ବାଲିଅନ୍ତା: ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅଧୀନ ଗଡ଼ କଣ୍ଟୁଣିଆସ୍ଥିତ ସୁଦର୍ଶନ ଦାରୁପୀଠର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ଲାଗି ଆଉ ଅର୍ଥର ଅଭାବ ରହିବ ନାହିଁ। ମନ୍ଦିର ନିର୍ମାଣ କାର୍ଯ୍ୟ ଶେ‌ଷ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ୧ କୋଟି ଅନୁଦାନ ଅର୍ଥ ମଞ୍ଜୁର ହୋଇଛି। ଗତ ସପ୍ତାହରେ ବ୍ଲକ ପରିସରରେ ଅନୁଷ୍ଠିତ ଆଭାସୀ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏନେଇ ଘୋଷଣା କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ ସୁଦର୍ଶନ ଦାରୁପୀଠରେ ନିର୍ମାଣାଧୀନ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବା ସହ ପାର୍ଶ୍ବ ଦେବଦେବୀଙ୍କ ମନ୍ଦିର ନିର୍ମାଣ, କାର୍ଯ୍ୟାଳୟ ଏବଂ ଆନୁଷଙ୍ଗିକ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଅନୁଦାନ ଅର୍ଥ ଖର୍ଚ୍ଚ କରାଯିବ। ଏନେଇ ଆଜି ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ ଓ ସମିତି ସଭ୍ୟ ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ମନ୍ଦିର ପରିଚାଳନା କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଲୋକ ଦାରୁପୀଠରୁ ବ୍ୟାନର ଧରି ଏକ ଶୋଭାଯାତ୍ରାରେ ବାହାରି ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଡିଓ ପବିତ୍ର କୁମାର ସାମଲଙ୍କୁ ଏକ ଜଗନ୍ନାଥ ଫଟୋ ସହିତ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫–ଟି ଓ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ।

ମନ୍ଦିର କମିଟି କାର୍ଯ୍ୟକର୍ତ୍ତାଙ୍କ ସୂଚନା ଅନୁସାରେ ୨୦୧୫ ମସିହାରେ ଗଡ଼ କଣ୍ଟୁଣିଆ ଠାରୁ ପ୍ରଭୁ ଜଗନ୍ନାଥଙ୍କ ନବକଳେବର ଦାରୁ ଯାଇଥିଲା। ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ମନ୍ଦିର ନିର୍ମାଣ ଲାଗି ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ୨୦୧୬ ମସିହାରେ ଦେଢ଼ ଏକର ପରିମିତ ଜମିରେ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥରେ ୫୭ ଫୁଟ ଉଚ୍ଚତା ଓ ୩୦ ଗୋଲେଇ ମଧ୍ୟରେ ନିର୍ମାଣ ହେବାକୁ ଥିବା ମୁଖ୍ୟ ଜଗନ୍ନାଥ ମନ୍ଦିର (ଗର୍ଭଗୃହ) ନିର୍ମାଣ କାର୍ଯ୍ୟ ୩୦ ଫୁଟ ପର୍ଯ୍ୟନ୍ତ ହୋଇଛି। ଅର୍ଥାଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏବେ ପୁଣି କାମ ଆରମ୍ଭ କରାଯାଇଛି। ସେହିପରି ଧର୍ମଗୃହ ନାଟ୍ୟମଣ୍ଡପ ଓ ଜଗମୋହନ ନିର୍ମାଣ ମଧ୍ୟ ଅଧାପଡ଼ିଛି। ୨୨ ପାହାଚ ମଧ୍ୟରୁ ୧୯ ପାହାଚ ନିର୍ମାଣ ସରିଛି। ବାକି ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନ୍ୟ ୩ ପାହାଚ ନିର୍ମାଣ ଆରମ୍ଭ ହେବ। ଏହା ସହିତ ପ୍ରବେଶ ପଥ ତୋରଣ, ମନ୍ଦିର କାର୍ଯ୍ୟାଳୟ, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ଗଣେଶ ମନ୍ଦିର, ମହାବୀର ମନ୍ଦିର, ଶନି ମନ୍ଦିର, ଅରୁଣ ସ୍ତମ୍ଭ, ରୋଷଘର ଓ ଆନନ୍ଦ ବଜାର ନିର୍ମାଣ ହେବ।