ଦେଓଗାଁ: ଇନୋଭାର ପଛପଟେ ସିକ୍ରେଟ ଚାମ୍ବର। ଆଉ ଚାମ୍ବର ଭିତରେ ପୁଳାପୁଳା ଗଞ୍ଜେଇ। ସାଉଥ ସୁପରହିଟ ଫିଲ୍ମ ପୁଷ୍ପାର କାହାଣୀ କାଠ ଚୋରାଚାଲାଣ ଷ୍ଟାଇଲରେ ଚାଲିଥିଲା ଗଞ୍ଜେଇ ଚାଲାଣ। ମାଡି ବସିଲା ପୁଲିସ। ଫେରାର ମାଫିଆ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରତନପୁର ଗ୍ରାମରେ। ଗାଁର ଢ଼ାବା ମାଲିକ ଜଗା ଦଲେଇର ଫାର୍ମ ହାଉସ ଭିତରେ ଗଞ୍ଜେଇ କାରବାର କରାଯାଉଥିବା ଖବର ପାଇଥିଲା ପୁଲିସ। ଗତ ଶନିବାର ରାତିରେ ଦେଓଗାଁ ପୁଲିସ ଜାତୀୟ ରାଜପଥ ୨୬ରୁ ସିଂହପାଲି ଆଡକୁ ଯାଇଥିବା ରାସ୍ତା ଉପରେ ଥିବା ଏକ ଫାର୍ମ ହାଉସରେ ଚଢ଼ଉ କରି ଫାର୍ମହାଉସକୁ ସିଲ କରିଥିଲା।

Advertisment

ରବିବାର ଦିନ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତି ରହିବା ପରେ ପୁଲିସ ସିଲ ଫାର୍ମହାଉସକୁ ଖୋଲଥିଲା। ଏହି ଫାର୍ମ ହାଉସ ଭିତରେ ଥିବା ଓଆର ୦୨ ବିଆର ୧୨୪୨ ନମ୍ବରର ଏକ ଇନୋଭା କାର ଥିଲା। ଇନୋଭାର ପଛପଟେ ସିଟ ତଳେ ଏକ ସ୍ୱତନ୍ତ୍ର ଚ୍ୟାମ୍ବର କରାଯାଇଥିଲା। ସେହି ଚାମ୍ବରକୁ ଖୋଲିବାରୁ ତା’ ଭିତରୁ ବାହାରିଥିଲା ପୁଳା ପୁଳା ଗଞ୍ଜେଇ। ପୁଲିସକୁ ଚକ୍‌ମା ଦେବା ପାଇଁ ପୁଷ୍ପା ଷ୍ଟାଇଲରେ କରାଯାଉଥିଲା ଗଞ୍ଜେଇ ଚାଲାଣ। ପୁଲିସ ଇନୋଭା ଗାଡିକୁ ଜବତ କରିବା ସହିତ ଗଞ୍ଜେଇକୁ ଓଜନ କରିଥିଲା ଓଜନ ହୋଇଥିବା ଗଞ୍ଜେଇର ପରିଣାମ ୨୮ କେଜି ହୋଇଥିବା ଜଣାପଡିଛି। ଇନୋଭା ଗାଡିଟି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଥିବା ବେଳେ, ଫାର୍ମହାଉସ ଢ଼ାବା ମାଲିକ ଜଗା ଦଳେଇର। ତେଣୁ ପୁଲିସ ଇନୋଭା ମାଲିକ ଓ ଢ଼ାବା ମାଲିକକୁ କାବୁ କରିବାକୁ ଚେଷ୍ଟା ଜାରି ରଖିଛି।

ଅନ୍ୟପଟେ ଢ଼ାବା ମାଲିକ ଫେରାର ମାରିଛି। ଫାର୍ମ ହାଉସ ଭିତରେ ଏକ ବଡ ପେଟ୍ରୋଲ ଟ୍ୟାଙ୍କର ରଖାଯାଇଥିଲା। ଟ୍ୟାଙ୍କର ସାମ୍ନାରେ ଏକ ସିମେଣ୍ଟ ଟାଙ୍କି କରାଯାଇଛି। ଟ୍ୟାଙ୍କରରେ ବେଆଇନ ଡିଜେଲ କିରୋସିନ ରଖି ବେପାର କରୁଥିବା ସନ୍ଦେହ କରାଯାଉଛି। କିନ୍ତୁ ଦେଓଗାଁ ପୁଲିସର କହିବ କଥା, ଗତବର୍ଷ ଉକ୍ତ ଟ୍ୟାଙ୍କର ଭିତରେ ବେଆଇନ ଡିଜେଲ କିରୋସିନ କାରବାର ଅଭିଯୋଗରେ ଅଜୟ ସିଂହ ନାମକ ଜଣକୁ ଦେଓଗାଁ ପୁଲିସ ଗିରଫ କରିଥିଲା। ଏବେ କିନ୍ତୁ ସେହି ଟ୍ୟାଙ୍କର ନିକଟରୁ ଇନୋଭା ଗାଡ଼ିରୁ ଗଞ୍ଜେଇ ଜବତ ହୋଇଛି। ତେଣୁ ଢ଼ାବା ମାଲିକ ଗଞ୍ଜେଇ ସହିତ ବେଆଇନ ତେଲ କାରବାର କରୁଥିବା ସନ୍ଦେହ କରାଯାଉଛି। ଏନେଇ ଦେଓଗାଁ ଆଇଆଇସି ତାରାବତୀ ପ୍ରଧାନଙ୍କୁ ପଚାରିବାରୁ ଗଞ୍ଜେଇ ଓ ଇନୋଭା ଗାଡିକୁ ଜବତ କରାଯାଇଛି। କେହି ଧରା ପଡିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ଅଞ୍ଚଳରେ ଏବେ ବେଧଡକ ଭାବରେ ଗଞ୍ଜେଇ ଚୋରା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦେଓଗାଁ-ତୁଷୁରା ରାସ୍ତାରୁ ଉପରଝର ରାସ୍ତା ଓ ଦେଓଗାଁ ଜାତୀୟ ରାଜପଥ ୨୬ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଅଭିଯୋଗ ହେଉଛି। ଏହି ଗଞ୍ଜେଇ ଚାଲାଣ ପଛରେ ଦେଓଗାଁରେ କିଛି ଲୋକଙ୍କ ହାତ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି। ଏଣୁ ଏଦିଗରେ ପୁଲିସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।