ଉଗ୍ର ରୂପ ନେଲା ଉଦଳା ଏନ୍‌ଏସିରେ ଡମ୍ପିଂୟାର୍ଡ ବିବାଦ: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଦେଲେ ଅଳିଆ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍‌ଏସିରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି। ଅଳିଆ ପକାଇବା ନିମନ୍ତେ ଏନଏସିକୁ ଏକ ନୂତନ ସ୍ଥାନ ପ୍ରଦାନ କରାଯାଇଥିବା ବେଳେ ସେଠାରେ ମଧ୍ୟ ବିବାଦ ଦେଖା ଦେବାରୁ ଅଳିଆ ପକାଇ ନପାରି ଟ୍ରାକ୍ଟରଗୁଡ଼ିକ ଫେରି ଆସିଛି। ଫଳରେ ସ୍ଥାନୀୟ ଜନତା ପ୍ରତିବାଦ ସ୍ୱରୂପ ଅଳିଆ ଭର୍ତ୍ତି ଟ୍ରାକ୍ଟରଗୁଡ଼ିକୁ ନେଇ କପ୍ତିପଦା ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟ ଓ ବାସଭବନ ସମ୍ମୁଖରେ ଢାଳି ଦେଇଛନ୍ତି। ଅପର ପକ୍ଷରେ ଏହି ସମସ୍ୟାର ସମାଧାନ ପାଇଁ ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ସମେତ ୱାର୍ଡ କାଉନସିଲରମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ; ଅଳିଆ ପକାଇବା ପାଇଁ ଉଦଳା ତହସିଲ ପକ୍ଷରୁ ଏନ୍‌ଏସିକୁ ଖଲାଡ଼ି ପଞ୍ଚାୟତ ରାଇଦାଣ୍ଡିଆଠାରେ ୬ ଏକର ଜାଗା ପ୍ରଦାନ କରାଯାଇଥିଲା। ହେଲେ ସେଠାରେ ଡମ୍ପିଂୟାର୍ଡକୁ ବିରୋଧ କରିଥିଲେ ଲୋକେ।

ଫଳରେ ୱାର୍ଡ ନଂ ୧୨ରେ ଅଳିଆ ପକାଇବାକୁ ସ୍ଥିର କରାଯାଇଥିଲା। ତେବେ ସେଠାରେ ମଧ୍ୟ ବିରୋଧ ହେବାରୁ ୯ ନଂ ୱାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ନିକଟରେ ଡମ୍ପିଂୟାର୍ଡ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। ସେଠାରେ ମଧ୍ୟ ଏହାକୁ ବିରୋଧ କରିଥିଲେ ଲୋକେ। ଶେଷରେ ଏନ୍‌ଏସି ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇ ପୁନର୍ବାର ୱାର୍ଡ ନଂ ୧୨ରେ ଚିହ୍ନଟ ସ୍ଥାନରେ ଅଳିଆ ପକାଇବାକୁ ସ୍ଥିର କରାଯାଇଥିଲା। ସେଠାରେ ଦିନେ ଦୁଇଦିନ ଅଳିଆ ପକାଯିବା ପରେ ବିରୋଧ ହେବା ସହିତ ଅଳିଆ ପକାଇବାକୁ ଯାଇ ସଫେଇ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତହସିଲ ପକ୍ଷରୁ ଦିଆଯାଇଥିବା ୬ ଏକର ଜାଗାରେ ଡମ୍ପିଂୟାର୍ଡ ନିର୍ମାଣ ପାଇଁ ଏନ୍‌ଏସି ନିଷ୍ପତ୍ତି ନେଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏନ‌ଏସି କର୍ତ୍ତୃପକ୍ଷ ମଙ୍ଗଳବାର ପୁଲିସ ଫୋର୍ସ ସହିତ ଅଳିଆ ଭର୍ତ୍ତି ଟ୍ରାକ୍ଟରଗୁଡ଼ିକୁ ଧରି ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ହେଲେ ସେଠାରେ ଶତାଧିକ ଲୋକ ରୁଣ୍ଡ ହୋଇ ଏହାକୁ ବିରୋଧ କରିଥିଲେ। ଫଳରେ ଟ୍ରାକ୍ଟରଗୁଡ଼ିକ ଅଳିଆ ପକାଇ ନପାରି ଫେରି ଆସିଥିଲେ।

ଆଉ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ସହଯୋଗ କରୁନଥିବା ଅଭିଯୋଗ କରି ଏନ୍‌ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପାଧ୍ୟକ୍ଷା ଲିଲି ଭୋଳଙ୍କ ସମେତ ୱାର୍ଡ କାଉନସିଲରମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଉକ୍ତ ଅଳିଆ ଭର୍ତ୍ତି ଟ୍ରାକ୍ଟରଗୁଡ଼ିକୁ ଜୋର୍‌ଜବରଦସ୍ତ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମ୍ମୁଖରେ ଢାଳି ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟି ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର ଉଦଳାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ସମ୍ବନ୍ଧିତ ଖବର