ବିଶ୍ବ ଏଡସ ଦିବସ; ବ୍ୟାପକ ସଚେତନତା ସତ୍ତ୍ବେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ସମୟରେ ସଂକ୍ରମିତଙ୍କ ନିକଟରେ ଔଷଧ ପହଞ୍ଚାଇବା ସୃଷ୍ଟି କରିଥିଲା ଚ୍ୟାଲେଞ୍ଜ

ଭଞ୍ଜନଗର: ଗେଟିଙ୍ଗ ଟୁ ଜିରୋ, ନୋ ଏଡସ ନୋ ଏଡସ,ନୋ ୟୋର ଷ୍ଟାଟସ୍ ଏଭଳି ଅନେକ ସ୍ଲୋଗାନକୁ ନେଇ ଭୟାବହ ଏଡସ ସଂକ୍ରମଣ ସଂର୍ପକରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ। ସଭା ସମିତି ଶୋଭାଯାତ୍ରାରେ ସଚେତନତା ସୀମିତ ରହିଥିବା ବେଳେ ତୃଣ ମୂଳ ସ୍ତରରେ ଏହି ବାର୍ତ୍ତା ଆଜି ମଧ୍ୟ ପହଞ୍ଚି ପାରିନି। ଯାହା ଫଳରେ ପ୍ରତିବର୍ଷ ହାରାହାରି ୨ ଶହ ନୂଆଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ବିଶେଷ କରି ନୂଆଁ ପିଢି ଏଦିଗରେ ଅଦୌ ସଚେତନ ନଥିବାରୁ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭଞ୍ଜନଗର ଏଆର୍ଟି କେନ୍ଦ୍ରରେ ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଗତ ୨୦୧୪ ମସିହାରେ ଲିଙ୍କ ଏଆରଟିରୁ ଏଆରଟିରେ ପରିଣତ ହୋଇଥିବା ବେଳେ ସେହି ସମୟରେ ମାତ୍ର ୪୪ ଜଣ ସଂକ୍ରମିତ ରହିଥିବା ବେଳେ ଚଳିତ ବର୍ଷ ସୁଦ୍ଧା ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୧୩୦୦ରେ ପହଞ୍ଚିଛି।

ବିଶେଷ କରି ନୂଆଁ ପିଢି ଅଧିକାଂଶରେ ଆକ୍ରାନ୍ତ ହେଉଥିବାରୁ ଏହା ଚିନ୍ତାଜନକ ସ୍ଥତି ସୃଷ୍ଟି କରିଛି। ଅନ୍ୟ ପକ୍ଷରେ କରୋନା ମହାମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବେବଳେ ନିୟମିତ ଔଷଧ ଗ୍ରହଣ କରୁଥିବା ସଂକ୍ରମିତଙ୍କ ନିକଟରେ ଔଷଧ ପହଞ୍ଚାଇବା ଏଆର୍ଟି କର୍ମଚାରୀମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।

ଏଚଆଇଭି ଏଡ଼ସ ସଂର୍ପକରେ ସଚେତନତାର ଅଭାବ, ଅସୁରକ୍ଷିତ ଯୌନ ସଂର୍ପକ ସହ ଦାଦନ ଶ୍ରମିକ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟ ପ୍ରତିବର୍ଷ ବୃଦ୍ଧି ପାଉଥିବା ଦେଖାଦେଇଛି। ବହୁ ସଂକ୍ରମିତ ଲୋକ ଲଜ୍ୟା ଭୟରେ ଔଷଧ ଗ୍ରହଣ କରୁ ନଥିବା ବେଳେ ଅନେକ ସମୟରେ ରକ୍ତ ପରୀକ୍ଷା ନକରି ବିବାହ ହେଉଥିବାରୁ ଏଡ଼ସ ରୋକିବା ଅଭିଯାନ ସଫଳ ରୂପ ନେଇ ପାରୁନାହିଁ। ଆକ୍ରାନ୍ତ ହୋଇ ସାରିବା ପରେ ପୃଷ୍ଟିକର ଖାଦ୍ୟ ଗ୍ରହଣ କରିବା ଜରୁରୀ ହୋଇପଡିଥିବା ବେଳେ ସଂକ୍ରମିତ ବ୍ୟକ୍ତି କାମଧନ୍ଦା କରିବା ପାଇଁ ସଂପୂର୍ଣ୍ଣ ଅକ୍ଷମ। ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଏବଂ ନିଜ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଡ କରିବା ଅସମ୍ଭବ ହୋଇପଡିଛି। ସେହିପରି ସଂକ୍ରମିତ ଚିହ୍ନଟ ହେବା ପରଠାରୁ ନିୟମିତ ଏହି ଔଷଧ ଖାଇବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିବା ବେଳେ କରୋନା ମହାମାରୀ ପାଇଁ ହୋଇଥିବା ଲକଡାଉନ ସମୟରେ ଏହି ଔଷଧ ପାଇବାରେ ଘୋର ସମସ୍ୟା ସୃଷ୍ଟି ହୋଇଥିଲା। ଯାନବାହାନ ବନ୍ଦ ଯୋଗୁ ନା ଏଆରଟି କେନ୍ଦ୍ରକୁ ଆସି ପାରୁଥିଲେ ନା କାହା ସାହାର୍ଯ୍ୟରେ ଔଷଧ ଆଣିପାରୁଥିଲେ। ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ସାହା ହୋଇଥିଲେ ଏଆରଟି କର୍ମଚାରୀ। ସଂକ୍ରମିତଙ୍କ ପରିଚୟ ଗୋପନ ରଖିବା ସହ ନିରାପଦରେ ସେମାନଙ୍କ ନିକଟରେ ଔଷଧ ପହଞ୍ଚା ଯିବା ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ଏଆରଟି କାଉନସେଲର ସନୋଜ ମହାନ୍ତି ପ୍ରକାଶ କରିଛନ୍ତି। ଏହା ସେମାନଙ୍କ ପାଇଁ ଏକ ନୂଆଁ ଅନୁଭୂତି ଆଣିଥିବା କହିଛନ୍ତି।

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏଆରଟି କେନ୍ଦ୍ରରେ ଗତ ୨୦୧୪ ମସିହାରେ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୫ ମସିହାରେ ୯୪ଜଣ,୨୦୧୬ ମସିହାରେ ୧୦୨ ଜଣ,୨୦୧୭ ମସିହାରେ ୧୦୧ଜଣ,୨୦୧୮ ମସିହାରେ ୧୦୩ ଜଣ ଏବଂ ୨୦୧୯ ମସିହାରେ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ

ହି କେନ୍ଦ୍ରରେ ଚିହ୍ନଟ ହୋଇଥିବା ସଂକ୍ରମିତ ଏବଂ ଅନ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇ ଏଠାକୁ ସ୍ଥାନାନ୍ତର ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗତ ୨୦୧୮ ମସିହାରେ ୯୬୨ ଜଣ ଔଷଧ ନେଉଥିବା ବେଳେ ଗତବର୍ଷ ଏହି ସଂଖ୍ୟା ୧୧୦୭ ରହିଥିଲା। ଚଳିତ ବର୍ଷ ତାହା ବୃଦ୍ଧି ପାଇ ୧୩୦୦ରେ ପହଞ୍ଚିଥିବା ଜଣାପଡିଛି। ହାରାହାରି ପ୍ରତିବର୍ଷ ଏହି କେନ୍ଦ୍ର ଅଧିନରେ ପ୍ରାୟ ୨ଶହ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡୁଛି।

ଏହି କେନ୍ଦ୍ରରେ ବର୍ତ୍ତମାନ ୧୦୬୮ ଜଣ ଏଚଆଇଭି ଆକ୍ରାନ୍ତଙ୍କୁ ଔଷଧ ଦିଆଯାଉଛି। ଏମାନଙ୍କ ମଧ୍ୟରେ ଭଞ୍ଜନଗର ୨୭୬,ବେଲଗୁଣ୍ଠାର ୩୪୧,ଆସିକାର ୭୩,ଜଗନ୍ନାଥପ୍ରସାଦର ୧୫୯,ବୁଗୁଡ଼ାର ୯୭,ଧରାକୋ୍ଟର ୨୨,ସୋରଡ଼ାର ୧୩୬,ଫୁଲବାଣୀର ୧୫୯,ପୋଲସରାର ୧୦,ଶେରଗଡର ୧୨,ନୟାଗଡର ୫,ଛତ୍ରପୁର,ରଙ୍ଗୋଇଲୁଣ୍ଡା ଏବଂ ପୁରୁଷୋତ୍ତମପୁରର ୨ ଜଣ ଲେଖାଏଁ ଔଷଧ ଗ୍ରହଣ କରୁଥିବା ଏଆରଟି କାଉନସେଲର ମହାନ୍ତି ସୂଚନା ଦେଇଛନ୍ତି। ଏହି କେନ୍ଦ୍ର ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ୧୬୭ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏହି କେନ୍ଦ୍ରରେ ଜଣେ ଡାକ୍ତର,କେୟାର କୋଡିନେଟର ଏବଂ ଷ୍ଟାଫ ନର୍ସର ଆବଶ୍ୟକତା ରହିଥିବା ବେଳେ ୭ଜଣ କର୍ମଚାରୀମାନଙ୍କ ମଧ୍ୟରୁ ୪ ଜଣ ଏହି କେନ୍ଦ୍ର ପରିଚାଳନା କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର