ଅନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ଦୁଇ ଗିରଫ

କାର୍‌କୁ ଗୁଳି କରି ନାରାୟଣୀ ରାସ୍ତାରେ ଡକାୟତି ଘଟଣା

ମାଉଜର୍‌, ବାଇକ୍‌, ସୁନା ଅଳଙ୍କାର ଜବତ

ଖଲ୍ଲିକୋଟ : ଗତ ବର୍ଷ ମେ ୫ରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନାରାୟଣୀ ପୀଠ ରାସ୍ତାରେ କାର୍‌ ଉପରକୁ ଗୁଳି ଚଳାଇ ଡକାୟତି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ବଳରାମ ଡାକୁଆ ଓ ଜଟଣୀ ଥାନା ନିରୁମଳା ଗ୍ରାମର ଗାଣ୍ଡୁ ମହାନ୍ତି। ଉଭୟେ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ର ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି। ବଳରାମକୁ ଗତକାଲି କଇରାଶି ଗ୍ରାମ ଏବଂ ଗାଣ୍ଡୁକୁ ନାରାୟଣୀ ଛକରୁ ସ୍ୱତନ୍ତ୍ର ଟିମ୍‌ ଗିରଫ କରିଛନ୍ତି। ଉଭୟଙ୍କ ପାଖରୁ ମାଉଜର୍‌, ଗୁଳି ଓ ପଲସର୍‌ ବାଇକ୍‌ ଜବତ ହୋଇଛି। ସେହିପରି ସେମାନଙ୍କ ଠାରୁ ଲୁଟ୍‌ ସୁନା ଅଳଙ୍କାର କିଣିଥିବା ବାଣପୁରର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ସୁନାଚେନ୍‌, ଦୁଇଟି ମୁଦି ଓ ଗୋଟିଏ କାନଫୁଲ ଜବତ ହୋଇଛି।

ସ୍ୱତନ୍ତ୍ର ଟିମ୍‌ ତଦନ୍ତରୁ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ। ତେବେ ଗତ ଏକ ବର୍ଷ ହେଲା ପୁଲିସ ବଳରାମ ଓ ଗାଣ୍ଡୁଙ୍କୁ ଖୋଜୁଥିଲା। ଏହି ମାମଲାରେ ସଂପୃକ୍ତ ସୁରେଶ ଗଜେନ୍ଦ୍ର ଓ ବାବୁ ମାଝୀ ପୂର୍ବରୁ ଗିରଫ ହୋଇ ବାଣପୁର ଜେଲ୍‌ରେ ଥିବା ବେଳେ ରଶ୍ମିରଂଜନ ପାତ୍ର ବର୍ତମାନ ସୁଦ୍ଧା ଫେରାର୍‌ ରହିଛି। ଏ ନେଇ ଅତିରିକ୍ତ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ପ୍ରୋବେସନାରୀ

ଏସ୍‌ପି ନିବେଦତା ସୋରେନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଏହି ଡକାୟତ ଗ୍ୟାଙ୍ଗ୍‌ ସକ୍ରିୟ ରହିଥିଲା। ବିଶେଷ କରି ଏମାନେ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିକୁ ଟାର୍ଗେଟ କରୁଥିଲେ। ଫେରାର୍‌ ପଞ୍ଚମ ଅଭିଯୁକ୍ତ ରଶ୍ମିରଂଜନକୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଘଟଣା ଦିନ ଛତ୍ରପୁରରକୁ ଏକ ଭୋଜିକୁ ଆସିଥିବା ଭୁବନେଶ୍ୱରର ହିମାଞ୍ଚଳ ସାହୁ, ତାଙ୍କ ପତ୍ନୀ ସ୍ମୃତିସାଗରିକା ସାହୁ, ହିମାଞ୍ଚଳଙ୍କ ଶାଳକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାଶ ଲୁଟ୍‌ର ଶିକାର ହୋଇଥିଲେ। ଭୋଜି ସାରି ଅପରାହ୍‌ଣ ପ୍ରାୟ ଦୁଇଟାରେ ଭୁବନେଶ୍ୱର ଅଭିମୁଖେ ବାହାରି ଥିଲେ। ପଛରେ ହିମାଞ୍ଚଳଙ୍କ ଶାଳକ ସ୍ମୃତିରଂଜନ ଓ ସଂପର୍କୀୟ ମାନେ ଆଉ ଏକ ବୋଲେରୋ ଗାଡ଼ିରେ ଯାଉଥିଲେ। ଅପରାହ୍‌ଣ ପ୍ରାୟ ସାଢେ ୩ଟା ବେଳେ ନାରାୟଣୀ ପୀଠ ଦର୍ଶନ ପାଇଁ ଯିବାକୁ ହିମାଞ୍ଚଳ ମନସ୍ଥ କରିଥିଲେ। ଜାତୀୟ ରାଜପଥରୁ ମନ୍ଦିର ରାସ୍ତାରେ କାର୍‌ ଯାଉଥିଲା। ସେଠାରେ ଥିବା ଏକ ବାର୍‌ ଓ ରେଷ୍ଟୁରାଣ୍ଟଠୁ କିଛି ଦୂରରେ ପାଞ୍ଚଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବାଟ ଓଗାଳିଥିଲେ। ସମସ୍ତେ ହେଲମେଟ ଓ କଳାମୁଖା ପିନ୍ଧିଥିଲେ। ଭୟଭୀତ ହୋଇ ହିମାଞ୍ଚଳ କାର୍‌ ଅଟକାଇ ଦେଇଥିଲେ। ହେଲେ ଡୋର୍‌ ଖୋଲି ନଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ମାଉଜର୍‌ ବାହାର କରି କାର୍‌ର ଡ଼ାହାଣପଟ ପଛ ଡୋର୍‌ର କାଚ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ପ୍ରାଣ ଭୟରେ କାର୍‌ ଡୋର୍‌ ଖୋଲି ଦେଇଥିଲେ। ମାଉଜର୍‌ ଦେଖି ସ୍ମୃତିସାଗରିକା ଓ ଲକ୍ଷ୍ମୀପ୍ରିୟା ସୁନାଚେନ୍‌, ନେକଲେସ୍‌ ଓ କାନଫୁଲ ଏବଂ ତିନିଟି ମୋବାଇଲ୍‌, ୧୨ ହଜାର ଟଙ୍କା ସେମାନଙ୍କୁ ଦେଇ ଦେଇଥିଲେ। ଦୁର୍ବୃତ୍ତ ମାନେ ନାରାୟଣୀ ମନ୍ଦିର ରାସ୍ତା ଆଡ଼େ ପଳାଇଥିଲେ।

ସମ୍ବନ୍ଧିତ ଖବର