କୋଟିଏ ଟଙ୍କାର ଗଂଜେଇ  ଜବତ, ଜଣେ ଗିରଫ, ୬ ଫେରାର

ପିକଅଫ୍ ଭ୍ୟାନ, ୧ଲକ୍ଷ ୮୦ହଜାର ଟଙ୍କାଓ ମୋବାଇଲ୍ ଫୋନ ଜବତ 

ଜୟପୁର : କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଂଚଳରୁ ପିକ୍ ଅଫ୍ ଭ୍ୟାନରେ ଜୟପୁରକୁ ଆସୁଥିଲା ଗଂଜେଇ। ଏଠାରୁ ଟ୍ରକ ଯୋଗେ ଅନ୍ତଃରାଜ୍ୟକୁ ଯାଇଥାନ୍ତା। କିନ୍ତୁ ଜୟପୁର ସଦରଥାନା ଅଂଚଳରେ ପୁଲିସ ହାବୁଡ଼ରେ ଗତ କାଲି ୪ଟା ୪୦ ବେଳେ ପଡ଼ିଗଲା। ଭ୍ୟାନରୁ ଗଂଜେଇ ବାହାର କରି ଟ୍ରକରେ ଲୋଡ଼ କରିବା ପୂର୍ବରୁ ଭ୍ୟାନ୍ ସହ  ଚାଲାଣ କରୁଥିବା ଜଣେ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ସେମିଳିଗୁଡ଼ା ଥାନା ଅର୍ନ୍ତଗତ ଆରକେ ମାଳିଗୁଡା ଗାଁର ଅର୍ଜୁନ ଖରାଙ୍କ ୨୨ବର୍ଷର ପୁଅ ସଂଜୟ ଖରା।

ଏହି ମାମଲାରେ ଆଉ ୬ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ପୁଲିସ ଚଢ଼ାଉ ହେବାରୁ ସେମାନେ ଚମ୍ପଟ ମାରିଛନ୍ତି। ବହୁ ଶୀଘ୍ର ଉକ୍ତ ଅଭିଯୁକ୍ତଙ୍କୁ ବି ଧରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା । ସୂଚନା ଅନୁଯାୟୀ, ଗତ କାଲି ଗୋଟିଏ ପିକଅଫ୍ ଭ୍ୟାନ ଏପି-୩୫-ଡବ୍ଲୁ-୦୪୮୭ରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଅଂଚଳରୁ ଜୟପୁର ସହର ନିକଟସ୍ଥ କୋରାପୁଟ ଘାଟି ପର୍ଯ୍ୟନ୍ତ ଗଂଜେଇ ଅଣାଯାଉଥିଲା। ଅଣାଯାଇଥିବା ସବୁ ଗଂଜେଇକୁ ଟ୍ରକରେ ଲଦିବା ପରେ  ଏଠାରୁ ଏହା ଅନ୍ତଃରାଜ୍ୟକୁ ଚାଳାଣ ହେଉଥିବା ସୂଚନା ପାଇଥିଲେ ଜୟପୁର ସଦରଥାନା ଅଧିକାରୀ। ସେ ନିଜେ ଏହାର ନେତୃତ୍ବ ନେଇ ସବଇନିସପେକ୍ଟର ଏନକେ ଟପ୍ପୋ ସଦଳବଳ ସହ ଜୟପୁର ଘାଟି ନିକଟରେ ଛପି ରହି ଭ୍ୟାନକୁ ଧରିଥିଲେ। ପିକଅଫ ଭ୍ୟାନଟିକୁ ଯାଂଚ କରିବାରେ ଏଥିରେ ଗଂଜେଇ ରହିଥିଲା। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଂଜେଇକୁ ବାହାର କରିଥିଲେ। ଏହା ଓଜନ କରିବାରେ ୧୦୫୩କିଲୋ ହୋଇଥିଲା। ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୫ଲକ୍ଷ ହେବ ବୋଲି ଏସଡିପିଓ ଓ ସଦରଥାନା ଅଧିକାରୀ କହିଛନ୍ତି। ଅଭିଯୁକ୍ତ ସଂଜୟଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା। ଯାଂଚ ବେଳେ ସଂଜୟଙ୍କ ନିକଟରୁ ଗୋଟିଏ ମୋବାଇଲ୍ ଫୋନ ଓ ୧ଲକ୍ଷ ୮୦ହଜାର ଟଙ୍କା ବି ଜବତ କରାଯାଇଛି। ସେଭଳି ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ୬ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। ଏମାନଙ୍କୁ ଅତିଶୀଘ୍ର ଧରା ଯିବ ବୋଲି ପୁଲିସ ଅଧିକାରୀ ମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ, ଗତ ୧୫ତାରିଖ ଦିନ ଓଦା ବୋଝେଇ ପିକ୍ ଅଫ୍ ଭ୍ୟାନରେ ୧୦୦୧କିଲୋ , ୧୮ତାରିଖ ଦିନ ନୂଆ ଏକ୍ସୟୁଭି କାର ସହ ୧୦୨କିଲୋ, ଓ ଆଜି ପୁଣି ୧୦୫୩କିଲୋ ଗଂଜେଇ ଜବତ କରିଛି ସଦର ପୁଲିସ। ତେବେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ନିୟମିତ ଭାବେ ଧରପଗଡ଼ କରାଯାଇ କୋଟି କୋଟି ଟଙ୍କାର ଗଂଜେଇ ଜବତ କରାଯାଉଛି। ତେବେ ଏତେ ପରିମାଣର ଗଂଜେଇ ଚାଷ କେଉଁଟି ହେଉଛି , ସେ ସଂପର୍କରେ ପୁଲିସ, ପ୍ରଶାସନ ଓ ଅବକାରୀ ବିଭାଗ ଅବଗତ ଅଛନ୍ତି କି ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଯେଉଁ ଅଂଚଳ ଗୁଡ଼ିକରୁ ଏହି ଗଂଜେଇ ଚାଳାଣ ହୋଇ ଅନ୍ତଃରାଜ୍ୟ ଗୁଡ଼ିକୁ ବିକ୍ରୀ ପାଇଁ ବିଭିନ୍ନ ନାମିଦାମି ଗାଡ଼ି ଗୁଡ଼ିକରେ ଆସୁଛି ଉକ୍ତ ଅଂଚଳର ପୁଲିସ, ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ଚାଷ ହେଉଥିବା ସ୍ଥାନ , ବ୍ୟବସାୟୀ, ଏସକର୍ଟ, ପଟ୍ରୋଲିଂ କରୁଥିବା ଅଭିଯୁକ୍ତଙ୍କୁ ଧରୁଥିବା ବି ନଜିର ନାହିଁ।  ଅନ୍ୟ ପକ୍ଷରେ ଗଂଜେଇ ଚାଳାଣକାରୀ ମାନେ ଜାଣି ଶୁଣି ଗୋଟିଏ ଗାଡ଼ି ଧରାଇ ପୁଲିସକୁ ଏହି କାମରେ ନିୟୋଜିତ କରି ଅନ୍ୟ ଗାଡ଼ି ଗୁଡ଼ିକରେ ଅଧିକା ଗଂଜେଇ ଚାଲାଣ କରୁନାହାନ୍ତି ତ ବୋଲି ବୁଦ୍ଧିଜୀବୀ, ଆଇନଜୀବୀ ମାନେ ମତ ଦେଇଛନ୍ତି। କେବଳ ଚାଳାଣ ସମୟରେ ଧରିବା ବଦଳରେ କିଭଳି ଏହାର ମୂଳତ୍ପାଟନ ହୋଇ ପାରିବ ସେ ଦିଗରେ ବି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର