ଓଡ଼ିଶାରୁ ଗଂଜେଇ ଚାଲାଣ କରୁଥିଲେ ତେଲେଙ୍ଗାନା ପୁଲିସ କନେଷ୍ଟବଳଙ୍କ ସମେତ ୭ ଜଣ, ଧରାପଡ଼ି ଜେଲ୍‌ ଗଲେ

୧୦୩ କିଲୋ ଗଂଜେଇ ସହ ୨ ଦାମୀ କାର, ୩ ଆଇଫୋନ ଜବତ

କାଲିମେଳା: ଫେରାର ଗଂଜେଇ ମାଫିଆଙ୍କୁ ପଳାତକ ଘୋଷଣା କରିବା ସହିତ ସେମାନଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରିବାକୁ କୋର୍ଟ ନିର୍ଦେଶ ଦେଉଛନ୍ତି। କିନ୍ତୁ ଏଥି ପ୍ରତି ଗଂଜେଇ ମାଫିଆଙ୍କ ତିଳେ ମାତ୍ର ଡ଼ରଭୟ ନାହିଁ । ସବୁଠାରୁ ବଡ଼କଥା ହେଲା ଯେଉଁ ପୁଲିସବାଲା ଗଂଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହେଉଛନ୍ତି ସେହି ପୁଲିସବାବୁମାନେ ମଧ୍ୟ ଏହି ଗଂଜେଇ ମାମଲାରେ ସଂପୃକ୍ତ ରହିଥିବାର ଜଣାପଡ଼ିଛି। ଏକ ଗଂଜେଇ ଚୋଲା ଚାଲାଣ ମାମଲାରେ କାଲିମେଳା ପୁଲିସ ଜଣେ ତେଲେଙ୍ଗାନା ପୁଲିସ କନେଷ୍ଟବଳକୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି। ଗିରଫ କନେଷ୍ଟବଳଙ୍କ ନାମ ହେଲା ଆର ଶ୍ରୀନୁ ନାୟକ। ସଂପୃକ୍ତ କନେଷ୍ଟବଳଙ୍କର ଘର ତେଲେଙ୍ଗାନା ରାଜ୍ୟର ରଗାଂରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁରନଗର। କନେଷ୍ଟବଳଙ୍କ ନାମରେ ପୂର୍ବରୁ ମଧ୍ୟ ୨ଟି ମାମଲା ଥିବାର ସୂଚନା ମିଳିିଛି।

ସୂଚନା ଅନୁସାରେ କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବାବେଳେ ପୁଲିସ କମଳାପଦର ଘାଟିରୁ ସଂଦେହରେ ୨ଟି କାରକୁ ଜବତ କରିଥିଲା। ୨ଟିଯାକ କାରକୁ ସର୍ଚ୍ଚ କରିବାରୁ ଡ଼ିକିରେ ୧୦୩କିଲୋ ଗଂଜେଇ ଠାବ ହୋଇଥିଲା। ଗୋଟିଏ କାରରେ ୩ଜଣ ବସିଥିବାବେଳେ ଅନ୍ୟ ଗାଡ଼ିରେ ୪ଜଣ ବସିଥିଲେ। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୁଲିସ ବିଭାଗର କନେଷ୍ଟବଳ ବୋଲି ଜଣପଡ଼ିଥିଲା।

ସେହିପରି ଅନ୍ୟଜଣେ ମଧ୍ୟ ପୁଲିସବାବୁଙ୍କର ସଂପର୍କୀୟ ଭାଇ ରହିଥିବାର ପୁଲିସ ଜାଣିବାକୁ ପାଇଛି। ଏହି ୨ଟି ଦାମୀ କାରରୁ ୧୦୩କିଲୋ ଗଂଜେଇ ସହ ୩ଟି ଆଇଫୋନ, ୩ଟି ସ୍ମାର୍ଟ ଫୋନ ପୁଲିସ ଜବତ କରିଥିବାବେଳେ ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ୭ଜଣ ଗିରଫ ଅଭିଯୁକ୍ତଙ୍କ ମାନେ ହେଲେ ତେଲେଙ୍ଗାନାର ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁର ନଗରର ଆର ଶ୍ରୀନୁ ନାୟକ (ତେଲେଙ୍କାନା ପୁଲିସ କନେଷ୍ଟବଳ-୮୧୫୫ଏଆର), ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ମିରପେଟ ଅଂଚଳର କେ ବିଜୟ ନାୟକ, ମହାରାଷ୍ଟ୍ରର ଉସମାନବାଦ ଅଂଚଳର ବାଲୁ ଯାଦବ, କାଲିମେଳା ଦୁଲାଗାଣ୍ଡି ଗ୍ରାମର କେ.ଲକ୍ଷଣ, ଆନ୍ଧ୍ରପ୍ରଦେଶର ଗୁଂଟୁର ଅଂଚଳର ଆର. କାର୍ତ୍ତିକ, ଆର ରାଜୀବ ଓ ଏନ୍‌ ବେଣୁଗୋପାଳ।

 

ସମ୍ବନ୍ଧିତ ଖବର