ଖୋର୍ଦ୍ଧା : ସମସ୍ତେ କେବଳ ଶିକ୍ଷତ ନୁହନ୍ତି, କଲେଜ ପଢ଼ୁଆ ମଧ୍ୟ । ଗଜପତିରୁ ପ୍ରାୟ ୬ଲକ୍ଷ ଟଙ୍କାର ଗଂଜେଇ ଭର୍ତି ଦୁଇଟି କାର ନେଇ ସିନେମା ଷ୍ଟାଇଲ୍ରେ ଥରେ ନୁହେଁ ତିନି ତିନି ଥର ତିନିଟି ଜିଲ୍ଲାର ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଖସି ଆସିଥିଲେ । ଶେଷରେ ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲ୍ ଫାଟକ ନିକଟରେ ଧରାପଡ଼ିଲେ ।
ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଏକ ବଡ଼ଧରଣର ଗଂଜେଇ ଚୋରା ଚାଲାଣକୁ କାବୁ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନାରେ, ଗଜପତିର ମୋହନାରୁ ଓଡି ୦୨ ଏଏକ୍ସ ୮୧୬୦ ଏବଂ ଓଡି ୦୭ ୱାଇ ୩୭୯୯ ଦୁଇଟି କାର୍ରେ ବିପୁଳ ଗଂଜେଇ ଭୁବନେଶ୍ୱର ଚାଲାଣ ହେଉଥିବା ସୂଚନା ମିଳିଥିଲା । ଅବକାରୀ ଗୁଇନ୍ଦା ବିଭାଗ ଏନେଇ ବିଭାଗକୁ ସଚେତନ କରିବା ପରେ ଗଜପତି ଅବକାରୀ ବିଭାଗ ସେମାନଙ୍କୁ ଗଜପତି ସୀମା ମଧ୍ୟରେ ଧରିବାକୁ ଚେଷ୍ଟା କରି ସକ୍ଷମ ହୋଇପାରିନଥିଲା । ଏହାପରେ ସେମାନେ ଗଂଜାମ ଅବକାରୀ ବିଭାଗକୁ ସୂଚନା ଦେଇଥିଲେ । ଗଂଜାମ ଅବକାରୀ ବିଭାଗ ଆଖିରେ ସେମାନେ ଧୂଳି ଦେଇ ଜଙ୍ଗଲ ରାସ୍ତାରେ ଖସି ଆସିବାରେ ସକ୍ଷମ ହୋଇଥିଲେ । ଗଂଜାମ ଅବକାରୀ ବିଭାଗ ଠାରୁ ସୂଚନା ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଗୋଡ଼ିପଡ଼ା ଟୋଲ୍ ଫାଟକ ନିକଟରେ ଛକି ବସିଥିଲା । ଟୋଲ୍ କର ବାନ୍ଧିବା ପାଇଁ କାର ଗତି ମନ୍ଥର ହେବା କ୍ଷଣି ଚାରିପଟରୁ ଘେରିଯାଇଥିଲେ ଅବକାରୀ ବିଭାଗ କର୍ମଚାରୀ ।
ଗୋଟିଏ କାର୍ରେ ୧୦୦ କିଲୋଗ୍ରାମ ଗଂଜେଇ ରହିଥିବା ବେଳେ ଆଉ ଏକ କାରରେ ୮୦ କିଲୋଗ୍ରାମ ଗଂଜେଇ ରହିଥିଲା । କାର୍ ମଧ୍ୟରୁ ଅଡ଼ବା ଥାନା ଅନ୍ତର୍ଗତ ରଥଦଣ୍ଡା ଗାଁର ସୁନୀଲ ମଣ୍ଡଳ(୨୨), ଗୁନିଗୁଡ଼ାର ମନୁ ଗମାଙ୍ଗ(୨୫), ଚୁଡ଼ଙ୍ଗପୁରର ରବୀନ୍ଦ୍ର ରଇତ(୨୪), ରମାକାନ୍ତ ରଇତ(୨୮), ସୁମ୍ବରା ରଇତ(୨୦), ବେସରଗୁଡ଼ାର ଲଜାର ରଇତ (୨୭)ଙ୍କୁ ଧରିଥିଲା । ସେମାନେ ସମସ୍ତେ ଯୁକ୍ତ ତିନି ପଢ଼ିଥିବା ବେଳେ ନିୟମିତ ଭାବେ ଏଭଳି ଗଜପତିରୁ ଚାଲଣ କରୁଥିଲେ । ଏନେଇ ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁ କହିଛନ୍ତି ସେମାନଙ୍କ ବିରୋଧରେ ୧/୨୦୨୨-୨୩ରେ ବେଆଇନ ନିଶା କାରବାର ନିରୋଧ ଆଇନରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ କରାଯାଉଛି ।
ଆଜିର ଏହି ଚଢ଼ଉରେ ଡିଏସ୍ଇ ସୁମିତା ଓରାମ୍, ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଶ୍ରୀ ସାହୁ, ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଓଆଇସି ବି ମନୋଜ କୁମାର ଓ ଅନ୍ୟ ଅବକାରୀ କର୍ମଚାରୀ ଯୋଗ ଦେଇଥିଲେ ।