ପିତ୍ତଳ ଓ ହାତୁଡ଼ିରେ ବନ୍ଧା ଜୀବନ : ପଦ୍ମାଳୟାଙ୍କ କାରିଗରୀ ହାତରେ ପିତ୍ତଳ ନେଉଛି ଜୀବନ୍ତ ରୂପ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ବ୍ରହ୍ମପୁର ହରିଡ଼ାଖଣ୍ତି ଆଚାର୍ଯ୍ୟସାହିର ପଦ୍ମଳୟା ସାହୁ(୪୦)। ତାଙ୍କର କାରିଗରୀ ହାତରେ ପିତ୍ତଳ ନେଉଛି ଜୀବନ୍ତ ରୂପ। ଗଞ୍ଜାମ ଏବ˚ ଜିଲ୍ଲା ବାହାରର ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳୁଛି ତାଙ୍କ ପିତ୍ତଳ ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟର ଛାପ। ବାପାଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ପୂରା ପରିବାର। ହେଲେ ଦୁଃଖ ପାହାଡ଼ ଆଗରେ ନଇଁ ନଯାଇ ଜୀବନ ଯୁଦ୍ଧରେ ଆଗେଇ ଯାଇଥିଲେ ବଡ଼ ଝିଅ ପଦ୍ମାଳୟା। ପ୍ରତିକୂଳ ପରିସ୍ଥିତିରେ ତାଙ୍କ ତ୍ୟାଗ, ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ ଏହା ପ୍ରମାଣିତ କରି ପାରିଛନ୍ତି ପଦ୍ମା।

ପଦ୍ମାଳୟାଙ୍କ ବାପା ଦଣ୍ତପାଣି ଥିଲେ ପିତ୍ତଳ ଓ କ˚ସାର ଜଣେ ଧୂରୀଣ କାରିଗର। ୫ଝିଅ, ପୁଅ ଏବ˚ ପତ୍ନୀଙ୍କୁ ନେଇ ସୁରୁଖୁରରେ ସଂସାର ଚାଲିଥିଲା। ବାପା ଅଜା ଅମଳର ପାରମ୍ପରିକ କୌଳିକ ବୃତ୍ତିକୁ ଆପଣେଇ ସେ ୭ ପ୍ରାଣୀ କୁଟୁମ୍ବଙ୍କୁ ଚଳାଉଥିଲେ। ୧୯୯୯ ସେପ୍ଟେମ୍ବରରେ ଜଣ୍ତିସରେ ପୀଡ଼ିତ ହୋଇ ଆଖି ବୁଜିଲେ ଦଣ୍ତପାଣି। ପତ୍ନୀ ସତ୍ୟଭାମାଙ୍କ ପକ୍ଷେ ଏତେ ବଡ଼ ପରିବାର ଚଳାଇବା କାଠିକର ପାଠ ଥିଲା। ସେତେବେଳକୁ ବଡ଼ଝିଅ ପଦ୍ମାଳୟାଙ୍କୁ ମାତ୍ର ୧୬ବର୍ଷ। ଆଗକୁ ବଢ଼ିବା ଲାଗି ଅସୁମାରୀ ସ୍ବପ୍ନ ଦେଖୁଥିବା ପଦ୍ମାଳୟାଙ୍କ ମୁଣ୍ତରେ ପଡ଼ିଥିଲା ପରିବାର ବୋଝ ସମ୍ଭାଳିବାର ଗୁରୁଦାୟିତ୍ବ। ୪ ଭଉଣୀ ଓ ଭାଇଙ୍କୁ ମଣିଷ କରିବା ସହ ପରିବାର ଚଳାଇବା ଦାୟିତ୍ବକୁ ମୁଣ୍ତାଇ ସେ ଆଗକୁ ବଢିଥିଲେ। ସବୁ ସ୍ବପ୍ନକୁ ପଛରେ ପକାଇ ଦୃଢ଼ ମନୋବଳ ସହ ପାରମ୍ପରିକ କୌଳିକ ବୃତ୍ତିକୁ ଆପଣେଇ ନେଇଥିଲେ। ହେଲେ ସେତେବେଳେ ଘରେ ଟଙ୍କାଟିଏ ବି ନ ଥିଲା। କିଭଳି ପିତ୍ତଳ ଆଣି କାମ କରିବେ ସେହି ଚିନ୍ତା ଘାରିଥିଲା। ବ୍ରହ୍ମପୁରର ପିତ୍ତଳ ବିକ୍ରି କରୁଥିବା ଜଣେ ମହାଜନଙ୍କ ସହାୟତା ଲୋଡ଼ିଥିଲେ। ତାଙ୍କ ଠାରୁ ପିତ୍ତଳ ଆଣି ବାପାଙ୍କ ଠାରୁ ଟିକେ ଟିକେ ଶିଖିଥିବା ପିତ୍ତଳ କାମ ଆରମ୍ଭ କରିଥିଲେ। ଆଉ ସେହିଦିନ ଠାରୁ ପିତ୍ତଳ ଓ ହାତୁଡ଼ିରେ ମଜ୍ଜି ରହିଛନ୍ତି ପଦ୍ମାଳୟା। ନିଆଁ ଲଗାଉଥିବା ଯନ୍ତ୍ର ବ୍ଲୋର, ପିତ୍ତଳ ପଲିସ୍‌ ମେସିନ ଭଳି ଯନ୍ତ୍ର ତାଙ୍କ ସାଥୀ ପାଲଟିଯାଇଛି।

ସମ୍ବନ୍ଧିତ ଖବର