ଗଞ୍ଜାମରେ ଅବକାରୀ ସ୍କ୍ଵାଡ୍‌କୁ ନିସ୍ତୁକ ମାଡ଼

ଟୋପି, ପୋଷାକ ବି ପୋଡ଼ିଦେଲେ, ୧୦ କର୍ମଚାରୀ ଆହତ

ଗ୍ରାମବାସୀଙ୍କ ନାଁରେ ଏତଲା

ପାତ୍ରପୁର : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌, ଜରଡ଼ା ଥାନା ଅନ୍ତର୍ଗତ ମଶାଣିବାଡ଼ ଗ୍ରାମରେ ଅବକାରୀ ଚଢ଼ଉ ବେଳେ ଆଜି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ମେଳି ହୋଇ ଏହି ଏହି କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନଙ୍କ ଦେହରୁ ପୋଷାକ, ବେଲଟ୍‌ ଓ ଟୋପି ଇତ୍ୟାଦି କାଢ଼ି ସେଗୁଡିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଗ୍ରାମବାସୀଙ୍କ ମାଡ଼ରେ ୧୦ କର୍ମଚାରୀ ଆହତ ହୋଇଛନ୍ତି। ଜୀବନ ବିକଳରେ ୫ଜଣ କର୍ମଚାରୀ ଜଂଗଲ ଦେଇ ପାତ୍ରପୁର ମେଡିକାଲରେ ପହଞ୍ଚିଥିବା ବେଳେ ଗାଁରେ ଅଟକ ଥିବା ଅନ୍ୟ ୫ଜଣ କର୍ମଚାରୀଙ୍କୁ ପୁଲିସ ପରେ ଉଦ୍ଧାର କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ପୁଲିସ ଓ ପ୍ରଶାସନ ଅଟକ ଅବକାରୀ କର୍ମଚାରୀଙ୍କୁ ମୁକୁଳାଇବା ପରେ ସନ୍ଧ୍ୟାରେ ଘଟଣା ପାଇଁ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଥିବାରୁ ଉତ୍ତେଜନା ଲାଗି ରହିଛି। ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳର ୫ଟି ଆଦିବାସୀ ଗ୍ରାମର ଲୋକେ ମେଳି ବାନ୍ଧିଛନ୍ତି। ମଦ ରନ୍ଧା ଆଦିବାସୀମାନଙ୍କ ପରମ୍ପରା ଓ ଅବକାରୀ ବିଭାଗ ଏଥିରେ ବିଘ୍ନ ସୃଷ୍ଟି କରୁଛି ବୋଲି ଗାଁ ଲୋକେ ଅଭିଯୋଗ କରୁଛନ୍ତି।

ପ୍ରକାଶ ଯେ, ଆଜି ସକାଳେ ଅବକାରୀ ବିଭାଗର କର୍ମଚାରୀମାନେ ମଦ ରନ୍ଧା ସୂଚନା ପାଇ ମଶାଣିବାଡ଼ ଗ୍ରାମକୁ ଯାଇଥିଲେ। ସୁଶାନ୍ତ କୁମାର ପାଢ଼ୀଙ୍କ ନେତୃତ୍ଵରେ ଅବକାରୀ କର୍ମଚାରୀମାନେ ଗ୍ରାମର ରାଧା ବିଷୋୟୀ, ସେବତୀ ବିଷୋୟୀ, କୁରି ବିଷୋୟୀଙ୍କ ଘରେ ପ୍ରଥମେ ଚଢ଼ଉ କରିଥିଲେ। ମାତ୍ର ତିନି ମହିଳା ଏହାର ପ୍ରତିବାଦ କରିବା ସହିତ ବଡ଼ ପାଟି କରି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ପରେ ଗ୍ରାମବାସୀ ଅବକାରୀ କର୍ମଚାରୀଙ୍କୁ ଘେରି ଯାଇଥିଲେ। ସେମାନଙ୍କୁ ନିସ୍ତୁକ ପିଟିଥିଲେ। ପୋଷାକ ଖୋଲି ପୋଡ଼ି ଦେଇଥିଲେ। ମାଡ଼ରେ ଆହତ ସତ୍ତ୍ୱେ ପାଞ୍ଚଜଣ କର୍ମଚାରୀ ଜଙ୍ଗଲ ଦେଇ ଖସି ପଳାଇ ଆସିଥିଲେ। ସେମାନେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡିଥିଲା। ଖବର ପାଇ ପାତ୍ରପୁର ତହସିଲଦାର ପ୍ରଣତି ପ୍ରିୟଦର୍ଶନୀ ରାଉତ, ଜରଡ଼ା ଥାନା ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆ, ଖାରିଆଗୁଡ଼ା ଫାଣ୍ଡି ଅଧିକାରୀ କେ. ଦଣ୍ଡପାଣି ଦୋରା, ଜିଲ୍ଲାରୁ ଆସିଥିବା ଅବକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଆଦିବାସୀଙ୍କୁ ବୁଝାସୁଝା କରିଥିଲେ। ଘଟଣା ସଂପର୍କରେ ପୁଲିସରେ ଅଭିଯୋଗ ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅଟକ ଅନ୍ୟ ୫ କର୍ମଚାରୀଙ୍କୁ ଗ୍ରାମବାସୀମାନେ ମୁକ୍ତ କରିଥିଲେ। ତେବେ ସନ୍ଧ୍ୟାରେ ପୁଲିସ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହାପରେ ତାଡ଼କାସାହି, ଚରିଆବାଡ଼, ତେନ୍ତୁଳିସାହି, କରଡ଼ାବାଡ଼ି ଆଦି ଗ୍ରାମରେ ମେଳି ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର