ମାନସିକ ଅନଗ୍ରସର ମହିଳାଙ୍କୁ ଗର୍ଭବତୀ କରିବା ଅଭିଯୋଗ:ମୁମ୍ବାଇ ଫେରାର ଉଦ୍ୟମ ବେଳେ ପୂଜକ ଗିରଫ 

ଶେରଗଡ: ଦୁଷ୍କର୍ମ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶେରଗଡ ବ୍ଳକର ଜଣେ ମନ୍ଦିର ପୂଜକକୁ ପୁଲିସ ଗିରଫ କରିଛି। କାଞ୍ଜିଆମ୍ମା ଗ୍ରାମର ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୋଗରେ ପୂଜକ ନାରାୟଣ ପ୍ରଧାନକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ ନଂ ୧୪୩/୧୮ରେ ମାମଲା ରୁଜୁ କରିଥିବା ଜଣାପଡିଛି। ଗ୍ରାମରେ ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ପୂଜକ ନାରାୟଣ ମୁମ୍ବାଇ ଚାଲି ଯିବାକୁ ଉଦ୍ୟମ କରୁଥିଲା। ତେବେ ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ ବ୍ରହ୍ମପୁର ରେଳ ଷ୍ଟେସନରୁ ତାକୁ ଗିରଫ କରିଥିଲା ।
ସୂଚନା ମୁତାବକ ଅଭିଯୁକ୍ତ ନାରାୟଣ ମୁମ୍ବାଇ ବୋରିଭିଲିର ଏକ ହନୁମାନ ମନ୍ଦିରରେ ପୂଜକ ଭାବେ କାଯ୍ୟ କରୁଛି । ଗତ ୬ମାସ ତଳେ ନିଜ ଗ୍ରାମ କାଞ୍ଜିଆମ୍ମାକୁ ଆସିଥିଲା। ଏ ସମୟରେ ଗ୍ରାମରେ ଗୋଟିଏ ପରିବାରର ଅନ୍ୟ ସଦସ୍ୟ ଙ୍କ ଅନୁପସ୍ଥିତିରେ ଘରେ ଏକୁଟିଆ ରହୁଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଏବେ ମହିଳା ଜଣକ ଗର୍ଭବତୀ ଥିବା ଜଣାପଡ଼ିବା ପରେ ପରିବାର ଲୋକେ ନାରାୟଣ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ନାରାୟଣକୁ ଜେଲ୍‌ ହାଜତକୁ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର