ଆମ୍ବୁଲାନ୍ସ ଭିତରୁ ୫୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକରେ ଚୋରା ଗଞ୍ଜେଇ, ଚରସ ଓ ମଦ କାରବାର ବୃଦ୍ଧି ପାଇଛି। ପୁଲିସ ଏଭଳି ଚୋରା କାରବାରକୁ ରୋକିବାରେ ସଫଳ ହୋଇପାରୁନି। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପୁଲିସର ନିଷ୍କ୍ରିୟତା ଏବେ ପଦାରେ ପଡିଛି। ସେହିପରି ଲୁଟ ତରାଜ ଓ ଚୋରି ଘଟଣା ବୃଦ୍ଧି ପାଇଛି। ଗତ ଦୁଇଦିନ ତଳେ ଭଦ୍ରକର ଗ୍ରାମାଞ୍ଚଳ ଥାନା ନିକଟରେ ଥିବା ଏକ ମନ୍ଦିରରୁ ଠାକୁରଙ୍କ ସାମଗ୍ରୀ ଚୋରି ହୋଇଥିବା ବେଳେ ସେହିଦିନ ସାମରାଇପୁର ଅଞ୍ଚଳରେ ୩ ଟି ସ୍ଥାନରେ ଗ୍ରୀଲ ଭାଙ୍ଗି ଦୁର୍ବୁତ୍ତ ମାନେ ୩ ଟି ମଟର ସାଇକେଲ ଚୋରି କରି ନେଇଛନ୍ତି। ଗତକାଲି ପୁଣି ରାତି ସାଢେ ଦଶଟା ବେଳେ ବନ୍ଧୁକ ଦେଖାଇ ଭଦ୍ରକର ଆରଡିଛକ ମେଡିସିନ ଷ୍ଟୋରରୁ ଲୁଟ୍ କରି ଲୁଟେରା ମାନେ ଚମ୍ପଟ ମାରିଛନ୍ତି। ଏଇ ଲୁଟେରାଙ୍କ ଟେର ପୁଲିସ ପାଉ ନାହିଁ। ଆଜି ପୁଣି ସକାଳୁ ସକାଳୁ ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତଛକ ନିକଟରୁ ଭଦ୍ରକ ଟାଉନ ପୁଲିସ ଏକ ଆମ୍ବୁଲାନ୍ସରେ ଅଭିନବ କାଇଦାରେ ୫୦ କେଜି ଗଞ୍ଜେଇ ନେଇ କିଛି ଚୋରା ବେପାରୀ କଟକରୁ ଭଦ୍ରକ ଅଭିମୁଖେ ଆସିଥିଲେ।

ଏଇ ଚୋରା ଗଞ୍ଜେଇ ବେପାରୀଙ୍କୁ ପୁଲିସ ଧରିବା ସହ ଏମାନଙ୍କ ଟିମରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଟାଉନ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଏଇ ଗଞ୍ଜେଇ ଚୋରା ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି। ସେ ସଂପର୍କରେ ପୁଲିସ ଖୋଳତାଡ ଆରମ୍ଭ କରିଛି। ଭଦ୍ରକ ସହର ଓ ଏହାର ଆଖପାଥ ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହୋଇପଡୁଥିବା ବେଳେ ପୁଲିସର ଉଦାସୀନ ହୋଇପଡିଛି। ଭଦ୍ରକରେ ପୁଲିସ ପେଟ୍ରୋଲିଂ ରାତି ବେଳେ ଠିକ୍ ଭାବେ କରାଯାଉ ନଥିବା ବେଳେ ଭଦ୍ରକ ସହରରେ ଏବେ ଲୁଟେରା ଟିମ୍ ବନ୍ଧୁକ ଧରି ବୁଲିବା ଆରମ୍ଭ କଲେଣି।

ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରି ଲୁଟ୍ ତରାଜ କରୁଛନ୍ତି। ନିକଟ ଅତୀତରେ ଭଦ୍ରକର ଆନ୍ଦିଆ ଫେକର ପାୱାର ପ୍ଲାଣ୍ଟ ନିକଟରୁ ଏକ ମଟୋର ସାଇକେଲରେ ଯାଉଥିବା ଦୁଇ ଦୁର୍ବୁତଙ୍କ ହେଲମେଣ୍ଟ ଭିତରୁ ବନ୍ଧୁକ ରାସ୍ତା କଡରେ ଛିଟିକି ପଡିଥିବା ବେଳେ ଏଇ ଘଟଣାରେ ସଂପୃକ୍ତ ଯୁବକଙ୍କ ଟେର ପୁଲିସ ଏବେ ସୁଦ୍ଧା ପାଇନାହିଁ। ସେହିପରି ଭଦ୍ରକର ଆରଡି ରାସ୍ତାର ହରିପୁର ନିକଟରେ ଗତ ୨ ମାସ ତଳେ ଦୁଇ ଜଣ ଲୁଟେରା ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କ ନିକଟରୁ ସୁନା ଚେନ୍ ଲୁଟି ନେବାକୁ ଉଦ୍ୟମ କରିଥିଲେ। ଭଦ୍ରକ ଜିଲ୍ଲାର ଏବେ କିଛି ଲୁଟେରା ବନ୍ଧୁକ ମୁନରେ ନିଜର ଆତଙ୍କରାଜ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଜିଲ୍ଲା ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ପୁଲିସର ଏଭଳି ନିଷକ୍ରିୟତାକୁ ନେଇ ଭଦ୍ରକର ଜନସାଧାରଣ ପ୍ରଶ୍ନ ଉଠାଇଲେ। ଯଦି ଭଦ୍ରକରେ ପୁଲିସ ବାହିନୀ ଲୁଟେରାଙ୍କୁ ଧରିବାରେ ବିଫଳ ହେଉଛି। ତେବେ ଏଭଳି ପୁଲିସ ବାବୁଙ୍କୁ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ ଉଠିଛି। ଏବେ ପୁଲିସ ଉପରୁ ସାଧାରଣ ଲୋକଙ୍କର ଆସ୍ଥା ତୁଟିବାକୁ ବସିଛି। ଏ ଦିଗରେ ଭଦ୍ରକ ଏସପି ଦୃଷ୍ଟି ନଦେଲେ ସା‌ଧାରଣ ଲୋକଙ୍କ ଧନ ଜୀବନ ଆଗକୁ ଆହୁରି ଅସୁରକ୍ଷିତ ହୋଇପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର