ରାୟଗଡା: ରାୟଗଡା ଜିଲ୍ଳା ଅବକାରୀ ଓ ଆରପିଏଫ ପୁଲିସ ମିଳିତ ଭାବେ ରାୟଗଡା ରେଳ ଷ୍ଟେସନରେ ଯାଞ୍ଚ କରୁଥିବା ବେଳେ ବିଶାଖାପାଟଣମ୍-ଦୂର୍ଗ ଏକ୍ସପ୍ରେସ୍ ଟ୍ରେନରୁ ୨୦୬ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ସୂଚନା ପ୍ରଦାନ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଳାର ସାହଜମାଲ ଗ୍ରାମ ତଥା ଆଖପାଖ ଅଞ୍ଚଳର ଇମ୍ରାନ୍ ଖାନ, ଆସଲାମ ଖାନ, ଜାଫୁରିଦ୍ଦୀନ ମଲ୍ଳିକ, ତାହିର ଓ ଅଦନାନ୍ ଆଲବି ବୋଲି ଜଣାପଡିଛି। ଜବତ ଗଞ୍ଜେଇର ବଜାରରେ ଆନୁମାନିକ ମୂଲ୍ୟ ୨୦ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ, ଗତକାଲି ରାୟଗଡା ରେଳବାଇ ଷ୍ଟେସନ ରେଳବାଇ ସୁରକ୍ଷା ପୁଲିସ ବଳ (ଆରପିଏଫ) ଦୂର୍ଗ ଏକ୍ସପ୍ରେସରେ ଯାଞ୍ଚ କରୁଥିବା ବେଳେ କିଛି ବ୍ୟକ୍ତି ପ୍ରାୟ ୧୭ଟି ଜରି ପ୍ୟାକେଟ ନେଉଥିବା ଦେଖିବା ପରେ ଯାଞ୍ଚ କରିଥିଲେ। ସେଥିରେ ଗଞ୍ଜେଇ ରହିଥିବା ସେମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ଆଜି ସକାଳେ ସେହି ଗଞ୍ଜେଇକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ। ଆଉ ଏଥିରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତକୁ ଗିରଫ କରାଯାଇ ଅବକାରୀ ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇଥିଲା।
ପରେ ଅବକାରୀ ବିଭାଗ ଅଧିକାରୀମାନେ ଜେରା କରିବା ପରେ ଏହି ଗଞ୍ଜେଇ ଗୁଡିକ ପାର୍ବତିପୁରମରୁ ଉତର ପ୍ରଦେଶକୁ ଟ୍ରେନ୍ ଯୋଗେ ଚୋରା ଚାଲାଣ କରାଯିବା ପାଇଁ ଯୋଜନା ହୋଇଥିବା ବେଳେ ରାୟଗଡା ରେଳ ଷ୍ଟେସନରେ ଧରାପଡିଥିଲେ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିିବା ସହ ରାଜ୍ୟ ଅବକାରୀ କମିସନର ନରସିଂହ ଭୋଳ ଏବଂ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଳାରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଭଳି ନିଶା ଦ୍ରବ୍ୟକୁ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ପାଇଁ ବିଭାଗୀୟ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଳା ପୁଲିସ ଏବଂ ରେଳବାଇ ପୁଲିସ ସହ ମିଳିତ ଭାବେ ଜିଲ୍ଳାର ସମସ୍ତ ଥାନା ଅଞ୍ଚଳରେ ପେଟ୍ରୋଲିଂ ତଥା ଯାଞ୍ଚ କରି ଏଭଳି କାରବାରକୁ ରୋକିବାରେ ସକ୍ଷମ ହେଉଛନ୍ତି ବୋଲି କହିଥିଲେ। ଏହି ଚଢଉ ସମୟରେ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ଗୁପ୍ତେଶ୍ବର ପ୍ରଧାନ, ସଦର ଥାନା ନିରୀକ୍ଷକ ସୀମାକିରଣ ବେକ୍, ସବ୍ ଇନ୍ସପେକ୍ଟର ସଞ୍ଜୟ କୁମାର ପ୍ରଧାନ, ଏଏସଆଇ ରାଶି ନାୟକ, ଜିଲ୍ଳା ମୋବାଇଲ ୟୁନିଟ ଅଧିକାରୀ କିଶୋର ଚନ୍ଦ୍ର ରଥ, ହିତାଂଶୁ ଶେଖର ମଲ୍ଳିକ, ଏଏସଆଇ କେ. ଭାସ୍କର, ସଂଗ୍ରାମ କେଶରୀ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।