ଶହେ ଟଙ୍କା ନଦେବାରୁ ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଗ୍ୟାରେଜ୍‌ ମେକାନିକ୍‌ଙ୍କୁ କାତି ଚୋଟ

ବ୍ରହ୍ମପୁର: ଟାଉନ୍ ଥାନା ଅନ୍ତର୍ଗତ କଂଗ୍ରେସ ଅଫିସ୍‌ ଛକରେ ଜଣେ ଯୁବକ ଆଜି ଅପରାହ୍ଣରେ ଉନ୍ମତ୍ତ କାଣ୍ଡ ଘଟାଇଛି। କାତି ଧରି ଆତଙ୍କରାଜ ସୃଷ୍ଟି କରିବା ସହିତ ଜଣେ ଗ୍ୟାରେଜ୍‌ ମେକାନିକ୍‌ଙ୍କୁ ଟଙ୍କା ମାଗି ତାଙ୍କ ଉପରେ କାତି ଚୋଟ ପକାଇଛନ୍ତି। ଯୁବକଙ୍କ ଆକ୍ରମଣରେ ଶ୍ରୀକାନ୍ତ କୁମାର ପାଢ଼ୀ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ବାମହାତ ପାପୁଲି ଓ କାନ୍ଧରେ କାତି ଚୋଟ ପଡ଼ିଛି। ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଯୁବକ ମୁନା ଦାସକୁ କାବୁ କରିଥିବା ଜଣାପଡ଼ିଛି।

ଲାଞ୍ଜିପଲ୍ଲୀରେ ରହୁଥିବା ଶ୍ରୀକାନ୍ତ କଂଗ୍ରେସ ଅଫିସ୍‌ ଛକରେ ଥିବା ଏକ ଗ୍ୟାରେଜ୍‌ରେ କାମ କରୁଛନ୍ତି। ଗତ ଦୁଇଦିନ ତଳେ ମୁନା କୌଣସି କାମରେ ଶ୍ରୀକାନ୍ତଙ୍କ ଗ୍ୟାରେଜ୍‌କୁ ଆସି ଶହେ ଟଙ୍କା ମାଗିଥିଲା। ବେପାର ନଥିବାରୁ ଟଙ୍କା ନାହିଁ ବୋଲି ଶ୍ରୀକାନ୍ତ କହିଥିଲେ। ଏଥିରେ ମୁନା ଗାଳିଗୁଳଜ କରି ଗ୍ୟ‌ାରେଜ୍‌ର କିଛି ଚୌକି ଭାଙ୍ଗି ସେଠାରୁ ଚାଲି ଯାଇଥିଲା। ଗତକାଲି ମୁନା ଗ୍ୟାରେଜ୍‌କୁ ଆସିବାରୁ ଶ୍ରୀକାନ୍ତ ତାଙ୍କୁ ଚୌକି ଭାଙ୍ଗିବା ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏଥିରେ ସେ କିଛି ନକହି ଚାଲି ଯାଇଥିଲେ।

ଆଜି ପୁଣିଥରେ ମୁନା ଗ୍ୟାରେଜ୍‌ରେ ପହଞ୍ଚିଥିଲା। ଶ୍ରୀକାନ୍ତଙ୍କୁ ଟଙ୍କା ମାଗି ପାଟିତୁଣ୍ଡ କରିଥିଲା। ଏପରିକି ଶ୍ରୀକାନ୍ତ କାମ କରୁଥିବା ଗ୍ୟାରେଜ୍‌ରେ ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲା। ଏଥିରେ ଶ୍ରୀକାନ୍ତ ପ୍ରତିବାଦ କରିବାରୁ ମୁନା ତାଙ୍କ ଉପରେ କାତି ଚୋଟ ପକାଇଥିଲା। ଏହା ଦେଖି ଅନ୍ୟ ଗ୍ୟାରେଜ୍‌ ମାଲିକ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ମୁନା ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୁନାଙ୍କୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର