ଭାସମୋଲ୍‌ ପିଇ ଯୁବତୀ ମୃତ:ଚିକିତ୍ସା ନପାଇ ୫ଘଣ୍ଟା ପଡ଼ିରହିଲେ, ପ୍ରତିବାଦରେ ଉତ୍ତେଜନା

ପାତ୍ରପୁର, : ମୁଣ୍ଡ ବାଳ କଳା କରିବା ପାଇଁ ଉଦ୍ଦିଷ୍ଟ ଭାସମୋଲ ତେଲ ପିଇ ଖଣ୍ଡଦେଉଳି ଗ୍ରାମର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯୁବତୀ ଜଣକ ହେଲେ ବି. କାମେୟାଙ୍କ ଝିଅ ବି. କାମଲା (୨୪) । ତେବେ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ତାଙ୍କ ମୃତ୍ୟୁ ଘଟିଲା ବୋଲି ଗାଁଲୋକ ଅଭିଯୋଗ କରିବା ସହ ଏହାକୁ ନେଇ ଡାକ୍ତରଖାନା ପରିସରରେ ବେଶ୍‌ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିଲା।
ମିଳିଥିବା ସୁଚନା ମୁତାବକ ଗତକିଛି ଦିନହେଲା ଯୁବତୀ ଜଣକ ମାନସିକ ଚାପରେ ରହୁଥିଲେ। ଗତକାଲି ହଠାତ ଭାସମୋଲ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରିଥିଲେ । ହେଲେ ମେଡିକାଲରେ ତୁରନ୍ତ ଚିକିତ୍ସା ଦିଆନଯାଇ ଗୁରୁତର ଅବସ୍ଥାରେ ତାଙ୍କୁ ପାଞ୍ଚ ଘଣ୍ଟା ପକାଇ ରଖାଯାଇଥିଲା। । ଏହାକୁ ନେଇ କିଛି ସମୟ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ଓ ଗ୍ରାମବାସୀଙ୍କ ମିଶି ମେଡ଼ିକାଲରେ ହୋହାଲ୍ଳା କରିଥିଲେ । ଗାଁ ଲୋକଙ୍କ ଦାବି ପରେ ମେଡ଼ିକାଲ ଆମ୍ବୁଲାନ୍‌ସରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ବ୍ରହ୍ମପୁର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଆଜି ସଂନ୍ଧ୍ୟାରେ ମର ଶରୀର ପହଞ୍ଚିବା ପରେ ଗ୍ରାମ ମଶାଣିରେ ଅନ୍ତ୍ୟେଷ୍ଟି ହୋଇଛି ।
ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ସାଙ୍ଗକୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଅବହେଳା ଲାଗିରହିଛି । ସରକାରୀ ଆମ୍ବୁଲାନ୍‌ସ ରହିଥିଲେ ମଧ୍ୟ ଦରକାର ବେଳେ ଆମ୍ବୁଲାନ୍‌ସ ମିଳୁନାହିିଁ । ସେହିଭଳି କୌଣସି ମେଡିକାଲ୍‌ କର୍ମଚାରୀ ଡାକ୍ତରଖାନାରେ ନିୟମିତ କାର୍ଯ୍ୟରେ ଯୋଗ ଦେଉନଥିବା ଅଭିଯୋଗ ହେଉଛି। ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର