ଝିଅ ଜନ୍ମ ପରେ ନିର୍ଯାତନା, ପୁଅ ଜନ୍ମ ପରେ ଚରିତ୍ରକୁ ନେଇ ସନ୍ଦେହ

ହାତଗୋଡ଼ ବାନ୍ଧି ଡିଜେଲ ଢାଳି ଜଳିଦେଲେ ଶାଶୂଘର ଲୋକେ

ମୋହନା : ଝିଅ ଜନ୍ମ ପରେ ନିର୍ଯାତନା ଦେବା ସରିଲାନି। ପୁଅ ଜନ୍ମ ପରେ ଚରିତ୍ରକୁ ସନ୍ଦେହ କରି ଜଣେ ବିବାହିତାଙ୍କୁ ଶାଶୂ ଘର ଲୋକେ ହାତଗୋଡ଼ ବାନ୍ଧି ଡିଜେଲ ପକାଇ ପୋଡ଼ି ଦେବା ଭଳି ଏକ ଲୋମଟାଙ୍କୁରା ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେପାଗୁଡା ପ˚ଚାୟତର ଗୋଠକେଳି ଗ୍ରାମରେ ଘଟିଛି। ପୁଲିସ ଆଜି ସନ୍ଧ୍ୟାରେ ଶାଶୂଘର ଲୋକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି।
ଦିଗପହଣ୍ତି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ମାନିନୀ ନାୟକ। ଗୋଠକେଳି ଗ୍ରାମର କୈଳାସ ବେହେରାଙ୍କ ପୁଅ ମଧୁସୂଦନ ବେହେରାଙ୍କୁ ୨୦୧୬ରେ ବିବାହ କରିଥିଲେ। ବିବାହ ବର୍ଷେ ପର୍ଯ୍ୟନ୍ତ ସୁଖ ଶାନ୍ତିରେ କଟିଥିଲା। ହେଲେ, ୨୦୧୭ରେ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ସ୍ବାମୀ ଏବ˚ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ତା’ ପରଠୁ ମଧୁସୂଦନ ସବୁବେଳେ ମାନିନୀଙ୍କୁ ଶାରୀରିକ ଏବ˚ ମାନସିକ ନିର୍ଯାତନା ଦେବାରେ ଲାଗିଲେ। ୨୦୧୯ରେ ମାନିନୀ ପୁଣି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ, ଏଥର ମଧୁସୂଚନଙ୍କ ମନରେ ମାନିନୀଙ୍କ ଚରିତ୍ରକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ପୁଅ ମୋର ନୁହଁ କହି ସେ ମାନିନୀଙ୍କ ଉପରେ ଏତେ ଅତ୍ୟାଚାର କରୁଥିଲେ ଯେ ଶେଷ‌ରେ ମାନିନୀ ନିଜ ବଡ଼ ଭାଇ କୁମୁଦ ନାୟକଙ୍କୁ ଫୋନ୍‌ ଯୋଗେ ଏ ସମ୍ପର୍କରେ ଜଣାଇଥିଲେ। ହେଲେ, ସେ ହସ୍ତକ୍ଷେପ କଲେ କାଳେ ମଧୁସୂଦନ ଓ ମାନିନୀଙ୍କ ମଧ୍ୟରେ ତିକ୍ତତା ବଢ଼ିଯିବ ବୋଲି ନିରୁପାୟ କୁମୁଦ କୌଣସି ପଦକ୍ଷେପ ନେଇ ନଥିଲେ।
ଗତ ଶନିବାର ଅପରାହ୍‌ଣ ୩ଟା ବେଳେ ମାନିନୀଙ୍କ ହାତଗୋଡ଼ ବାନ୍ଧି, ଡିଜେଲ୍‌ ଢାଳି ମଧୁସୂଦନଙ୍କ ପରିବାର ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ, ନିଜକୁ ଦୋଷମୁକ୍ତ ଦର୍ଶାଇବା ପାଇଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମାନିନୀଙ୍କୁ ନେଇ ମଧୁସୂଦନଙ୍କ ପରିବାର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଡାକ୍ତର ମାନିନୀଙ୍କୁ ମୃତ ଘୋଷଣା କରିଥିଲେ।
ଏ ନେଇ ଭରତପୁର ଥାନାରେ କେସ୍‌ ନ˚ ୫୨/୨୦୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ କ୍ୟାପିଟାଲ୍‌ ହସପିଟାଲରେ ଶବ ବ୍ୟବଛେଦ କରାଯାଇ କୁମୁଦଙ୍କୁ ମାନିନୀଙ୍କ ଶବ ହସ୍ତାନ୍ତର କରା ଯାଇଥିଲା। ଆଜି କୁମୁଦ ମୋହନା ଥାନାରେ ମାନିନୀଙ୍କ ସ୍ବାମୀ ମଧୁସୂଦନ, ଶ୍ବଶୁର କୈଳାସ ବେହେରା, ଶାଶୁ ରତନୀ, ଯା’ ସୁନା, ଦେଡ଼ଶୁର ଲୋଚନ ବେହେରା, ଦିଅର ରାଜା ଏବଂ ମାନିନୀଙ୍କ ନଣନ୍ଦଙ୍କ ବିରୋଧରେ ତାଙ୍କୁ ପୋଡ଼ି ‌ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଆଇଆଇସି ସୁଜିତ୍ କୁମାର ନାୟକ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ମୋହନା ଥାନାରେ କେସ ନ˚-୬୮/୨୦୨୧ ପ୍ରକାରେ ଆଉ ଏକ ମାମଲା ରୁଜୁ କରିଛନ୍ତି।
୨୦୧୫ ଡିସେମ୍ବର ୨୨ ତାରିଖରେ ଲୋଚନ ଦିଗପହଣ୍ତି ଅ˚ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ି ଦେଇଥିବା ଘଟଣା ଜଣାପଡ଼ିଥିଲା। ସେ ସଂକ୍ରାନ୍ତରେ ପୁଲିସ ଲୋଚନ ସମେତ ତା’ ସହଯୋଗୀକୁ ଗିରଫ୍ କରି ଜେଲ ପଠାଇଥିଲା। ଇତିମଧ୍ୟରେ, ସେ ଘରକୁ ଫେରିବା ପରେ ମାନିନୀଙ୍କୁ ସମ୍ମିଳିତ ଭାବେ ହତ୍ୟା ଘଟଣାରେ ତା’ର ହାତ ମଧ୍ୟ ଥିବା ଅଭିଯୋଗ ହୋଇଛି। ହେଲେ, ମାନିନୀଙ୍କ ୫ ବର୍ଷର ଝିଅ ଓ ଦେଢ଼ ବର୍ଷର ପୁଅ ଅସହାୟ ଅବସ୍ଥାରେ ମା’କୁ ଝୁରି ଚାହିଁ ରହିଥିବା ବେଳେ ମାନିନୀଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଶାସ୍ତି ବିଧାନ‌ ହେଉ ବୋଲି କୁମୁଦଙ୍କ ପରିବାର ନିବେଦନ କରିଛନ୍ତି।
ସମ୍ବନ୍ଧିତ ଖବର