ରାଉରକେଲା: ରାଉରକେଲା ଅବକାରୀ ପୁଲିସ ଓ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ଭାବେ ଆଜି ସହରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଚଢ଼ଉରେ ଆଜି ବଡ଼ ଧରଣର ସଫଳତା ମିଳିଛି। ଦୀର୍ଘ ଦିନ ହେଲା ଗଞ୍ଜେଇ ବେପାରରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ସମେତ ବେଆଇନ ମଦ ବିକ୍ରି କରୁଥିବା ୪ ଜଣ ଅଭିଯୁକ୍ତ, ମୋଟ୍ ୬ ଜଣଙ୍କୁ ଗିରଫ କରିଛି ।
ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ପ୍ଲାଣ୍ଟ୍ସାଇଟ୍ ଅଞ୍ଚଳର ଅମୀୟ ରାଉତ ଓ ଆମ୍ବାଗାନ ମାର୍କେଟ କଂପ୍ଲେକ୍ସର ହେମନ୍ତ ଦାଶ। ଅମୀୟଠାରୁ ୩ କେଜି ଶହେ ଗ୍ରାମ୍ ଗଞ୍ଜେଇ ଓ ନଗଦ ୨ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଛି। ଅମୀୟଙ୍କ ଘରେ ଚଢ଼ଉ କରାଯାଇଥିଲା। ଅମୀୟ ଦୀର୍ଘଦିନ ହେଲା ଏହି ବେପାରରେ ଲିପ୍ତ ଅଛନ୍ତି। ତାଙ୍କ ଉପରେ ଅବକାରୀ ପୁଲିସ ତୀକ୍ଷ୍ଣ ନଜର ରଖିଥିଲା। ତେବେ ସେ ବହୁ ପରିମାଣର ଗଞ୍ଜେଇ ଆଣିଥିବାବେଳେ ଇତିମଧ୍ୟରେ ଅର୍ଦ୍ଧାଧିକ ବିକ୍ରି କରିସାରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେହିଭଳି ଆମ୍ବାଗାନ ମାର୍କେଟ କଂପ୍ଲେକ୍ସରୁ ଅନ୍ୟତମ ଅଭିଯୁକ୍ତ ହେମନ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।
ଏହାସହ ଅବକାରୀ ପୁଲିସ ପକ୍ଷରୁ ସେକ୍ଟର-୫, ସେକ୍ଟର-୬. ତିଲକାନଗର, ଶୀତଳପଡ଼ା ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ଓ ବିଦେଶୀ ମଦ ବେପାର ଉପରେ ଚଢ଼ଉ ହୋଇଥିଲା। ଅନୈତିକଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ କମ୍ବୁଲାଲ ଡୁଙ୍ଗୁରୀ, ଗୁଲ୍ଠୁ ଲାଖୁଆ, ମାଦକୀ ଲୋହାର, ଉଷା ଡୁଙ୍ଗଡୁଙ୍ଗଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୩.୧୦୫ ଲିଟର ବିଦେଶୀ ମଦ ଓ ୧୧୪ ଲିଟର ଦେଶୀ ମଦ ସମେତ ଗୋଟିଏ ସ୍କୁଟି ଜବତ ହୋଇଛି। ଅବକାରୀ ଏସ୍ପି ଶେଖ୍ ଅଶ୍ରଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ(ସମ୍ବଲପୁର)ର ଏସ୍ଆଇ ଶଶୀକାନ୍ତ ଦତ୍ତ, ହେମନ୍ତ ମହାନନ୍ଦିଆ, ରାଉରକେଲା ଅବକାରୀ ବିଭାଗର ଏସ୍ଆଇ ଶ୍ରୀଧର ମହାନ୍ତ, ରମାକାନ୍ତ ଚାନ୍ଦ, ମାନସ ମୁଣ୍ଡା ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-13-at-20.01.16.jpeg)