୨ ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳା : ନିମ୍ନମାନର ଖାଦ୍ୟ ଅଭିଯୋଗ, ଭାତ ଫୋପାଡ଼ିଦେଲେ ଅନ୍ତେବାସୀ

ବୁଝାସୁଝା ପରେ ଖାଇଲେ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରୁ ଥିବା ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା। କିଏ ଅବ୍ୟବସ୍ଥା ତ, ଆଉ କିଏ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଫଳରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ପ୍ରବାସୀ ଓଡ଼ିଆଙ୍କ ଦୈନିକ ଖାଦ୍ୟ ତାଲିକା ପ୍ରସ୍ତୁତ କରିଥିଲେ। ଏହାକୁ ପାଳନ କରିବାକୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ସ୍ଥିତିରେ ସୁଧାର ଆସିପାରୁନି।

ଆଜି ବେଲଗୁଣ୍ଠା ବ୍ଲକ୍ ଉଢ଼ୁରା ପଞ୍ଚାୟତ ଅଧୀନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଥିବା ୨୫ ଜଣ ଅନ୍ତେବାସୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣି ପ୍ରବଳ ପାଟିତୁଣ୍ଡ କରିଥିଲେ। ମାନୁଆଲ୍ ଅନୁସାରେ ଆଜି ସୋମବାର ଥିବାରୁ ନିରାମିଷ ଖାଦ୍ୟ ଦିଆଯାଇଥିଲା। କିନ୍ତୁ ଭାତ ଅତ୍ୟନ୍ତ ନିମ୍ନମାନର ଏବଂ ଏହା ଖରାପ ଚାଉଳରୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ଆଣି ସେମାନେ ହୋହଲ୍ଲା କରିଥିଲେ। ଭାତ ଜାଉ ପରି ହୋଇଥିବା କହି ୭ଜଣ ଖାଦ୍ୟକୁ ଫୋପାଡ଼ି ଦେଇଥିଲେ। ଅନ୍ୟମାନେ ଖାଦ୍ୟ ବର୍ଜନ କରିଥିଲେ। ଖାଦ୍ୟ ପାଇଁ ସରକାର ଟଙ୍କା ଖର୍ଚ୍ଚ କରୁଥିବାବେଳ‌େ ସେମାନଙ୍କୁ ଏଭଳି ନିମ୍ନମାନର ଖାଦ୍ୟ କାହିଁକି ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ପରେ ତହସିଲଦାର ସରୋଜ କୁମାର ବେହେରା ଏହି ଅଭିଯୋଗ ପାଇ ସଂଗେ ସଂଗେ ସରପଞ୍ଚ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉତ୍ତମ ମାନର ଖାଦ୍ୟ ଦିଆଯିବା ଦିଗରେ ପଦକ୍ଷେପ ନେବା ସହ ଖାଦ୍ୟର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମଙ୍ଗଳପୁର ପଞ୍ଚାୟତ ଜିଲିବା ମଡେଲ୍ ସ୍କୁଲରେ ବି ଆଜି ସକାଳେ ସମାନ ପରିସ୍ଥିତି ଉପୁଜିଥିଲା। ୩୬ଜଣ ପ୍ରବାସୀ ସକାଳ ଜଳଖିଆ ଖାଇବା ବେଳେ ପାଟିତୁଣ୍ଡ କରିଥିଲେ। ମାନୁଆଲ୍ ଅନୁସାରେ ଦିଆଯାଉଥିବା ଉପମା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ଆଣି ପାଟିତୁଣ୍ଡ ସହ ଖାଦ୍ୟ ବର୍ଜନ କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବିଡିଓ ଶଶିଭୂଷଣ ମହାପାତ୍ର ଓ ବେଲଗୁଣ୍ଠା ଫାଣ୍ଡି ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ଖାଦ୍ୟ ଗ୍ରହଣ କରିଥିଲେ। ଖାଦ୍ୟର ଗୁଣବତ୍ତା ବଢ଼ାଇବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର