ତିଆରି କରୁଥିବା ଗଡ଼ମା ଫୁଟି ଦୁଇ ଯୁବକ ମୃତ; ସଟ୍‌ ବାଣ ବାଜି ୧୦ ବର୍ଷିୟ ବାଳକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ରବିବାର ରାତି ଅଧରେ ବାଣ ତିଆରି କରି ଫୁଟାଉଥିବା ବେଳେ ଅଘଟଣ ଘଟି ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ହେଉଛନ୍ତି ୨୪ ବର୍ଷିୟ ସୁମନ୍ତ ଓରଫ ମାଧବ ଦାସ ଓ ୨୫ ବର୍ଷିୟ ପିଣ୍ଟୁ ଓରଫ ଶ୍ରଦ୍ଧେୟ ଦାସ।

ଗତକାଲି ଦୀପାବଳି ପାଇଁ ଉଭୟ ନିଜେ ତାଳଫୋଟକା ଏବଂ ସୁତୁଲୀ ଗଡ଼ମା ତିଆରି କରି ଫୁଟାଉଥିଲେ। କୌଣସି ଗୋଟାଏ ବାଣ ତିଆରି କରୁଥିବା ବେଳେ ତାହା ଅଚାନକ ବିସ୍ଫୋରିତ ହେବାରୁ ଦୁହେଁ ସାଙ୍ଘାତିକ ଆହତ ହୋଇଥିଲେ।

ଚିକିତ୍ସା ନିମନ୍ତେ ଉଭୟଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାଧବଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିଲା।

Representative Image

ଅଧିକ ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ କଟକ ବସ୍ଥାନାନ୍ତରିତ ହୋଇଥିବା ପିଣ୍ଟୁଙ୍କର ମଧ୍ୟ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଆଜି ପୂର୍ବାହ୍ନରେ ମୃତ୍ୟୁ ଘଟିଛି।

ଅନ୍ୟ ଏକ ଅଘଟଣରେ ବାଣ ଫୁଟାଉଥିବା ଗୋଟାଏ ୧୦ ବର୍ଷର ବାଳକ ମଧ୍ୟ ଆହତ ହୋଇଛି।

ଆହତ ବାଳକ ହେଉଛନ୍ତି ଖଲ୍ଲିକୋଟ ବ୍ଲକ୍‌ ଖଜାପଲ୍ଲୀ ଗ୍ରାମର ୧୦ ବର୍ଷିୟ ମୁନା ଜେନା। ଦୀପାବଳି ଅବସରରେ ମୁନା କଇରାଶି ଗାଁସ୍ଥିତ ତା’ ମାମୁଘରକୁ ଯାଇ ବାଣ ଫୁଟାଉଥିଲା। ଗୋଟାଏ ସଟ୍‌ ବାଣ ବାଜିବାରୁ ତା’ର ମୁହଁ ଓ ବେକ ପୋଡ଼ି ଯାଇଛି। ଚିକିତ୍ସା ନିମନ୍ତେ ତାକୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର