ଉଧାରି ଟଙ୍କା ମାଗିବାରୁ ଆକ୍ରମଣ, ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ

କବିସୂର୍ଯ୍ୟନଗର/ଭୁବନେଶ୍ୱର: ଉଧାର ଦେଇଥିବା ଟଙ୍କା ମାଗିବାରୁ  ଆକ୍ରମଣ ଶିକାର ହୋଇଥିବା ଯୁବକଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖୋଜାପଲି ପଞ୍ଚାୟତର ଦେଓଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଅଧମ ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ(୩୨) କିଛି ଦିନ ତଳେ ଗନ୍ତେଇ ପଲାଇଙ୍କ ପୁଅ ଲକ୍ଷ୍ମଣ ପଲାଇ(୩୫)ଙ୍କୁ କିଛି ଟଙ୍କା ଉଧାର ଦେଇଥିଲେ। ଉଧାରି ଟଙ୍କା ବହୁ ଦିନ ପର୍ଯ୍ୟନ୍ତ ନ ଫେରାଇବାରୁ ବୁଧବାର ଅପରାହ୍ନରେ ସୁଶାନ୍ତ ମାଗିଥିଲେ। ଏ ନେଇ ସୁଶାନ୍ତ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଗାଁ ଦାଣ୍ଡରେ ବଚସା ହୋଇଥିଲା।

ସୁଶାନ୍ତ ସେଠାରୁ ଫେରିବା ବେଳକୁ ଲକ୍ଷ୍ମଣ ନିଜ ଘର ସମ୍ମୁଖରେ ଛକି ବସିଥିଲା। ସେ ସୁଶାନ୍ତର ମୁଣ୍ଡ ଉପରକୁ ଲକ୍ଷ୍ୟ କରି ଏକ ଶକ୍ତ କାଠ ଫାଳରେ ପ୍ରହାର କରିଥିଲା। ଫଳରେ ସୁଶାନ୍ତ ତଳେ ପଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ସୁଶାନ୍ତର ସ୍ୱାସ୍ଥ୍ୟ ଉନ୍ନତିି ନଆସିବାରୁ ତାଙ୍କୁ ପୁଣି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି। ସୂଚନା ପାଇଁ ପୁରୁଷୋତ୍ତମପୁର ଏସ୍‌ଡିପିଓ ଦିଲୀପ ଦାସ, ଆଇଆଇସି ବିଭତ୍ସ କୁମାର ପ୍ରଧାନ ଓ ଏଏସଆଇ ପୁଲିସ ଟିମ୍‌ ସହିତ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର