ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବେଡ଼ିଗୋବା ଗ୍ରାମ ନିକଟ ଜଙ୍ଗଲକୁ ଗତକାଲି ପତ୍ର ତୋଳିବାକୁ ଯାଇଥିବା ବେଳେ ଜଣେ ମହିଳା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ମହିଳାଜଣକ ହେଉଛନ୍ତି, ଉକ୍ତ ଗ୍ରାମର ସ୍ବପ୍ନା ସାହୁ(୩୫)। ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ବପ୍ନାଙ୍କ ଅଣ୍ଟା ଉପରଭାଗରେ ଦୁଇଟି କ୍ଷତ ଚିହ୍ନ ରହିଛି। ଫଳରେ ଗୁଳି ପଶି ବାହାରିଯାଇଥିବା ଅନୁମାନ କରାଯାଉଛି।
ସ୍ବପ୍ନାଙ୍କ ମାଆ ସାଧୁମତି ନାୟକ କହିଛନ୍ତି, ଗତକାଲି ଅପରାହ୍ଣ ୩ଟାରେ ସେ ଝିଅ ମିଶି ଗ୍ରାମ ନିକଟ ଜଙ୍ଗଲକୁ ପତ୍ର ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ସ୍ବପ୍ନାଙ୍କ ଚିତ୍କାର ଶୁଭିଥିଲା। ଦୌଡ଼ି ଆସି ଦେଖିବା ବେଳକୁ ସେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କହିଥିଲେ। ସେଠାରୁ ସ୍ବପ୍ନାଙ୍କୁ ଘରକୁ ଅଣାଯାଇଥିବା ବେଳେ ଆଜି ସକାଳେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦେଶୀ ବନ୍ଧୁକ କିମ୍ବା ଛେରାରେ ଗୁଳିମାଡ଼ ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ ଘଟଣା ସଂର୍ପକରେ ଏଯାଏ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଜାରି ରହିଥିବା ଭଞ୍ଜନଗର ଥାନାଧିକାରୀ କୁମର ମୁଦୁଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/2222-750x430-1.jpg)