କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ରୁ ୫୦୩ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ସଭ୍ୟ ପଦରେ ଗତ ୧୭ ତାରିଖରୁ ୨୧ ତାରିଖ ଭିତରେ ୧୫ ହଜାର ୯୪୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯାହାକି ରାଜ୍ୟରେ ସର୍ବାଧିକ ଥିଲା। ଏପରିକି କିଛି ପଞ୍ଚାୟତରେ ସରପଞ୍ଚ ପଦରେ ୯ ଜଣ ନାମାଙ୍କନ ଦାଖଲ କରିଥିଲେ। ଏହାସହ ନାମାଙ୍କନ ଦାଖଲ ବେଳେ କିଛି ପଞ୍ଚାୟତ ଅଫିସ୍ରୁ ବିଶୃଙ୍ଖଳା ସାମ୍ନାକୁ ଆସିଥିଲା। କିନ୍ତୁ କୁକୁଡ଼ାଖଣ୍ଡି ବ୍ଲକ୍ ବନ୍ଥପଲ୍ଲୀ ପଞ୍ଚାୟତବାସୀ ଗଞ୍ଜାମ ଜିଲ୍ଲା ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସର୍ବସମ୍ମତିକ୍ରମେ ଏଠାରେ ଜଣେ ଲେଖାଏଁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥିନୀଙ୍କୁ ଚୟନ କରାଯାଇଛି। ଏହାସହ ୱାର୍ଡ଼ସଭ୍ୟ ପଦରେ ବି ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି। ଫଳରେ ସମସ୍ତେ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହେବା ପାଇଁ ପଥ ପରିଷ୍କାର ହୋଇସାରିଛି। ଆଉ ଏହି ପଞ୍ଚାୟତରେ ନିର୍ବାଚନ ହେବନି ବୋଲି ଜଣାପଡ଼ିଛି।
୧୧ଟି ଗ୍ରାମକୁ ନେଇ ବନ୍ଥପଲ୍ଲୀ ପଞ୍ଚାୟତ ଗଠିତ। ଚଳିତ ପଞ୍ଚାୟତ ନିର୍ବାଚନ ଲାଗି ସରପଞ୍ଚ ଓ ସମିତିସଭ୍ୟ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ହେଲେ ପଞ୍ଚାୟତରେ ଏଥର ପ୍ରାର୍ଥୀଙ୍କୁ ନିର୍ବାଚିତ ନକରି ମନୋନୟନ କରିବାକୁ ଗ୍ରାମବାସୀ ସ୍ଥିର କରିଥିଲେ। ଆଉ ବର୍ତ୍ତମାନର ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ବୈଠକ ଡକାଯାଇଥିଲା। ଏଥିରେ ୧୧ଟି ଗାଁର ଲୋକେ ସାମିଲ ହୋଇଥିଲେ। ଆଉ ଗ୍ରାମବାସୀଙ୍କ ସର୍ବସମ୍ମତିକ୍ରମେ ସରପଞ୍ଚ ପ୍ରାର୍ଥିନୀ ଭାବେ କାମିନୀ ନାୟକ ଓ ସମିତିସଭ୍ୟ ପ୍ରାର୍ଥିନୀ ଭାବେ ସୁନିତା ଦାସଙ୍କୁ ଚୟନ କରିଥିଲେ। ଉଭୟ କେବଳ ଆନୁଷ୍ଠାନିକ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ୧୧ଟି ୱାର୍ଡ଼ରୁ ୮ଟି ୱାର୍ଡ଼ରେ ୱାର୍ଡ଼ସଭ୍ୟ ମଧ୍ୟ ଅପ୍ରତିଦ୍ବନ୍ଦ୍ବୀ ହୋଇଥିବାବେଳେ ଅନ୍ୟ ତିନିଟି ୱାର୍ଡ଼ରୁ ନାମାଙ୍କନ ଦାଖଲ ହୋଇନି। ଫଳରେ ଏହି ପଞ୍ଚାୟତରେ ନିର୍ବାଚନ ନହେବା ସ୍ପଷ୍ଟ ହୋଇଛି। କେବଳ ସରପଞ୍ଚ ଓ ସମିତିସଭ୍ୟଙ୍କ ନାମ ଆନୁଷ୍ଠନିକ ଭାବେ ଘୋଷଣାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି। ଗ୍ରାମବାସୀଙ୍କ ଏହି ନିଷ୍ପତ୍ତିକୁ କିଛି ରାଜନୈତିକ ବିଶେଷଜ୍ଞ ସ୍ବାଗତ କରିଛନ୍ତି।
ସୂଚନା ଥାଉକି, କୁକୁଡ଼ାଖଣ୍ଡି ବ୍ଲକ୍ର ମୋଟ ୨୨ଟି ପଞ୍ଚାୟତରୁ ୧୧୭ ଜଣ ସରପଞ୍ଚ, ୧୦୬ ଜଣ ସମିତିସଭ୍ୟ ଓ ୪୮୩ ଜଣ ୱାର୍ଡ଼ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/vote-final-fff.jpg)