ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣୀ ଘାଟି ନିକଟ ରାଜନାପଲ୍ଲୀରେ ପୁଲିସ ଚଢ଼ଉ କରି ଏକ ଦୋଭଜା ବୋଝେଇ ଟ୍ରକ୍‌ରୁ ୧୭ ବସ୍ତା ତଥା ୫୮୭ କିଲୋ ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଏଥିରେ ସମ୍ପୃକ୍ତ ଟ୍ରକ୍ ଚାଳକ ତଥା ବିହାରର ମଧୁସୂଦନ କୁମାରସିଂହକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ସୋମବାର ସନ୍ଧ୍ୟାରେ ଥାନା ଏସ୍‌ଆଇ ଶ୍ରୀନିବାସ ଦାସ ଓ ଏଏସ୍‌ଆଇ ପରମେଶ୍ବର ମଲ୍ଲିକ ଏବଂ ଅନ୍ୟମାନେ ପାଟ୍ରୋଲିଂ କରୁଥିବା ବେଳେ ଗଜପତିରୁ ଆସୁଥିବା ଉକ୍ତ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା।

Advertisment

ଦୋଭଜା ବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖାଯାଇ ଅଭିନବ ଉପାୟରେ ଗଜପତିରୁ ବିହାର ନିଆଯାଉଥିଲା। ଏନେଇ କେସ୍ ନମ୍ବର ୪୬୨ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା।