୧୩ କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ

ମାଲକାନଗିରି: ମାଲକାନଗିରି ପୁଲିସ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବେଧଡକ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ପୁଣି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ବୋଦାପୁଟ ଏବଂ କମାରଗୁଡା ଗ୍ରାମ ନିକଟସ୍ଥ ସରକାରୀ ଜଙ୍ଗଲରେ ଲାଗିଥିବା ୯୨ ଏକର ଜାଗାରେ ପ୍ରାୟ ୧ ଲକ୍ଷ ୩୮ ହଜାର ୫୦୦ ଗଛକୁ କାଟି ନିଆଁରେ ପୋଡି ଦିଆଯାଇଛି। ପ୍ରକାଶ ଥାଉକି, ଏହି ଅଞ୍ଚଳରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ଜିଲ୍ଲା, ରାଜ୍ୟ ଏବଂ ଦେଶକୁ ରପ୍ତାନୀ ହେଉଛି। ଆଜି ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କାର ହେବ ବୋଲି କୁହାଯାଇଛି।

ପ୍ରତିବର୍ଷ ମାଲକାନଗିରି ଜିଲ୍ଲାର କେବଳ ଗଞ୍ଜେଇ କାରବାର ଏକ ହଜାର କୋଟିରୁ ଉର୍ଦ୍ଧ୍ବ ହେଉଥିବା ବେଳେ ଏଥର କିନ୍ତୁ ପୁଲିସ ଏବଂ ଅବକାରୀ ବିଭାଗର ଘନ ଘନ ଚଢାଉରେ ଗଞ୍ଜେଇ ଚାଲାଣରେ ରୋକ ଚାଲିବ ବୋଲି କୁହାଯାଇଛି। ତେବେ ଏବେ ବି ନକ୍ସଲ ପ୍ରବଣ ଦୁର୍ଗମ ଅଞ୍ଚଳରେ ଜୋରସୋରରେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ସେଠାକୁ ପୁଲିସ କିମ୍ବା ଅବକାରୀ ବିଭାଗର କର୍ମଚାରୀ ପହଞ୍ଚିବା ଏକ ପ୍ରକାର ମୁସକିଲ ବୋଲି କୁହାଯାଇଛି।କିନ୍ତୁ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ସେହି ଅଂଚଳରେ ମଧ୍ୟ ପହଞ୍ଚି ଗଞ୍ଜେଇ ଗଛକୁ ମୁଳତ୍ପାଟନ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର