କୋରାପୁଟ: ଉତ୍ତର ପ୍ରଦେଶ ପୁଲିସ ଧରୁଛି। କିନ୍ତୁ କୋରାପୁଟ ପୁଲିସ ଟେର ପାଉନି। ପ୍ରତିଦିନ ହଜାର ହଜାର କିଲୋ ଗଞ୍ଜ‌େଇ କୋରାପୁଟ ଜିଲ୍ଲାରୁ ଚୋରା ଚାଲାଣ ହେଉଥିବାବେଳେ ଜାଣି ଅଜଣା ରହିଛି କୋରାପୁଟ ପୁଲିସ। ଗଞ୍ଜ‌େଇ ‌ଚୋରା ଚାଲାଣ ରୋକି କୋରାପୁଟ ପୁଲିସ ରାଜ୍ୟରେ ନାଁ କରିଥିବାବେଳେ ଏବେ ରାଜ୍ୟ ବାହାରେ ଅପଯଶ ମୁଣ୍ଡାଇଛି। ଗତକାଲି ଉତ୍ତର ପ୍ରଦେଶ ପ୍ରୟାଗରାଜରେ ୧.୨୫ କ୍ବିଣ୍ଟାଲ ଗଞ୍ଜ‌େଇ ଜବତ ହୋଇଥିବାବେଳେ ଏଥିରେ ଦୁଇଜଣ ଗିରଫ ହୋଇଛନ୍ତି। ସେଥିରେ କୋରାପୁଟ ଜିଲ୍ଲାର ଜଣେ ମୋଷ୍ଟ ୱାଣ୍ଟଡ୍‌ ଗଞ୍ଜ‌େଇ ମାଫିଆ ମଧ୍ୟ ଅଛନ୍ତି। ଗିରଫ ହୋଇଥିବା ଯୁବକ ଜଣକ ଆଲିଗଡର, ଆଉ ଜଣେ କୋରାପୁଟ ଜିଲ୍ଲାର ଲମତାପୁଟର।ଏହିମାନେ କୋରାପୁଟ ଲମତାପୁଟରୁ ଗଞ୍ଜ‌େଇ ନେଇ ଶହ ଶହ କିଲୋମିଟର ଅତିକ୍ରମ କରି ସାରିଥିବାବେଳେ ମାତ୍ର ଆଉ କେଇ କିଲୋମିଟର ଦୂରରେ ରହିଥିବା ଆଲିଗଡରେ ପହଞ୍ଚିଥାନ୍ତେ। କିନ୍ତୁ ଏହାକୁ ପଣ୍ଡ କରିଛି ପ୍ରୟାଗରାଜ ପୁଲିସ।

Advertisment

ତେବେ କୋରାପୁଟରୁ ପ୍ରୟାଗରାଜର ଦୂରତା ପ୍ରାୟ ୯୪୦ କିଲୋମିଟର। ଯିବାକୁ ପ୍ରାୟ ୨୦ରୁ ୨୫ ଘଣ୍ଟା ଲାଗିଥାଏ। ଏହାମଧ୍ୟରେ ଓଡ଼ିଶା-ଛତିଶଗଡ ଓ ୟୁପି ଦେଇ ଯିବାକୁ ହେଉଛି। ଏତେ ବାଟ ଯାଉଥିବାବେଳେ କିପରି ପୁଲିସ ଜାଣି ପାରୁନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ତେବେ କୋରାପୁଟ ଜିଲ୍ଲାରେ ୫ ବର୍ଷରେ ୧ଲକ୍ଷ ୬୩ ହଜାର ୩୦୦ କେଜି ଗଞ୍ଜେଇ ୨୩ଟି ଥାନାରେ ପଡିଥବାବେଳେ ଏହାକୁ ନଷ୍ଟ କରାଯିବା ଯୋଜନା ଆରମ୍ଭ ହୋଇଛି। ୨୦୧୮ରେ କୋରାପୁଟ ଜିଲ୍ଲାର ୪ଟି ଏସଡିପିଓଙ୍କ ଅଧୀନରେ ୫୮ ମାମଲା ରୁଜୁ ହୋଇ ୧୬,୬୦୦ କେଜି, ୨୦୧୯ରେ ୧୦୩ ମାମଲା ୧୬,୪୦୦ କେଜି, ୨୦୨୦ରେ ୧୪୮ ମାମଲା ୫୭,୬୦୦ କେଜି, ୨୦୨୧ରେ ୧୫୪ଟି ମାମଲା୫୩,୦୦୦ କେଜି ଓ ୨୦୨୨ ଅଗଷ୍ଟ ମାସ ସୁଦ୍ଧା ୯୧ ମାମଲା ରୁଜୁ ହୋଇଥିବାବେଳେ ୧୯୭୦୦ କେଜି ଗଞ୍ଜେଇ ଜବତ ହୋଇଛି।

ଏବେ ଯାଏ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୧ ଲକ୍ଷ ୬୬ ହଜାର ୩୩୦ କେଜି(୧୬୩.୩୦ ମେଟ୍ରିକ ଟନ) ଗଞ୍ଜେଇ ଜବତ ହୋଇଥିବାବେଳେ ଏହାକୁ ନଷ୍ଟ କରାଯିବାକୁ ଯୋଜନା ଚାଲିଛି। କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, ମାଛକୁଣ୍ଡ, ପାଡୱା, ଦାମନଯୋଡି, ସୁନାବେଢା, ସେମିଳିଗୁଡା, ନାରାୟଣପାଟଣା, ବନ୍ଧୁଗାଁ ପୁଲିସ ଥାନାରେ ୧୦ରୁ ଅଧିକ ମାମଲା ରୁଜୁ ‌ହୋଇଛି। କୋରାପୁଟ, ମାଲକାନଗିରି, ଜୟପୁର ଓ ରାୟଗଡା ଜିଲ୍ଲାର ଦୁର୍ଗମ ଓ ବିଛିନ୍ନ ଅଞ୍ଚଳରେ ଚାଷ କରାଯାଉଛି ଗଞ୍ଜେଇ। ଏହାକୁ ରୋକିବାକୁ ତତ୍କାଳୀନ ଏସପି ଏକ କୋର ଟିମ ଗଠନ କରିଥିଲେ। ଏହି ଟିମରେ ରହିଥିବା ଏସଡିପିଓ, ଆଇଆଇସି, ଏସଆଇଙ୍କୁ ମୁକ୍ତ କ୍ଷମତା ପ୍ରଦାନ କରାଯାଇଥିଲା। ଏବେ ଏହି ଟିମ ଜିଲ୍ଲାରେ ଗଞ୍ଜ‌େଇ ଚୋରା ଚାଲାଣକୁ ରୋକିବାକୁ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନି। ଏନେଇ କୋରାପୁଟ ଏସପି ଅଭୁନବ ସୋନକାର କହିଛନ୍ତି ଯେ କିଛି ଗଞ୍ଜେଇ ମାଫିଆ ଯୁବଗୋଷ୍ଠୀଙ୍କୁ ମୋହରା କରିଛନ୍ତି। ସେମାନଙ୍କ ନିକଟରେ ପହଞ୍ଚିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ରିତିମତ ଧରା ପଡୁଛନ୍ତି। ସେମାନଙ୍କଠାରୁ କୋଟି କୋଟି ଟଙ୍କା ସହ ଦାମୀ ବାଇକ, କାର ଓ ମୋବାଇଲ ଜବତ ହେଉଛି। ଏହି ଧରପଗଡ ନିୟମିତଭାବେ ଚାଲିବ ବୋଲି ସେ କହିଛନ୍ତି।