ରା.ଉଦୟଗିରି: ଗତ କିଛିଦିନ ଧରି ସାରା ରାଜ୍ୟରେ ପିଲା ଚୋର ଗୁଜବ ବେଶ ହଇଚଇ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ରା.ଉଦୟଗିରି ବ୍ଲକ୍ ଓ ନୂଆଗଡ଼ ଅଞ୍ଚଳରେ ମଧ୍ୟ ଏହି ଗୁଜବ ବ୍ୟାପିଛି। ଗତ ୭ଦିନ ଧରି ରା.ଉଦୟଗିରି ଅଞ୍ଚଳରେ ରାତି ୭ଟାରୁ କିଛି ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଦେଖିଲେ ଠେଙ୍ଗାବାଡ଼ି ଧରି ଲୋକେ ପିଛା କରିବା ଆରମ୍ଭ କରି ଦେଉଛନ୍ତି। ତେବେ, ଆଜି ଏହା ବଳିଯାଇଛି । ଗତ ସଂଧ୍ୟାରେ ୩ଜଣ ଦୁର୍ବୃତ୍ତଙ୍କ କବଳରୁ ନୂଆଗଡ଼ ବ୍ଲକ ଖଜୁରୀପଦା ପଞ୍ଚାୟତ ଛଣପଦା ଗ୍ରାମର ଜଣେ ମହିଳା - ତମାଳ ନାୟକଙ୍କୁ କୌଣସିମତେ ଗୋଡ଼ହାତ ବନ୍ଧା ଥିବା ଅବସ୍ଥାରେ ପାହାଡ଼ ଉପରୁ ଉଦ୍ଧାର କରାଯିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।
ନୂଆଗଡ଼ ଖଜୁରୀପଦା ପଞ୍ଚାୟତ ଛଣପଦା ଗ୍ରାମର ତମାଳ ନାୟକ । ଗତକାଲି ଅପରାହ୍ନ ୩ଟା ବେଳେ ସେ ବଣକୁ କାଠ ଗୋଟେଇବା ପାଇଁ ଯାଇଥିଲେ । ଅଚାନକ ୩ଜଣ ଅଚିହ୍ନା ଯୁବକ ତାଙ୍କ ମୁହଁକୁ ବାନ୍ଧି ଦେଇଥିଲେ। ତାପରେ ହାତଗୋଡ଼ ମଧ୍ୟ ବାନ୍ଧି ଦେଇଥିଲେ। ସେମିତି ବନ୍ଧା ଅବସ୍ଥାରେ ସେମାନେ ତମାଳଙ୍କୁ ପାହାଡ଼ ଉପରକୁ ନେଇଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ତମାଳ ଫେରି ନଥିବା ଖବର ପାଇ ତାଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ନାୟକ ଆଖପାଖ ଅଞ୍ଚଳର ସମସ୍ତ ଜାତିଭାଇଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ। ତୀବ୍ର ବେଗରେ ଖବର ବ୍ୟାପିଯିବା ପରେ ପାଖାପାଖି ସମସ୍ତ ଗ୍ରାମର ଲୋକେ ପାହାଡ଼କୁ ଚାରିପଟୁ ଘେରି ଯାଇଥିଲେ। ତେବେ, ଗୁଡାଏ ଟର୍ଚ୍ଚ ଲାଇଟ୍ର ଆଲୋକ ଦେଖି ୩ ସନ୍ଦିଗ୍ଧ ତମାଳଙ୍କୁ ଏକ ପଣସ ଗଛ ନିକଟରେ ଛେଚି ଦେଇ ଚାଲି ଯାଇଥିଲେ। ଉଦ୍ଧାର ପାଇବା ପରେ ତମାଳ କାହାକୁ ଚିହ୍ନି ପାରି ନଥିଲେ କି ସେମାନେ କଥାବାର୍ତ୍ତା ହେଉଥିବା ଭାଷା ମଧ୍ୟ ବୁଝି ପାରି ନଥିଲେ ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଖବର ପାଇ ଖଜୁରୀପଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।
ଏଭଳି ଘଟଣା ପରେ ରାତି ଗୋଟାଏ ପଯ୍ୟର୍ନ୍ତ ଏଥର ଆମେ ଜଗି ରହୁଛୁ ବୋଲି ଗ୍ରାମବାସୀ ସନ୍ତୋଷ କୁମାର ରଇତ କହିଛନ୍ତି। ସନ୍ଧ୍ୟା ୬ଟା ହେଇଗଲେ ଗ୍ରାମରେ ତାଟି କବାଟ ପଡ଼ିଯାଉଛି। ବୋଲି କେତକୀ ନାୟକ ପ୍ରକାଶ କରିଛନ୍ତି । ମହିଳା ଓ ଛୋଟଛୋଟ ପିଲାମାନଙ୍କୁ କେହି ଆଉ ବାହାରକୁ ଛାଡ଼ୁୁନାହାନ୍ତି। ଛଣପଦା ଗ୍ରାମବ୍ୟତୀତ ନୂଆଗଡ଼ ରାସ୍ତାରେ ରହୁଥିବା କିଛି ଗ୍ରାମର ବାସିନ୍ଦାଙ୍କୁ ପଚାରିବାରୁ ଦୋଘରିଆର ଅଶ୍ୱିନୀ ମଣ୍ଡଳ କହିଲେ ଯେ ଏଭଳି ଘଟଣା ଘଟିବା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଆମେ ବଣକୁ କାଠ ଆଣିବା ପାଇଁ ମଧ୍ୟ ଯାଇପାରୁନାହୁଁ। ସେହି ଗ୍ରାମର ୨ଜଣ ଛୋଟଛୋଟ ପିଲାଙ୍କୁ ପଚାରିବାରୁ ସେମାନେ କହିଲେ ଯେ କିଛି ଅଚିହ୍ନା ବ୍ୟକ୍ତି ବୋଲେରୋରେ ଆସି ଆଖି, କିଡ୍ନୀ ଏବଂ ହୃତପିଣ୍ଡ ବାହାର କରି ନେଇ ଯାଉଛନ୍ତି। ଏଣୁ, ଆମେ କେହି ବାହାରକୁ ବାହାରୁନୁ ।
କେ.ରୋଗେଇସିଂ ଗ୍ରାମର ଜିଖରିୟ ମଣ୍ଡଳଙ୍କ ପ୍ରତିକ୍ରିୟା ମଧ୍ୟ ଏକାଭଳି ଥିଲା। ଏଭଳି ଭୟର ବାତାବରଣ ଯୋଗୁଁ ସନ୍ଧ୍ୟାରେ କେହି ବାହାରକୁ ବାହାରି ପାରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ, ଦୁଇ ଦିନ ତଳେ ଗଜପତି ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ ଏକ ପ୍ରେସ୍ ମିଟ୍ରେ ଏହା ଏକ ଗୁଜବ ଏବଂ ଏଥିପାଇଁ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଥିଲେହେଁ ଆଜିର ଘଟଣା ଲୋକଙ୍କ ଆଖିରୁ ନେ ଦିନ ହଜାଇ ଦେଇଛି, ତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/police-4.png)