ଉଭୟ ଭଉଣୀଙ୍କ କିଭଳି ମୃତ୍ୟୁ ହେଲା ତାହାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବିଷାକ୍ତ ଜନ୍ତୁ କାମୁଡିବା ଦ୍ବାରା ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ,ସୁଧାଂଶୁ ଓ ତାଙ୍କର ପତ୍ନୀ ସଂନ୍ଧ୍ୟାରାଣୀ ବଡ ଝିଅ ସ୍ନେହଲତା,ମଝିଆ ଝିଅ ଶୀବାନୀ ଓ ସାନଝିଅ ସୁଜ୍ଞାନୀକୁ ନେଇ ପୁଷ୍ପନଗରରେ ରହିଆସୁଥିଲେ। ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବା ବେଳେ ସୁଧାଂଶୁ ସୁରତରେ ରହି କାମ କରୁଥିଲେ। ସେ ଗତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ଗାଁକୁ ଆସିଥିବା ବେଳେ ଘର ସାମ୍ନାରେ ଛୋଟ ଦୋକନଟିଏ କରି ପରିବାର ପ୍ରତି ପୋଷଣ କରୁଥିଲେ। ଗତକାଲି ରାତିରେ ନିଜର ତିନି ଝିଅଙ୍କ ସହିତ ସମସ୍ତେ ମିଶି ଖାଇପିଇ ଶୋଇଥିଲେ। ସକାଳୁ ଉଠି ସଂନ୍ଧ୍ୟାରାଣୀ ଗାଧୋଇବା ପାଇଁ ଯାଇଥିଲେ। ସେହି ସମୟରେ ବଡ ଝିଅ ସ୍ନେହଲତା ହଠାତ୍ ଉଠି ଛାତିରେ ଯନ୍ତ୍ରଣା ହେବା କଥା ବାପା ସୁଧାଂଶୁଙ୍କୁ କହିଥିଲା । ଏହାସହ ଗଳାରେ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥିବା ପ୍ରକାଶ କରିଥିଲେ। ଏହା ଭିତରେ ସାନ ଝିଅ ସୁଜ୍ଞାନୀର ମଧ୍ୟ ସମାନ୍ ଅସୁବିଧା ହୋଇଥିବା ଜଣାଇଥିଲା। ଦୁହେଁ ଗୁରୁତର ହୋଇଯିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ ଅସୁବିଧା ହେବାସହ ପାଟିରୁ ଫେଣ ବାହାର କରିଥିବା ବାପା ସୁଧାଂଶୁ କହିଛନ୍ତି। ଉଭୟେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ବାପା ମା ଉଭୟ ଝିଅଙ୍କୁ ନିକଟସ୍ଥ ଏକ ଜାନୀ ପାଖକୁ ଝାଶଡଫୁଙ୍କ ଓ ଘରୋଇ ଉପଚାର କରିବାକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ଭୁଲାନ୍ସ ମାଧ୍ୟମରେ ଉଭୟଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥଲେ। ଡାକ୍ତର ସେଠାରେ ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଝିଅଙ୍କ ମୃତ୍ୟୁ ଖବର ଶୁଣି ପାଗଳ ପ୍ରାୟ ହୋଇଯାଇଥିଲେ ବାପା ମା । ଝିଅମାନଙ୍କ ପୂର୍ବରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା ବେଳେ ଗତ ରାତିରେ କାକୁଡି ସହ ଗରମ ଭାତ ଡାଲି ଖାଇ ତିନି ଝିଅ ଶୋଇଥିଲେ। ମଝିଆ ଝିଅ ଶୀବାନିର ସ୍ୱାସ୍ଥ୍ୟ ଠିକ୍ ଥିବା ସୁଧାଂଶୁ କହିଛନ୍ତି। କେଉଁ କାରଣରୁ ଦୁଇ ଝିଅଙ୍କ ହଠାତ୍ ମୃତ୍ୟୁ ହେଲା ଜଣାପଡିନଥିବା ବେେଳେ କୌଣସି ବିଷାକ୍ତ ଜନ୍ତୁ କାମୁଡାରେ ଉଭୟ ଝିଅଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିବା ସୁଧାଂଶୁ କହିଛନ୍ତି। ସୋରଡା ପୁଲିସ୍ ଉଭୟ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର